Unknown

ଚେମା କାଲୋ

କରୁଣାକର ସୂପକାର

 

ପ୍ରାଗ୍‌ଭାଷ

ହୀରାକୁଦ ନଦୀବନ୍ଧ ଯୋଜନା ବିଂଶଶତାବ୍ଦୀର ନିର୍ମାଣ କାରିଗରୀର ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନା (୧୯୪୮-୫୭)ରେ କ୍ଷତିଗ୍ରସ୍ତ ପରିବାରର ମଣିଷଙ୍କୁ ନେଇ ଗଢ଼ିଉଠିଛି ଉପନ୍ୟାସ ‘ଚେମା କାଲୋ’ର କଥାବସ୍ତୁ । ଏହାରି ଲେଖକ କରୁଣାକର ସୂପକାର ସମ୍ବଲପୁରର ବାସିନ୍ଦା ଓ ନିଜେ ତାଙ୍କ ବାଲ୍ୟବସ୍ଥାରେ ୨୮୫ଟି ଗ୍ରାମର ବାଇଶ ହଜାର ବାସଚ୍ୟୁତ ମଣିଷଙ୍କ ଦୁଃଖକୁ ବେଶ୍‌ନିକଟରୁ ଜାଣିବାର ସୁଯୋଗ ପାଇଛନ୍ତି । ପେଶାରେ ଜଣେ ଇଞ୍ଜିନିୟର ଥାଇ ଓଡ଼ିଶା ସରକାରଙ୍କ ସର୍ବୋଚ୍ଚ ପଦବୀ ମୁଖ୍ୟଯନ୍ତ୍ରୀଭାବେ କାର୍ଯ୍ୟ କଲା ଉତ୍ତାରୁ ସେ ଅବସର ଗ୍ରହଣ କରିଛନ୍ତି ଓ ସାହିତ୍ୟ ସର୍ଜନାରେ ମନୋନିବେଶର ଫଳଶ୍ରୁତି ଭାବରେ ଏହି ପୁସ୍ତକଟି ଆଜି ଆପଣମାନଙ୍କ ହାତମୁଠାରେ । ଓଡ଼ିଶାର ପଶ୍ଚିମାଞ୍ଚଳର ଜନଜୀବନରେ ଯେଉଁ ସଂସ୍କୃତି, ଆଚାରବୋଧ ତଥା ଲୋକାଚାର ଜଡ଼ିତ, ଲେଖକ ସେଗୁଡ଼ିକ ନିଜ ସୃଜନଶୀଳ ମାଧ୍ୟମକୁ ଆଣିବାକୁ ପ୍ରୟାସ କରିଛନ୍ତି । ଏହି ସ୍ଥାନମାନଙ୍କରେ ପ୍ରଚଳିତ ଅନେକ ଶବ୍ଦାବଳୀ ଯଥା ଗାଣ୍ଡୁଆ, ପାତୁଳି, ଟୁପା, ଗଡ଼ୁ ପୁଡ଼ଗ୍‌ଇତ୍ୟାଦିକୁ ସେ ନିଜ ବାକ୍ୟମାନଙ୍କରେ ପ୍ରୟୋଗ କରିଛନ୍ତି ଯାହା ହୁଏତ ଓଡ଼ିଆ ପାଠକ ପାଠିକାଙ୍କ ସକାଶେ ଦୁର୍ବୋଧ୍ୟ ହୋପାରେ । ତେବେ ଉପନ୍ୟାସର କାରୁଣିକ ପ୍ରବାହ ତଥା ଚରିତ୍ର ସମୂହର ସଂଘର୍ଷ ପାଠକୀୟ ଆଗ୍ରହକୁ ବାଗେଇ ନେବ ବୋଲି ମୋର ଆଶା ଓ ବିଶ୍ୱାସ ।

କହିବାରେ ଦ୍ୱିଧା ନାହିଁ, ମୁଁ ବ୍ୟକ୍ତିଗତଭାବେ ମୋ ପାରିବାରିକ ଜୀବନରେ ଏହି ‘ବୁଡ଼ି ଅଞ୍ଚଳ’ର ଦୂରାବସ୍ଥାକୁ ଅଙ୍ଗେ ନିଭେଇଛି । ଏପରିକି ଆମ ପରିବାରର ଦ୍ୱିତୀୟ ସହାବସ୍ଥାନ ଶିବିର ଏବେ ତା’ରି ଉଚ୍ଛେଦର ଦ୍ୱାର ଦେଶରେ । ଜୀବନ ଯେଉଁଭଳି ଆସୁ, ଯେମିତି ଆସୁ ତାକୁ ଗ୍ରହଣ କରିନେବାଟା କୁଆଡ଼େ ମହାକାଳର ଅଲଂଘିତ ନିର୍ଦ୍ଦେଶ ।

ଓଡ଼ିଶା ସାହିତ୍ୟ ଏକାଡେମୀ ଏହି ପୁସ୍ତକଟିର ପ୍ରକାଶନ ଦାୟିତ୍ୱ ହାତକୁ ନେଇ ଏକ ଜାତୀୟ କର୍ତ୍ତବ୍ୟର ଧାରାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି । ଆଶା, ସୁଧୀ ପାଠକ ପାଠିକା ପୁସ୍ତକଟିରୁ କିଛି ଭିନ୍ନ ସ୍ୱାଦ ପାଇବାରେ ସକ୍ଷମ ହେବେ ।

ଅଶ୍ୱିନୀ କୁମାର ମିଶ୍ର

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ

 

ମୁଖବନ୍ଧ

ଏପ୍ରିଲ ୧୯୪୮ରେ ଜାମନା ଗାଁର ଚବିଶଟି ଗରିବ ପରିବାର ବିନା କ୍ଷତିପୂରଣରେ ତାଙ୍କ ଘରୁ ତଡ଼ା ଖାଇଲେ । ପୁଲିସ ସାହାଯ୍ୟରେ ଆହୂରି ଅନେକ ଗାଁର ବିସ୍ଥାପିତମାନେ ବିନା କ୍ଷତି ପୂରଣରେ ତଡ଼ା ଖାଇଛନ୍ତି । ଏମାନେ ହୀରାକୁଦ ନଦୀବନ୍ଧ ଯୋଗୁଁ ଅନେକ ଦୁର୍ଦ୍ଦଶା ଭୋଗିଛନ୍ତି । ଜାମଡ଼ା ଗାଁ ଆଜି ନିଶ୍ଚିହ୍ନ, ସେଇ ସ୍ଥାନରେ ହୀରାକୁଦ ସହର ।

ଚେମା କାଲୋ ଏହି ଉପନ୍ୟାସର ମୁଖ୍ୟ ଚରିତ୍ର, ସେଇ ଜାମଡ଼ା ଗାଁର ବିସ୍ଥାପିତମାନଙ୍କ ମଧ୍ୟରୁ ଜଣେ । ହୀରାକୁଦ ନଦୀ ବନ୍ଧ ଯୋଗୁଁ, ଓଡ଼ିଶାର ୨୪୯ଟି ଗାଁ ଓ ଛତିଶଗଡ଼ର ୩୬ଟି ଗାଁ ମଧ୍ୟରୁ କେତେକ ପୂରାପୂରି ଓ କେତେକ ଆଂଶିକ କ୍ଷତିଗ୍ରସ୍ତ ହେଲା । ୨୦୦ରୁ ଉର୍ଦ୍ଧ୍ୱ ଗାଁ ଚିରଦିନ ପାଇଁ ବୁଡ଼ିଗଲା । ଓଡ଼ିଶା ତଥା ଭାରତର ମାନଚିତ୍ରରେ ହୀରାକୁଦ ଜଳଭଣ୍ଡାର ଯୋଗୁଁ ବିରାଟ ପରିବର୍ତ୍ତନ ହେଲା ।

ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ୱ ହେଲା କ୍ଷତିପୂରଣ ଦିଆ ସରିନାହିଁ, ସରକାର ଜଳଭଣ୍ଡାରରୁ ଶିଳ୍ପାନୁଷ୍ଠାନମାନଙ୍କୁ ଜଳ ବିକ୍ରି ଆରମ୍ଭ କଲେଣି । ଇତି ମଧ୍ୟରେ ଜଳଭଣ୍ଡାରକୁ ଡଜନ ଡଜନ ଶିଳ୍ପାନୁଷ୍ଠାନ ଘେରି ଗଲେଣି । ବର୍ତ୍ତମାନ କେତେକ ଶିଳ୍ପାନୁଷ୍ଠାନ ଲୋକଙ୍କୁ ଚାକିରି ବଦଳରେ ପ୍ରଦୂଷଣ ବାଣ୍ଟୁଛନ୍ତି ।

ଓଡ଼ିଶାର ୨୬,୫୦୧ ପରିବାର ହୀରାକୁଦ ନଦୀ ବନ୍ଧ ଯୋଗୁଁ ବିସ୍ଥାପିତ ହେଲେ । ସେମାନଙ୍କ ଲୁହରେ ହୀରାକୁଦ ଜଳଭଣ୍ଡାରର ସୃଷ୍ଟି ।

କିଛି ସତ, କିଛି କଳ୍ପନା, କିଛି ବହି ଏବଂ କିଛି ଦଲିଲକୁ ନେଇ ଏହି ଉପନ୍ୟାସଟି ରଚିତ ହେଲା । ପାଠକମାନେ ଏହି ଉପନ୍ୟାସରୁ ହୀରାକୁଦ ବିସ୍ଥାପିତମାନଙ୍କ ଦୁଃଖ ଦୁର୍ଦ୍ଦଶା ସମ୍ପର୍କରେ କେତେକାଂଶରେ ଜାଣିପାରିବେ ବୋଲି ମୋର ଆଶା ।

କରୁଣାକର ସୁପକାର

 

ଚେମା କମଳିବଜାରରେ ବୁଲି ବୁଲି ସଉଦା କରୁଛି । ମନେପଡ଼ିଗଲା, ତାହାର ଝିଅ ସାବିତ୍ରୀ ପାଇଁ ଗୋଟିଏ ଖେଳଣା କିଣିବାକୁ ଅଛି ।

 

‘‘ଏହି ପୁତୁଳାର ଦାମ କେତେ ?’'

‘‘ବାର ଅଣା’’ ଉତ୍ତର ଦେଲା ଦୋକାନୀ । ’’

 

‘‘ରବରର ଖେଳଣା । ଏ ଝିଅ ରବରରେ ତିଆରି । ୟା’ର ଦାମ ପୁଣି ବାର ଅଣା ? କ’ଣ କହୁଛ ? ଶୁଣ ବାବୁ, ଆଠ ଅଣାରେ ଦେବ ?’’ ଚେମା ପଚାରିଲା ।

 

‘‘ସନ୍ଧ୍ୟା ହୋଇଆସିଲାଣି, ଦୋକାନ ବନ୍ଦ କରିବି । ସେଥିପାଇଁ କମ୍‌କରି ବାରଅଣା କହିଥିଲି । ଦଶଅଣା ଦେବ ଯଦି ନେଇଯାଅ ନ ହେଲେ ନାଇଁ । ଏଇ ରକମ ଖେଳଣା ତୁମକୁ ସମ୍ବଲପୁର ସହରରେ କେଉଁଠି ମିଳିବ ନାହିଁ ।’’ ଦୋକାନୀ କହିଲା ।

 

ଚେମା ତା’ର ଧୋତିରୁ ପଇସା କାଢ଼ିଲା । ଦୋକାନୀକୁ ଦଶଅଣା ଦେଇ ପୁତୁଳାଟି କିଣିଲା, ତାହାର ଗାଣ୍ଡୁଆରେ ରଖିଲା । ସନ୍ଧ୍ୟା ହେଇଆସିଲାଣି । ରାସ୍ତାରେ ଆଗରେ ରହିବାକୁ ହେବ । ଚେମା ଘରୁ ଦୁଇଟଙ୍କା ଆଣିଥିଲା, ଏବେ ତିନିଅଣା ତା’ ପାଖରେ ରହିଲା । ଘରକୁ ଗଲେ ଝିଅ ସାବିତ୍ରୀ ଖେଳଣା ମାଗିବ । ବହୁତ ଦିନ ପରେ ଚେମା ସହରକୁ ଆସିଛି । ଆଣିଛି ଦୁଇଟଙ୍କା । ତିନିଅଣା ଘରକୁ ଫେରେଇ ନେଉଛି ।

 

ଚେମା ସାଙ୍ଗରେ ଆସିଛି ବିଦ୍ୟାଧର । ଦୁହେଁ ଅନ୍ତରଙ୍ଗ ବନ୍ଧୁ । ଗାଁରେ ଦୁହିଁଙ୍କ ଘର ସାମନା ସାମନି । ସନ୍ଧ୍ୟା ହୋଇଆସିଲାଣି ।

 

ଦୁହେଁ ଗୋପାଳପାଲିରେ ରାତିରେ ରହିବେ, ପାହାନ୍ତିଆରୁ ଘରକୁ ଯିବେ । ଗୋପାଳପାଲି ପହଞ୍ଚିଲାବେଳେ ରାତି ହୋଇସାରିଥିଲା । ଦୁହେଁଯାକ ଗୋଟିଏ ଗଛମୂଳକୁ ଗଲେ-। ଚେମା ଡିଆସିଲି ମାରି ପ୍ରଥମେ ନିଆଁ ପ୍ରସ୍ତୁତ କଲା । ଚେମା ତା’ର ବାସନ, କୁସନ ବାହାର କଲା । ବିଦ୍ୟାଧର ଚାଉଳ, ଆଳୁ, ପିଆଜ, ଲଙ୍କାମରିଚ ବାହାରେ ରଖିଲା । ଚେମା ଆଉ ବିଦ୍ୟାଧର ଦୁହେଁ ମିଶି ରୋଷେଇ କଲେ । ଖାଇ ପିଇ ଗଛତଳେ ଶୋଇଗଲେ । ଯେଉଁ ଗାମୁଛା ଦେହରେ ଘୋଡ଼େଇ ହୋଇଥିଲେ, ସେଇ ଗାମୁଛାକୁ ତଳେ ବିଛାଇ ଦେଇ ଶୋଇଗଲେ । ପାହାନ୍ତିଆରୁ ଉଠିଲେ ଓ ନିଜ ନିଜର ଜିନିଷପତ୍ର ଧରି ଗାଁ ଅଭିମୁଖେ ବାହୁଡ଼ିଲେ । ରାତି ହୋଇଗଲେ, ଆଗରୁ ବି କେତେଥର ଏଇ ଗୋପାଳପାଲି ଗାଁରେ ରହିଛନ୍ତି ।

 

ରାତି ହୋଇଗଲେ ବାଘକୁ ଡର । ଭାଲୁକୁ ଡର । ତାଙ୍କର ଘର ପାଖରେ ଜଙ୍ଗଲ । ଜାମଡ଼ା ରିଜର୍ଭ ଜଙ୍ଗଲ । କେତେବେଳେ ବାଘ ବାହାରିବ କିଛି ଠିକ୍‌ ନାହିଁ । ଲରପଙ୍କ ଗାଁ ପାଖରେ ଭାଲୁ ବାହାରିବା ସମ୍ଭାବନା ଥାଏ । ରାତିରେ କେହି ସାହସ କରନ୍ତି ନାହିଁ ଯିବାକୁ ।

 

କିଛି ନମାନି, ଛଅମାସ ଆଗରୁ ରାତିରେ ବାହାରି ପଡ଼ିଥିଲା ମଦନ ଭୋଇ । ଲରପଙ୍କ ପାଖରେ ଭାଲୁ ହାବୁଡ଼ରେ ପଡ଼ିଗଲା । ତାହାର ଗୋଟିଏ ଚକ୍ଷୁ ତ ପୂରାପୂରି ନଷ୍ଟ ହେଇଗଲା, ମରୁ ମରୁ ସେ ବଞ୍ଚିଗଲା । ମଦନର ବଳ ଥିଲା ବୋଲି ବଞ୍ଚିଲା, ନ ହେଲେ କ’ଣ ହୋଇଥାନ୍ତା କେଜାଣି-? ଭାଲୁଟା ମଦନର ବାମଆଖି ବାହାର କରିନେଲା । ଗୋପାଳପାଲିରେ ରାତିଟା ରହିଯାଇଥିଲେ, ବିଚାରା ଭାଲୁ ହାବୁଡ଼ରେ ପଡ଼ିନଥାନ୍ତା ।

 

ସକାଳୁ ସକାଳୁ ଚେମା ଆଉ ବିଦ୍ୟାଧର ଦୁହେଁ ଚାଲି ଚାଲି ଜାମଡ଼ା ଗାଁରେ ପହଞ୍ଚିଗଲେ-। ଚେମା ଘର ପାଖରେ ବିଦ୍ୟାଧର ଘର ।

 

ଦୁଇଲାଇନ ଘର । ପ୍ରାୟ ୨୪ଟି ପରିବାର ପାଖାପାଖି ରହୁଥିଲେ । ଜାମଡ଼ା ଗାଁର ଗୋଟିଏ କଡ଼ରେ ତାଙ୍କର ବସ୍ତି ଥିଲା । ପାଖରେ ବହିଯାଉଛି ମହାନଦୀ । ପ୍ରତ୍ୟେକ ପରିବାରର ଏକରେ ଅଧ ଏକର ଜମି ଥିଲା । କିଏ ନଦୀରୁ ମାଛ ମାରି ଚଳୁଥିଲା । ଆଉ କେତେଜଣ ଜୋତା ସିଲେଇ କରି ଚଳିଯାଉଥିଲେ । ପ୍ରତ୍ୟେକଙ୍କ ବାଡ଼ି ବଗିଚା ଥିଲା । ସେଥିରୁ ସେମାନଙ୍କୁ ପନିପରିବା କିଛି ମିଳିଯାଉଥିଲା । ଗରିବ ହେଲେ ସୁଦ୍ଧା ସମସ୍ତେ ସୁଖରେ ଚଳିଯାଉଥିଲେ ।

 

x            x            x            x            x            x

ସାବିତ୍ରୀର ବୟସ ଆଠ ବର୍ଷ । ବାଳ ନୁଖୁରା । ମୋଟେ ତେଲ ଲଗାଏ ନାହିଁ । ବାଳ ନୁଖୁରା, ଖଣ୍ଡେ ଲାଲ ରଙ୍ଗର ଫ୍ରକ୍‌ ପିନ୍ଧିଛି । ଚେମା ତାହାର ଗାଣ୍ଡୁଆ ଦୁଇଟି ଘରେ ଥୋଇ ହାଲିଆ ହୋଇ ବସିଯାଇଛି । ସାବିତ୍ରୀ ଏହି ସମୟରେ, ବାପା ବାପା ପାଟି କରି ଦୌଡ଼ି ଦୌଡ଼ି ଆସିଲା ।

 

ସାବିତ୍ରୀର ମା’ ବୈଦେହୀ ହାତରେ ପାଣି ଗିଲାସେ ଧରି ଘର ଭିତରୁ ବାହାରିଲା ।

‘‘ମା’ ସାବିତ୍ରୀ । ବାଆ ହାଲିଆ ହୋଇଯାଇଛନ୍ତି । କେତେଦୂରରୁ ଚାଲିଚାଲି ଆସିଛନ୍ତି । ତାଙ୍କୁ ବ୍ୟସ୍ତ କରନା । ଟିକିଏ ଥକା ମାରନ୍ତୁ ।’’

 

ଚେମା ପାଣି ପିଇଲା । ‘‘କେତେବେଳୁ ବାହାରିଲ ?’’ ବୈଦେହୀ ପଚାରିଲା ।

‘‘ନିଦ ଭାଙ୍ଗିଲା ବେଳକୁ ରାତି ହୋଇଥିଲା । ବିଦ୍ୟାଧର କହୁଥିଲା, ରାତି ହୋଇଛି । ଏତେବେଳୁ କୁଆଡ଼େ ଯିବା ?’’ ମୁଁ ଉଠିପଡ଼ିଲି ! ଆଉ ନିଦ ହେଲାନାହିଁ । ଖାଲି ଝିଅ ସାବିତ୍ରୀ କଥା ମନେପଡ଼ିଲା ।’’

 

‘‘କ’ଣ କହିଲ ? କ’ଣ କହିଲ ? ମୋ କଥା ମନେପଡ଼ିଲା ନାହିଁ ? କାହିଁକି ମନେପଡ଼ିବ-? ବଡ଼ସହରକୁ ଯାଇଥିଲ । ସମ୍ବଲପୁର ଯାଇଥିଲ ।’’

 

‘‘ହଉ, ଆଗ ନଦୀକୁ ଯାଇ ଗାଧୁଆ ପାଧୁଆ କର । ପରେ ସେଇ ସମ୍ବଲପୁର ସହର କଥା ଶୁଣିବା ।’’

 

ସାବିତ୍ରୀ ପାଖକୁ ଆସିଲା । ଚେମା ତାକୁ ଟେକି ନେଇ ଗେଲ କଲା । ପୁତୁଳାଟା ବାହାର କରି ସାବିତ୍ରୀକୁ ଦେଲା ।

 

‘‘ବାପା, ଆଜିଠାରୁ ଇଏ ମୋର ଝିଅ ହେଲା । ୟା’ର ନାଁ ହେଲା ଗୁରୁବାରୀ । ଆଜି ତ ଗୁରୁବାର । ଦେଖ, ମୋର ଝିଅ କେତେ ସୁନ୍ଦର ଦିଶୁଛି । ମୋର ପେଣ୍ଟ ରଙ୍ଗ ଲାଲ । ମୋର ଝିଅର ଫ୍ରକ୍‌ର ରଙ୍ଗ ବି ଲାଲ । ମୁଁ ଏବେ ଯାଉଛି, ମୋର ସାଙ୍ଗମାନଙ୍କୁ ମୋର ଝିଅ ଗୁରୁବାରୀକୁ ଦେଖେଇବି । ବାପା, ମୁଁ ଆଗରୁ ଭାବି ନେଇଥିଲି ମୋ ପାଇଁ ତୁମେ ଗୋଟିଏ ଝିଅ ଆଣିବ ।’’

 

‘‘ ବାପା, ତୁମକୁ କ’ଣ ବୋଲି ଡାକିବ ମୋର ଝିଅ ?’’ ସାବିତ୍ରୀ ପ୍ରଶ୍ନ କଲା ।

‘‘ଦାଦା ବୋଲି ଡାକିବ ।’’ ଚେମା ଉତ୍ତର ଦେଲା ।

 

ଚେମା କେବେ ଭାବି ନଥିଲା ଯେ ତାହାରି ପସନ୍ଦ କଲା ଖେଳଣା, ସାବିତ୍ରୀର ଝିଅ ପାଲଟିଯିବ । ସାବିତ୍ରୀ କେଉଁଠୁ ଜାଣିବ, ଏତେ ପଇସା ଦେଇ ଏଇ ପୁତୁଳାଟି କମଳି ବଜାରରୁ କିଣିଛି । ଏବେ କେତେ ମହଙ୍ଗା ଯୁଗ ହେଲାଣି ।

ସାବିତ୍ରୀ ଦୌଡ଼ି ପଳେଇଲା ତା’ର ସାଙ୍ଗମାନଙ୍କ ଘରକୁ ।

x      x      x      ×      x      x      x

ତାସ ଖେଳ ଚାଲିଛି । ବ୍ରଜ, ବିଦ୍ୟାଧର, ନିରଞ୍ଜନ, ବେନିଭୁଜ ଚାରିଜଣ ତାସ ଖେଳୁଛନ୍ତି-। ତାଙ୍କ ପାଖରେ ବସିଛନ୍ତି ଚେମା, ଭରତ, ରତନ । ଜୋରରେ ଟୋଣ୍ଟି ନାଇନ ଖେଳ ଚାଲିଛି ।

‘‘ବ୍ରଜ ତୁମେ ତାସ ନ ଦେଖିକି ଡାକ ଦିଅନାହିଁ । ସେଇଥିପାଇଁ ତୁମେ ଜିତୁ ନାହଁ । ତୁମେ ଯେତିକି ଡାକ ଦେଉଛ, କରିପାରୁନାହଁ । ନିରଞ୍ଜନ ଭାବିଚିନ୍ତି ଡାକୁଛି । ସେଥିପାଇଁ ସେମାନେ ଜିତୁଛନ୍ତି ।’’ ଚେମା କହିଲା ।

‘‘ପ୍ରଥମେ ତ ସେମାନେ ଜିତିବେ । ସେମାନେ ହିସାବ କରି ଖେଳୁଛନ୍ତି । ଆଉକିଛି ସମୟ ଅପେକ୍ଷା କର । ମୋତେ ଉପଦେଶ ଦିଅନାହିଁ । ତା’ ପରେ ଦେଖିବ, କିଏ ଜିତୁଛି ? ମୋର ଅଭ୍ୟାସ, ମୁଁ ନ ଦେଖିକି ଡାକେ । ପ୍ରଥମେ, ପ୍ରଥମେ ହାରେ । ତା’ପରେ ଜିତେ । ତୁମେ ଚେମା ଜାଣିଛ, ଅନେକ ଥର ମୁଁ ଜିତେ ।’’ ବ୍ରଜ କହିଲା ।

‘‘ଆମେ ତାସ ଖେଳ ଖେଳୁଛେ । କେତେବେଳେ ଜିତିବା ତ କେତେବେଳେ ହାରିବା । ସେଥିରେ ପୁଣି ଭାବିଚିନ୍ତି ଖେଳିବା କାହିଁକି ?’’ ‘‘ଭୀମ ପ୍ରଥମଥର ହାରେ କହନ୍ତି ପରା ।’’ ବ୍ରଜ କହିଲା-

 

ଚେମା ବି କହିଲା, ‘‘ହଁ, ଭୀମ ପ୍ରଥମଥର ହାରେ ବୋଲି ମୁଁ ଜାଣିନଥିଲି । କିନ୍ତୁ ମୁଁ ଜାଣିଥିଲି, ଧର୍ମରାଜ ଯୁଧିଷ୍ଠିର ଦୁର୍ଯ୍ୟୋଧନ ସଙ୍ଗେ ପଶା ଖେଳରେ ଥରକୁ ଥର ହାରିଥିଲେ ।’’

 

‘‘ମୁଁ ଜାଣେ ଏହି ରକମ ପଶାଖେଳରେ ଯୁଧିଷ୍ଠିର ହାରିଥିବା ଯୋଗୁଁ ଦୁଃଶାସନ ଦ୍ରୌପଦୀଙ୍କ ବସ୍ତ୍ର ହରଣ କରିଥିଲା । ଧର୍ମରାଜ ଯୁଧିଷ୍ଠିରଙ୍କ ପଶାଖେଳ ପ୍ରତି ଦୁର୍ବଳତା ଥିଲା । ଶକୁନି ସେଇଆ ଜାଣିଥିଲା । ସେ ହିଁ ଦୁର୍ଯ୍ୟୋଧନକୁ ଉସୁକାଇଲା ଯୁଧିଷ୍ଠିର ସଙ୍ଗେ ପଶା ଖେଳିବା ପାଇଁ ।

 

ଦ୍ରୌପଦୀ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଡାକ ଦେଲେ । ଶ୍ରୀକୃଷ୍ଣ ହିଁ ଦ୍ରୌପଦୀଙ୍କ ଭରସା ହେଲେ ଓ ବସ୍ତ୍ରଦାନ କଲେ । ଯୁଧିଷ୍ଠିର ପଶା ଖେଳରେ ଭାଇମାନଙ୍କୁ ଓ ଦ୍ରୌପଦୀଙ୍କୁ ମଧ୍ୟ ହାରିଥିଲେ । ଦୁର୍ଯ୍ୟୋଧନ ସଙ୍ଗେ ପଶା ଖେଳରେ ହାରି ଯୁଧିଷ୍ଠିର ଭାଇମାନଙ୍କୁ ଓ ଦ୍ରୌପଦୀଙ୍କୁ ଧରି ବାରବର୍ଷ ବନବାସ ଓ ଏକବର୍ଷ ଅଜ୍ଞାତବାସରେ ମଧ୍ୟ ଯାଇଥିଲେ ।’’

 

‘‘ଏତେ କଥା ଜାଣିଛ । ଅଥଚ ତୁମେ କହିବା ଅନୁସାରେ, ଭୀମ ପ୍ରଥମଥର ହାରେ ବୋଲି ଜାଣିନାହଁ ।’’ କହିଲା ବ୍ରଜ ।

 

ଚେମା ଓ ବିଦ୍ୟାଧର ଗଲା ରବିବାର ଦିନ ସମ୍ବଲପୁରର କମଳି ବଜାର ଯିବା ଓ ସଉଦା କରିବା, ଗୋପାଳପାଲିରେ ରାତି ରହଣି କଥା ସବୁ କହିଲେ । କଥା ହେଉ ହେଉ ତାସ ଖେଳ ବନ୍ଦ ହେଲା । ସନ୍ଧ୍ୟା ହେଲା । ଯେ ଯା’ ଘରକୁ ଗଲେ ।

 

x            x            x            x            x            x

 

ସାବିତ୍ରୀ ତା’ର ସାଙ୍ଗ ପୂଜା ଘରକୁ ଗଲା । ପୂଜା ପଡ଼ୋଶୀ ନିରଞ୍ଜନର ଝିଅ ।

ଆଗରୁ ସୁଜାତା, ମାଧୁରୀ, ରାନୀ ନିରଞ୍ଜନ ଘରକୁ ଆସିଥିଲେ । ସାବିତ୍ରୀ ସେମାନଙ୍କୁ ଝିଅ ଗୁରୁବାରୀକୁ ଦେଖେଇଲା ।

 

ସାବିତ୍ରୀ କହିଲା, ‘‘ଏଇଟା ମୋର ଝିଅ । କେତେ ସୁନ୍ଦର ଲାଲରଙ୍ଗର ଫ୍ରକ୍‌ ପିନ୍ଧିଛି । ଦେଖ ।’’

 

‘‘ତୁ କେବେ ବାହାହେଲୁ ଯେ, ତୋର ଝିଅ ହେଲା ।’’ ମାଧୁରୀ ପ୍ରଶ୍ନ କଲା ।

‘‘ ବାହା ନହେଲେ କ’ଣ କାହାରି ଝିଅ ହୁଏନାହିଁ ? ମୁଁ ବାହା ନହୋଇ ମୋର ଗୋଟିଏ ଝିଅ ଅଛି । ମୋର ଝିଅ ଗୁରୁବାର ଦିନ ଆସିଲା ଘରକୁ, ତା’ର ନାଁ ଦେଲି ଗୁରୁବାରୀ । ମୋ ବାପା ତ କହିଲେ ଗୁରୁବାରୀ ତାଙ୍କୁ ଦାଦା ବୋଲି ଡାକିବ । ତମେ ବାହା କଥା କାହିଁକି କହୁଛ ?’’ ସାବିତ୍ରୀ କହିଲା ।

 

ସାବିତ୍ରୀ ପୁଣି କହିଲା, ‘‘ମୋ ମା’ କହୁଥିଲେ, ମୋ ପତି କେବେ ମରିବେ ନାହିଁ । ସେଥିପାଇଁ ମୋ ନାଁ ପରା ସାବିତ୍ରୀ । ମୋ ପତିକୁ ଯମରଜା ନେବାପାଇଁ ଆସିଲେ, ମୁଁ ଯମରଜାକୁ ଫେରେଇ ଦେବି । ସେ କେବେ ବି ମୋର ପତିଙ୍କୁ ନେଇପାରିବେ ନାହିଁ । ନେବା ତ ଦୂରକଥା, ଛୁଇଁ ପାରିବେ ନାହିଁ । ମୋ ପତିଙ୍କ ନାଁ ହେବ ସତ୍ୟବାନ ।’’

 

‘‘ସାବିତ୍ରୀ, ସତ୍ୟବାନ କଥା ତୁମେ ସମସ୍ତେ ଜାଣିଛ ବୋଧହୁଏ ।’’ ସାବିତ୍ରୀ ପୁଣି କହିଲା-

‘‘ଦେଖ, ପତିଙ୍କ କେମିତି ନାଁ ଧରୁଛି । ପତିଙ୍କ ନାଁ ଧରିବା ପାପ ।’’ ସୁଜାତା କହିଲା ।

ସାବିତ୍ରୀ କହିଲା, ‘‘ତୁମେ ସବୁ ଧୂର୍ତ୍ତ । ମୁଁ କ’ଣ ପାଇଁ ଆସିଥିଲି ? ତୁମେ କ’ଣ ସବୁ କହୁଛ ? ମୁଁ ଆସିଥିଲି ମୋ ଝିଅ ଗୁରୁବାରୀକୁ ଦେଖେଇବାକୁ ।’’

 

ଏହି ସମୟରେ ପାଟିକରି ଡାକିଲେ ପୂଜାର ମା’, ‘‘ଆସ ଜଳଖିଆ ଖାଇବ । ଏଇ ଟୁପାରେ ଅଛି ଚୂଡ଼ା । ଆଉ ଗିନାରେ ଅଛି ଗୁଡ଼ । ସମସ୍ତେ ଏକା ସଙ୍ଗେ ମିଶି ଖାଅ । ପାଣି ଆଣି ଦେଉଛି ।’’

 

x            x            x            x            x            x

 

ଆସନ୍ତାକାଲି ସକାଳ ହେଲେ ଫଗୁଣ ପୂର୍ଣ୍ଣିମା । ହୋଲି ରଙ୍ଗ ଖେଳ ହେବ ।

ଆଜି ହେବ ‘ହୋଲି ପୁଡ଼ା’ । ସନ୍ଧ୍ୟାରେ ପିଲାମାନେ ଖଣ୍ଡିଏ ଖଣ୍ଡିଏ କାଠ ଧରି, ଚାଲି ଚାଲି ଯାଉଥାନ୍ତି । ସାତଦିନ ଆଗରୁ ଗାଁର ଝାଙ୍କର ଏକ ଲମ୍ବ ଜଡ଼ା ଗଛ ପୋତିଥାଏ ଗାଁ ମୁଣ୍ଡରେ । ସେହି ଗଛ ଚାରିପାଖେ ଅନେକ କାଠ, ବାଉଁଶ, ଝାଟି ଆଦି ରଖୁଥାନ୍ତି । ପିଲାମାନେ ଲାଗିଥାନ୍ତି, କେମିତି ବିଶାଳ ଆକାରରେ ହେବ ‘ହୋଲି ପୁଡ଼ା’ ।

 

ବେଶି ରାତି ହେଲେ ସେହି ଜାଗରେ ନିଆଁ ଲଗାଯିବ । ହୋଲି, ହୋଲି ପାଟି କରି ପିଲାମାନେ ଏପଟ ସେପଟ ଦଉଡ଼ା ଦଉଡ଼ି କରୁଥାନ୍ତି ।

 

ରାତି ଦଶରେ ଚେମା, ବିଦ୍ୟାଧର, ନିରଞ୍ଜନ, ରତନ ତାଙ୍କର ପୁଅ, ଝିଅ ଧରି ‘ହୋଲି ପୁଡ଼ା’ ପାଖରେ ପହଞ୍ଚିଲେ । ସାବିତ୍ରୀ, ସୁଜାତା, ମାଧୁରୀ, ରାନୀ ସମସ୍ତେ ଆସି ନିଜ ନିଜ ସ୍ଥାନ ବାଛିନେଲେ । ଝିଅପିଲାମାନେ ଭଲ ଲୁଗା ପିନ୍ଧି ଆସିଥାନ୍ତି । ସମସ୍ତଙ୍କ ଆଗ୍ରହ କେମିତି ଭଲରେ ଭଲରେ ‘ହୋଲି ପୁଡ଼ା’ ହେବ । ଆଜିଠୁ ଗାଁର ସବୁ ରିଷ୍ଟ କଟିବ ।

 

ହୋଲିର ବାଉଁଶ, କାଠ ସବୁ ଏକ ବିଶାଳ ଆକାର ଧାରଣ କରିଥାଏ । ସେହିଠାରେ ଚାଉଳ, ବେଲପତ୍ର, ଦୂବ, ସିନ୍ଦୁର ସବୁ ରଖାଗଲା । ଝାଙ୍କର ପୂଜା ଆରମ୍ଭ କଲା । ଜୋର୍‌ରେ ଦୁଲ୍‌ଦୁଲି ବାଜା ବାଜୁଥାଏ । ଗାଁ’ଟା କମ୍ପି ଯାଉଥାଏ ।

 

ରାତି ଦଶଟା ହେଲା । ହୋଲି କାଠରେ ନିଆଁ ଲଗାଗଲା । କୁକୁଡ଼ା ଚିଆଁ ଓ କଳା ରଙ୍ଗର ଗୋଟିଏ କୁକୁଡ଼ା ଝାଙ୍କର ପାଖରେ ରଖାଯାଇଥାଏ । ଝାଙ୍କର କଳା ରଙ୍ଗର କୁକୁଡ଼ାକୁ ପୂଜା ଚାଉଳ ଖାଇବାକୁ ଦେଲା । କୁକୁଡ଼ା ଚିଆଁକୁ ନିଆଁରେ ଫୋପାଡ଼ି ଦେଲା । ଗାଁ’ର ଝାଙ୍କର ସାତଦିନ ଆଗରୁ ଯେଉଁ ଲମ୍ବା ଜଡ଼ାଗଛ ପୋତିଥିଲା ସେହି ଲମ୍ବା ଜଡ଼ାଗଛର ମୂଳରେ ନିଆଁ ଲାଗି ଜଳିଗଲା ।

 

ମୂଳ ଜଳିଗଲା ପରେ ଲମ୍ବ ଗଛଟି ଯେଉଁ ଦିଗକୁ ଢଳିଲା, ସେହି ଗାଁକୁ ଏହି ‘ହୋଲି ପୁଡ଼ା’ ଗାଁର ସବୁ ରିଷ୍ଟ ଚାଲିଯାଏ, ବୋଲି ଲୋକଙ୍କ ବିଶ୍ଵାସ ରହିଛି ।

 

‘ହୋଲି ପୁଡ଼ା’ ସରିଲା ।

ସମସ୍ତେ ଯେ ଯାହା ଘରକୁ ଗଲେ । ତା’ପରଦିନ ରଙ୍ଗ ଖେଳ ।

୧୯୪୭ ମେ’ ମାସ ଜାମଡ଼ା ଗାଁ ଗୌନ୍ତିଆ ଗୋଟିଏ ଆଲୋଚନା ସଭା ଡାକିଥିଲେ । ସାଙ୍ଗରେ ‘ହୀରାଖଣ୍ଡ ସମାଚାର’ କେତେଖଣ୍ଡ ପତ୍ରିକା ଆଣିଥିଲେ । ଗୌନ୍ତିଆ ‘ହୀରାଖଣ୍ଡ ସମାଚାର’ ପତ୍ରିକାରୁ କେତେକ ସମ୍ବାଦ ପଢ଼ିଲେ ଓ ଲୋକଙ୍କ ମତାମତ ଲୋଡ଼ିଲେ । ଚେମା ସେହି ସଭାରେ ଯୋଗ ଦେଇଥିଲା ।

 

ଗୌନ୍ତିଆ କହିଲେ, ‘‘ଓଡ଼ିଶା ଗେଜେଟ ୧୧ ଏପ୍ରିଲ ୧୯୪୭ ସଂଖ୍ୟାରେ ଘୋଷଣା କରାଯାଇଛି ଯେ, ଓଡ଼ିଶା ସରକାର ସମ୍ବଲପୁରର ଅଚ୍ୟୁତାନନ୍ଦ ପୁରୋହିତ, ରାମଚନ୍ଦ୍ର ମିଶ୍ର, ଈଶ୍ଵର ପ୍ରସାଦ ମିଶ୍ର, ବିଷ୍ଣୁ ପ୍ରସାଦ ମିଶ୍ର, ମାନଭଞ୍ଜନ ପ୍ରଧାନ, ବେଣୀମାଧବ ସୂପକାର ଓ ନୃସିଂହ ପ୍ରସାଦ ଗୁରୁଙ୍କ ଉପରେ ପୁଣି ୧୪୪ ଧାରା ଆଦେଶ ଜାରି କରିଛନ୍ତି । ସମ୍ବଲପୁର ଜିଲ୍ଲା ହୀରାକୁଦ ବନ୍ଧ ବିପକ୍ଷରେ କୌଣସି ସଭା ସମିତି, ଅନୁଷ୍ଠାନରେ ଯୋଗଦାନ, ଶୋଭାଯାତ୍ରାମାନଙ୍କରେ ସହଯୋଗ କିମ୍ବା କୌଣସି ପ୍ରକାର ଆନ୍ଦୋଳନରେ ଯୋଗଦାନ ନକରିବାକୁ ଏମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।’’

ପତ୍ରିକା ସମ୍ପାଦକୀୟରେ ଲେଖାଅଛି ଯେ, ବୋଧରାମ ଦୁବେଙ୍କ ଉପରେ ଏହି ୧୪୪ ଧାରା ଜାରି କରିଥିଲେ । କିନ୍ତୁ ପାଟଣା ହାଇକୋର୍ଟରେ ବିଚାର ହେବାପରେ ସରକାର ଏ ଆଦେଶ ଉଠାଇ ନେଲେ ।

ଉପରୋକ୍ତ ସଭାରେ ଆହୁରି କେତେକ ପ୍ରସଙ୍ଗରେ ଆଲୋଚନା ହୋଇ ସଭା ସରିଲା ।

x            x            x            x            x            x

ଚେମା, ବିଦ୍ୟାଧର, ନିରଞ୍ଜନ, ରତନ, ବେନିଭୁଜ ସମସ୍ତେ ଏକ ସଙ୍ଗେ ବସିଛନ୍ତି । ବ୍ରଜ ତାସ ଫେଣ୍ଟିବା ଆରମ୍ଭ କଲା । ସେଇଠୁ ଚେମା କହିଲା, ‘‘ବନ୍ଦ କର ତାସ । ପଶା ଖେଳିକରି ଧର୍ମରାଜ ଯୁଧିଷ୍ଠିର ବାରବର୍ଷ ବନବାସ ଯାଇଥିଲେ । ଆମେ ତାସ ଖେଳି କେତେବର୍ଷ ପାଇଁ ବନବାସ ଯିବା, କିଏ ଜାଣିଛି । ମୋ କଥା ଟିକିଏ ଶୁଣ ।’’

‘‘କିଏ ବନବାସ ଯିବେ ? କାହିଁକି ଯିବେ ?’’ ବ୍ରଜ ପଚାରିଲା ।

‘‘ହଁ, ଘରୁ ଲୋକେ ତଡ଼ା ଖାଇବେ । ବନବାସ ଭଳି ନୁହେଁ କି ? କାଲି ଯେତେବେଳେ ‘ହୋଲି ପୁଡ଼ା’ ହେଉଥିଲା, ମୁଁ ଜାଣିସାରିଥିଲି । ତୁମକୁ ଖୁସି ସମୟରେ କାହିଁକି ଏହି ଦୁଃଖକଥା କହିବି ଭାବି କହିଲି ନାହିଁ । ଏବେ ମନଦେଇ ଶୁଣ ।’’

 

‘‘ହୋଲି ପୁଡ଼ା’ର ଆଗଦିନ ମୁଁ ଭୁଲକା ଗାଁକୁ ଯାଇଥିଲି । ଫେରୁ ଫେରୁ ରାତି ହେଲା । ସେଇଠି ଶୁଣିଲି, ଲୋକେ ନିଜ ନିଜ ଭିତରେ କଥା ହେଉଥିଲେ । ସିଧା ଗଲି ଗୌନ୍ତିଆ ପାଖକୁ । କ’ଣ ହୋଇଛି, ଜାଣିବା ପାଇଁ । ଗୌନ୍ତିଆ ଭାରି ଜ୍ଞାନୀ ଲୋକ । ସେ ସବୁ ଖବର ରଖନ୍ତି । ସେ ଯାହା କହିଛନ୍ତି, ଆଜି ପର୍ଯ୍ୟନ୍ତ ସବୁ ସତ ହୋଇଛି । ଗୌନ୍ତିଆ ଯାହା କହିଲେ, ସେଇଆ ତୁମ ଆଗରେ କହୁଛି ।’’ ଚେମା କହିଲା । ସମସ୍ତେ ଆଗ୍ରହରେ ଚେମାକୁ ଶୁଣୁଥାନ୍ତି ।

 

‘‘ସରକାର ମହାନଦୀ ଉପରେ ଗୋଟିଏ ବନ୍ଧ ନିର୍ମାଣ କରିବେ । ପ୍ରତ୍ୟେକ ବର୍ଷ ତଳ ମୁଣ୍ଡରେ କଟକ, ପୁରୀ ଜିଲ୍ଲାରେ ଥରକୁ ଥର ବନ୍ୟା ହୋଇ ବହୁତ କ୍ଷତି ହେଉଛି । ୧୯୪୭ରେ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରକାଶିତ ପ୍ରୋଜେକ୍ଟ ରିପୋର୍ଟରେ ଏହା ଉଲ୍ଲେଖ ଅଛି ଯେ, ହୀରାକୁଦରେ ପ୍ରଥମ ନଦୀବନ୍ଧ ନିର୍ମାଣ ହେବ । ତା’ପରେ ଟିକରପଡ଼ା, ନରାଜଠାରେ ମଧ୍ୟ ବନ୍ଧ ତିଆରି ହେବ । ହୀରାକୁଦରେ କିଛି ରାଜନୀତି ହେବାର ସୁଯୋଗ ନାହିଁ । କିଛି ଆନ୍ଦୋଳନ ଏଇଠି ବି ହେବ । କିନ୍ତୁ, ସରକାର ସେହି ଆନ୍ଦୋଳନକୁ ବନ୍ଦ କରିପାରିବେ । ଅନ୍ୟ ଜାଗାରେ ନଦୀବନ୍ଧ ନିର୍ମାଣ କଲେ ସେଠାରେ ତୀବ୍ର ଆନ୍ଦୋଳନ ହୋଇପାରେ । ସେଥିଯୋଗୁ ହୀରାକୁଦରେ ଶୀଘ୍ର ନଦୀବନ୍ଧ ନିର୍ମାଣ ହେବ ।

 

ସ୍ଵାଧୀନତା ଆଗରୁ ଗଭର୍ଣ୍ଣର ହର୍ଥର୍ଣ୍ଣ ଲୁଇସ ୧୯୪୬ରେ ହୀରାକୁଦ ନଦୀବନ୍ଧ ଯୋଜନାର ଶୁଭ ଦେଇ ସାରିଥିଲେ । ହୀରାକୁଦ ବନ୍ଧ ବିରୋଧୀ କମିଟି ତରଫରୁ ମହୀଶୂରର ଅବସର ପ୍ରାପ୍ତ ଚିଫ୍‌ ଇଞ୍ଜିନିୟର ରଙ୍ଗେୟା ସାହେବଙ୍କୁ ୧୯୪୬ ମସିହାରେ ଡକା ଯାଇଥିଲା । ରଙ୍ଗେୟା ସାହେବ ରିପୋର୍ଟରେ ଉଲ୍ଲେଖ କଲେ, ଯେ ବନ୍ଧ ନିର୍ମାଣ ସକାଶେ ହୀରାକୁଦ ଉପଯୁକ୍ତ ସ୍ଥାନ ନୁହେଁ । ସେ ଟିକରପଡ଼ା ଅଞ୍ଚଳ ଓ ନରାଜ ଅଞ୍ଚଳ ମଧ୍ୟ ବୁଲି ଦେଖିଥିଲେ । ତାଙ୍କ କଥା କିଏ ଶୁଣୁଛି ? ଯାହା ଜଣାପଡୁଛି, ସରକାରଙ୍କ ଉପରେ ରଙ୍ଗେୟା ରିପୋର୍ଟର କିଛି ବି ପ୍ରଭାବ ପଡ଼ିଲା ନାହିଁ ।

 

୧୨ ନଭେମ୍ବର ୧୯୪୭ରେ ଲକ୍ଷେରୁ ଉର୍ଦ୍ଧ୍ୱ‌ଲୋକ ହୀରାକୁଦ ବନ୍ଧ ବିରୋଧରେ ଆନ୍ଦୋଳନ କରୁଥିଲେ ଓ କେତେକ ଗିରଫ ହୋଇଥିଲେ । ଗଭର୍ଣ୍ଣର ନିଜେ ସର୍କିଟ ହାଉସରୁ ଲୋକଙ୍କ ଲମ୍ବା ଧାଡ଼ି ଦେଖିଛନ୍ତି । ଅନେକ ସ୍ତ୍ରୀଲୋକ କାଖରେ ପିଲା ଧରି, ଗର୍ଭବତୀ ସ୍ତ୍ରୀ, ଯୁବତୀ, ବୃଦ୍ଧା ଧାଡ଼ିରେ ଚାଲିଥିଲେ । ସମ୍ବାଦପତ୍ରରେ ଏହି ସମ୍ବାଦ ପ୍ରକାଶିତ ହୋଇଥିଲା । ସରକାର ସ୍ଥିର କରିସାରିଛନ୍ତି, ଯେମିତି ହେଲେ ହୀରାକୁଦଠାରେ ମହାନଦୀରେ ବନ୍ଧ ବାନ୍ଧିବେ ।

 

ସମସ୍ତେ ମନଦେଇ ଶୁଣୁଥାନ୍ତି ଚେମାକୁ । ସମସ୍ତଙ୍କ ମନରେ ଗୋଟିଏ ଆଶଙ୍କା । ନଦୀବନ୍ଧ ହେଲେ ସମସ୍ତେ ବିସ୍ଥାପିତ ହେବେ । କୁଆଡ଼େ ଯିବେ ସେମାନେ ?

 

ଚେମା କହିଚାଲିଥାଏ, ‘‘ଆମର ଗାଁ ଜାମଡ଼ା ବୁଡ଼ିବ । ଠିକ ଜାମଡ଼ା ପାଖରେ ବନ୍ଧ ତିଆରି ହେବ । ସେମାନେ କୁଆଡ଼େ ଯିବେ ? ମୋର ଶ୍ୱଶୁରଙ୍କ ଗାଁ ସାପଲହରା ବୁଡ଼ିଯିବ । ବିଦ୍ୟାଧରର ଶ୍ୱଶୁରଙ୍କ ଗାଁ ତିହୁରା ବି ବୁଡ଼ିଯିବ । ସେମାନେ ସମସ୍ତେ କୁଆଡ଼େ ଯିବେ ? ମୋତେ ଏମାନଙ୍କ ବିଷୟରେ ଭାବିଲାବେଳକୁ ଚାରିଆଡ଼େ ଅନ୍ଧାର ଦିଶୁଛି । ଆସନ୍ତା କଛି ବଷ ଭିତରେ ସମସ୍ତଙ୍କୁ ଘର ଛାଡ଼ିବାକୁ ହେବ ।’’

 

ଚେମା ଭୁଲକା ଗୌନ୍ତିଆଙ୍କଠୁ ଯାହା ଶୁଣିଥିଲା, ସବୁ କହିଦେଲା । ବିପଦ, ଆପଦ ସମୟରେ ଚେମା ଓ ଅନ୍ୟମାନେ ଭୁଲକା ଗୌନ୍ତଆ ପାଖକୁ ଯାଆନ୍ତି ।

x            x            x            x            x            x

 

ଠିକ୍‌ ତା’ପରଦିନ ବୁଧବାର ଥିଲା । ଚେମା କାମରୁ ଘରକୁ ଫେରିଥାଏ । ଘରକୁ ଗୋଟିଏ ଚିଠି ଆସିଥାଏ । ସେ ପାଠ ପଢ଼ି ନଥିଲା । ଚିଠିରେ କ’ଣ ଲେଖା ହୋଇଛି ପଢ଼ିନପାରି ବିଦ୍ୟାଧର ଘରକୁ ଗଲା ।

 

ବିଦ୍ୟାଧର ଫେରି ନଥିଲା । ଅପେକ୍ଷା କଲା । ପାଞ୍ଚ ମିନିଟରେ ବିଦ୍ୟାଧର ଘରକୁ ଫେରିଲା । ତାହାର ବି ଗୋଟିଏ ଚିଠି ଆସିଥାଏ । ବିଦ୍ୟାଧର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲା । ଗୋଟିଏ ଗୋଟିଏ କରି ଦୁଇଟି ଯାକ ଚିଠି ବିଦ୍ୟାଧର ଖୋଲିଲା । ଚିଠିଟିରେ ଯେଉଁ ନମ୍ବର ଓ ତାରିଖ ଥିଲା, ସେଇଟା ପନ୍ଦର ଦିନ ଆଗର ତାରିଖ । ସେମାନଙ୍କୁ ପୂର୍ବରୁ ନିର୍ଦ୍ଦିଷ୍ଟ ତାରିଖ ଭିତରେ ଘର ଛାଡ଼ିବାକୁ କୁହାଯାଇଥିଲା । ଆଉ ଦୁଇଦିନ ଭିତରେ ସେହି ନିର୍ଦ୍ଦିଷ୍ଟ ତାରିଖ ଉପନୀତ ହେଉଥିବାରୁ ତାଙ୍କୁ ଶୀଘ୍ର ଘର ଛାଡ଼ିବାକୁ ପୁନର୍ବାର କୁହାଯାଇଥିଲା । ଚିଠିତ ନୁହେଁ ଦୁହିଁଙ୍କ ମୁଣ୍ଡରେ ସତେ ଯେମିତି ବିଜୁଳି ଚଡ଼କ ପଡ଼ିଲା ।

 

ଦେଖୁ ଦେଖୁ ନିରଞ୍ଜନ, ରତନ, ବ୍ରଜ, ବେନିଭୁଜ ନିଜ ନିଜ ନୋଟିସ ଧରି ସେଇଠିକି ଆସିଲେ । ସମସ୍ତଙ୍କ ନୋଟିସରେ ସେଇ ଗୋଟିଏ ତାରିଖ ପଡ଼ିଛି । ସମସ୍ତେ ଦୁଇଦିନ ଭିତରେ ଘର ଖାଲି କରିବାକୁ ହେବ । ସେହିଦିନ ସନ୍ଧ୍ୟାରେ ପୁଲିସ କନଷ୍ଟେବଲ ପହଞ୍ଚିଗଲା । ପୁଲିସ କନଷ୍ଟେବଲ ଆସି ସେହି କଥା କହିଲା । ଦୁଇଦିନ ଭିତରେ ଘର ଖାଲି କରିବାକୁ ହେବ । ସେମାନେ ପ୍ରଶ୍ନ କଲେ, କୁଆଡ଼େ ଯିବେ ? କେହି ଉତ୍ତର ଦେବାକୁ ନାହାନ୍ତି ।

 

ତାଙ୍କ ଘର ଓ ଜମିରେ କୁଆଡ଼େ ହୀରାକୁଦ ଓ୍ୱାର୍କସପ ନିର୍ମିତ ହେବ । ସେମାନଙ୍କର ସମସ୍ତଙ୍କ ମିଶି ୨୭ ଏକର ୭୬ ଡିସିମିଲ ଜମିଥିଲା । ହଠାତ୍‌ ବିନା କ୍ଷତିପୂରଣ ଦେଇ ଦୁଇଦିନ ଭିତରେ ଘର ଖାଲି କରିବାକୁ ସରକାର ଆଦେଶ ଦେଇଛନ୍ତି । ଗରିବ ହେଲେ କ’ଣ ହେଲା ସେମାନେ ସୁଖରେ ଥିଲେ ।

 

x            x            x            x            x            x

 

ଚେମା ସେହିଦିନ ସନ୍ଧ୍ୟାରେ, ବୈଦେହୀକୁ କିଛି ନକହି ଶୋଇପଡ଼ିଲା । କାଳେ ବୈଦେହୀ ରାତିଯାକ ଶୋଇପାରିବ ନାହିଁ, ଏହା ଚିନ୍ତା କରି ଚେମା କିଛି କହିଲା ନାହିଁ ।

 

ଚେମା ସକାଳୁ ଉଠି କହିଲା, ‘‘ସାବିତ୍ରୀର ମା’, ଚାଲ ଘରୁ ବାହାର । ଆମକୁ ଘର ଖାଲି କରିବାକୁ ପଡ଼ିବ।’’

 

ବୈଦେହୀ କହିଲା, ‘‘ସକାଳୁ ସକାଳୁ କାହିଁକି ମନଗଢ଼ା ଗୁଡ଼ାଏ ମିଛକଥା କହୁଛ । ବୋଧହୁଏ କେଉଁ ଗୁଣିଆ ତୁମକୁ ଗୁଣି କରିଛି । ଘର ଖାଲି କରି ଦିଅ କହୁଛ । କାହିଁକି ପାଗଳଙ୍କ ଭଳି ଏ କଥା କହୁଛ ?’’

 

ଚେମା କହିଲା, ‘‘ମୁଁ ସତ କହୁଛି, ବୈଦେହୀ । ଆମକୁ ନୋଟିସ ଆସିଛି ଦୁଇଦିନ ଭିତରେ ଘର ଖାଲି କରିବା ସକାଶେ ।’’ ଆମ ଜମିରେ ହୀରାକୁଦ ଓ୍ୱାର୍କସପ ତିଆରି ହେବ । ସରକାର ଏଇଠି ପାଖରେ ମହାନଦୀରେ ବନ୍ଧ ବାନ୍ଧିବେ । ଜାମଡ଼ା ଗାଁ ପାଣିରେ ବୁଡ଼ିଯିବ ।’’

 

‘‘ଆମେ କୁଆଡ଼େ ଯିବା ?’’ ବୈଦେହୀ ପ୍ରଶ୍ନ କଲେ ।

‘‘କେବଳ ଦୁଇଦିନ ଭିତରେ ଘର ଖାଲି କରିବା ପାଇଁ ଲେଖାଅଛି । ନିର୍ଦ୍ଦିଷ୍ଟ ତାରିଖରୁ ଘର ଖାଲି କରିବା । ଆମେ କେଉଁଠିକି ଯିବା ? ଆମର ଘର କହିଲେ, ଏଇ କୁଡ଼ିଆ । ମୋର ବାପା କେବେଠୁ ଆରପାରିକୁ ଗଲେଣି । ମୋର ବାପାଙ୍କ ମୁଁ ଗୋଟିଏ ବୋଲି ପୁଅ ଥିଲି । ଯଦି ଯିବା ତାହାହେଲେ ତୁମ ବାପାଙ୍କ ଘରକୁ ଯିବା । ସାପଲହରା

ଗାଁକୁ ଯିବା । ତା’ପରେ ଦେଖିବା, ଭାଗ୍ୟ ଆମକୁ କୁଆଡ଼େ ନେଉଛି ।’’

 

ୟା’ ଭିତରେ ସାବିତ୍ରୀର ନିଦ ଭାଙ୍ଗିଯାଇଛି । ସାବିତ୍ରୀ ଉଠିଲା ମାତ୍ରେ ତା’ ଝିଅ ଗୁରୁବାରୀକୁ ଧରିଲା ଓ ଗେଲକଲା । ସେ କେଉଁଠୁ ଜାଣିଛି, ଯେ ଘର ଖାଲି କରିବା ପାଇଁ ନୋଟିସ ଆସିଛି ।

 

ସେ ପାଟି କଲା, ‘‘ବାପା, ଗୁରୁବାରୀ ଦାଦା ପାଖକୁ ଯିବ କହୁଛି ।’’

ଚେମା କହିଲା, ‘‘ମା’ ସାବିତ୍ରୀ, ଚଞ୍ଚଳ ବାହାରି ପଡ଼ । ତୋର ଅଜା ଘରକୁ ‘ସାପଲହରା’ ଯିବା । ଗୁରୁବାରୀକୁ ମୋତେ ଦେ । ଏ ଘର ଖାଲି କରିଦେବା ।’’

 

‘‘କାହିଁକି ବାପା, ଏ ଘର ଖାଲି କାହିଁକି କରିବା ? ଅଜା ଘରକୁ ଯିବା । ଠିକ୍ଅଛି ।

ଏଇ ଘର କାହିଁକି ଖାଲି କରିବା ?’’

 

‘‘ତୁ ବୁଝିବୁ ନାହିଁ । ତୋ ମା’ ତ ବୁଝିପାରିଲା ନାହିଁ । ତୁ ଚଞ୍ଚଳ ବାହାରିପଡ଼ । ଗୁରୁବାରୀକୁ ମୋତେ ଦେ । ଗୁରୁବାରୀ ବି ଆମ ସାଙ୍ଗରେ ଯିବ ।’’ ଚେମା କହିଲା ।

 

‘‘ବାପା, ଆମ ସଙ୍ଗେ ମୋର ସାଙ୍ଗମାନେ ଯିବେ ? ନିରଞ୍ଜନ କାକାର ଝିଅ ପୂଜା ଯିବ ? ସୁଜାତା, ମାଧୁରୀ, ରାନୀ ଯିବ ? ’’ ସାବିତ୍ରୀ ପ୍ରଶ୍ନ କଲା ।

 

‘‘ବୈଦେହୀ, ସାବିତ୍ରୀ ଯେଉଁ ପ୍ରଶ୍ନ କରୁଛି, ମୋ ପାଖରେ ତା’ର ଉତ୍ତର ନାହିଁ । ମୁଁ ଯଦି କହୁଛି, ସେମାନେ ଆଜି ଆମ ସଙ୍ଗେ ଯିବେନାହିଁ, ପୁଣି ସେ ପ୍ରଶ୍ନ କରିବ । କାହିଁକି ଯିବେ ନାହିଁ ? ମୁଁ କ’ଣ ଉତ୍ତର ଦେବି ? ତୁମେ ତାହାକୁ ବୁଝେଇ ଦିଅ । ସେ ଚଞ୍ଚଳ ବାହାରୁ ।’’ ଚେମା କହିଲା ।

 

ଏତିକି କହି ଚେମା ଗଲା ଦୁଇଟି ଶଗଡ଼ ଯୋଗାଡ଼ କରିବାକୁ । ନିରଞ୍ଜନ ଓ ରତନକୁ କହି ତାଙ୍କର ବଳଦ ଓ ଶଗଡ଼ ଆଣିଲା । ଚେମା ପାଖରେ ଏତେ ଟଙ୍କା, ପଇସା ନଥିଲା । ବ୍ରଜ ପାଖରୁ ଦଶଟଙ୍କା ଧାର କଲା । ସବୁ ଜିନିଷ ଶଗଡ଼ରେ ରଖିଲା । ଅନ୍ୟ ଶଗଡ଼ରେ ବୈଦେହୀ ଓ ସାବିତ୍ରୀ ଦୁହେଁ ବସିଲେ । ସାବିତ୍ରୀ ଗୁରୁବାରୀକୁ ଘର ଭିତରେ ଛାଡ଼ି ଆସିଥିଲା । ପୁଣିଥରେ ଘରକୁ ପଶି ଗୁରୁବାରୀକୁ ଆଣିଲା । ଚେମା ବି ଶଗଡ଼ରେ ବସିଲା ।

 

ଚେମା ଘରକୁ ପଡ଼ାର ସମସ୍ତେ ଆସିଲେ । ନିରଞ୍ଜନର ଝିଅ ପୂଜା, ସୁଜାତା, ରାନୀ, ମାଧୁରୀ ଆସିଲେ । ରତନ, ବ୍ରଜ, ନିରଞ୍ଜନ, ବିଦ୍ୟାଧର, ବେନିଭୁଜ, ତାଙ୍କ ସ୍ତ୍ରୀମାନେ ଓ ଅନ୍ୟ ସମସ୍ତେ ଆସିଲେ ।

 

ବ୍ରଜ କହିଲା, ‘‘ଚେମା, ଆଜି କାହିଁକି ଯାଉଛ । ଆମେ କାଲି ଯିବୁ । ଆମ ସଙ୍ଗେ ତୁମେ କାଲି ଯାଇଥିଲେ ଭଲ ହୋଇଥାନ୍ତା ।’’

 

ଚେମା ଶଗଡ଼ରୁ ଓହ୍ଲେଇ ସମସ୍ତଙ୍କୁ ନମସ୍କାର କଲା । ଶଗଡ଼ ଆଗ ପଛ ହୋଇ ଗଡ଼ିଲା ଆଗକୁ ଆଗକୁ । ଚେମା ଆଖିରୁ ଲୁହ ଗଡ଼ିଚାଲିଲା ।

 

ଚେମା ଦେଖୁଥାଏ, ସାବିତ୍ରୀ ଓ ବୈଦେହୀ ଦୁହେଁ କାନ୍ଦୁଥାନ୍ତି । ସେମାନେ ସବୁଦିନ ପାଇଁ ଜାମଡ଼ା ଗାଁରୁ ବିଦାୟ ନେଲେ ।

 

x            x            x            x            x            x

 

ବିନା କ୍ଷତିପୂରଣରେ ସେମାନେ ନୋଟିସ ମିଳିବାର ଦୁଇଦିନ ଭିତରେ ଘର ଛାଡ଼ିଲେ । ଚେମା ଘର ଛାଡ଼ିଲା ଏପ୍ରିଲ ୧ ତାରିଖ ୧୯୪୮ରେ । ବାକି ସମସ୍ତେ ଘର ଛାଡ଼ିଲେ ଏପ୍ରିଲ ୨ ତାରିଖରେ । କୌଣସି ସଭ୍ୟ ଦେଶରେ ଏହିପରି ଘଟଣା ଦେଖିବାକୁ ପ୍ରାୟତଃ ମିଳେନାହିଁ ।

 

ବର୍ଷେ ପର୍ଯ୍ୟନ୍ତ ଚେମା, ନିରଞ୍ଜନ, ବିଦ୍ୟାଧର ଓ ଅନ୍ୟମାନେ ଚବିଶଟି ଦଳିତ ପରିବାର ‘ସମ୍ବଲପୁର କ୍ଷତିପୂରଣ ଅଫିସ’କୁ ଅନେକଥର ଦଉଡ଼ା ଦଉଡ଼ି କରିବା ପରେ, ୧୯୪୯ ଏପ୍ରିଲ ୧୪ ତାରିଖରେ ତାଙ୍କୁ କ୍ଷତିପୂରଣ ମିଳିଥିଲା । ସେମାନେ ୨୭ ଏକର ୭୬ ଡିସିମିଲ ଜମି ପାଇଁ କ୍ଷତିପୂରଣ ପାଇଲେ ମୋଟ ପାଞ୍ଚଶହ ଉଣେଇଶ ଟଙ୍କା ପାଞ୍ଚଅଣା । ଏକରକୁ ଅଠର ଟଙ୍କା ବାରଅଣା । ଏହା ୧୧ ଅକ୍ଟୋବର ୧୯୪୯ରେ ପ୍ରଶ୍ନୋତ୍ତରଭାବେ ବିଧାନସଭା ବିବରଣୀରେ ସ୍ଥାନିତ ହୋଇଛି ।

 

‘‘ଏକଥା କ’ଣ ସତ ଯେ ଜମି ଡିସିମିଲ ତିନିଅଣା ହିସାବରେ କ୍ଷତିପୂରଣ ଦିଆଯାଇଛି ।’’ ଜଣେ ବିଧାୟକଙ୍କ ଏହି ପ୍ରଶ୍ନର ଉତ୍ତର ଦେଇଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ, ‘‘ନିଶ୍ଚୟ, ମୋ ପାଖରେ ଯାହା ଖବର ଅଛି, ଏ କଥାଟି ଠିକ ।’’ ଏହା ବିଧାନସଭା ବିବରଣୀରେ ସ୍ଥାନିତ ହୋଇଛି-

 

ହୀରାକୁଦ ବିସ୍ଥାପିତଙ୍କୁ ଜମିର କ୍ଷତିପୂରଣ ଡିସିମିଲ ତିନିଅଣା ହିସାବରେ ଦିଆଯାଇଥିଲା-। ଏହା ବିଶ୍ଵାସଯୋଗ୍ୟ ନୁହେଁ, କିନ୍ତୁ ନିରାଟ ସତ୍ୟ । ଧନ୍ୟ ସେ ଅଫିସର ଯେ କି ସମ୍ବଲପୁରରେ ଜମିର ମୂଲ୍ୟ ଏକ ଡିସିମିଲକୁ ତିନିଅଣା ବୋଲି ଠିକ କଲେ ।

 

ଚେମା କାଲୋ କ୍ଷତିପୂରଣ ଅଫିସରେ କହିଲା, ‘‘ଆମେ ଜମି ଡିସିମିଲ ତିନିଅଣା ହିସାବରେ କ୍ଷତିପୂରଣ ନେବୁ କାହିଁକି ?’’ ସମ୍ବଲପୁରକୁ ଥରକୁ ଥର ଆସି ସେମାନେ ଅନେକ ଖର୍ଚ୍ଚ କଲେ, ଅଥଚ ଜମି ଡିସିମିଲ ତିନିଅଣା ହିସାବରେ କ୍ଷତିପୂରଣ ପାଇଲେ । ୨୭ ଏକର ୭୬ ଡିସିମିଲ ଜମିପାଇଁ କ୍ଷତିପୂରଣ ପାଇଲେ ମୋଟ ପାଞ୍ଚଶହ ଉଣେଇଶ ଟଙ୍କା ପାଞ୍ଚ ଅଣା ।

 

ଚେମା ତା’ର ଅଧ ଏକର ୪ ଡିସିମିଲ ଜମିପାଇଁ ନଅଟଙ୍କା ଚାରିଅଣା କ୍ଷତିପୂରଣ ପାଇଲା । ଘର ପାଇଁ କ୍ଷତିପୂରଣ ମିଳିଲା ନାହିଁ । ରାସ୍ତାରେ ଆସିଲାବେଳକୁ ଚାରିଅଣା ଖର୍ଚ୍ଚ କରିଦେଇଥିଲା । ବାକି କ୍ଷତିପୂରଣ ଟଙ୍କା ବୈଦେହୀକୁ ଦେଲା ।

 

ଚେମାର ଶ୍ଵଶୁର ପୁରୁଷୋତ୍ତମ ଭାରି ପରିଶ୍ରମୀ । ବୟସ ୫୫ ବର୍ଷ । ଗୋଟିଏ ବୋଲି ଝିଅ ବୈଦେହୀ । ସେଥିଯୋଗୁଁ ଚେମା ପ୍ରସ୍ତାବ ଦେଲା ଯେ ସେମାନେ ଶ୍ଵଶୁର ଘରକୁ ଯିବେ । ଯେ ଯା’ କହନ୍ତୁ, ଚେମା ଶ୍ଵଶୁର ଘରକୁ ଯିବ । ତାଙ୍କର ଜେଜେବାପାଙ୍କ ଜେଜେବାପା ଅମଳରୁ ପୁରୁଷୋତ୍ତମ ସାପଲହରା ଗାଁରେ ରହିଆସୁଛନ୍ତି । ପକ୍କାଘର ଅଛି । ଜମି ଛଅ ଏକର ଅଛି । ଏଇଥିରୁ ଭଲ ବାହାଲ ଜମି ତିନି ଏକର । ବାକି ଜମି ଅଢ଼େଇ ଏକର ଆଟ ଜମି । ଜମିରୁ ପୁରୁଷୋତ୍ତମ ଚାଉଳ, ମୁଗ, ବିରି ଆଦି ସବୁ ଫସଲ ଆଦାୟ କରନ୍ତି । ଘର ପାଖରେ ଅଛି ଅଧଏକର, ଯେଉଁ ଜମିରୁ ବର୍ଷସାରା ଘର ପାଇଁ ପନିପରିବା ମିଳିଯାଏ ।

 

ବୈଦେହୀକୁ ଛାଡ଼ିଦେଲେ, ସାବିତ୍ରୀ ଓ ଚେମାକୁ ଏହି ଗାଁ ଭଲ ଲାଗୁନାହିଁ । ବୈଦେହୀ ତ ଆଗରୁ ଗାଁରେ ଥିଲା I ବାହା ହେବା ପୂର୍ବରୁ ୧୫ବର୍ଷ ଏହି ଗାଁରେ ରହିଛି । ସାବିତ୍ରୀ ଦଶହରାବେଳକୁ ନିଶ୍ଚିତଭାବେ ପ୍ରତ୍ୟେକ ବର୍ଷ ଆସୁଥିଲା । ଏହି ଗାଁକୁ ଅନେକଥର ଆସିଛି, ରହିଛି-

 

କିନ୍ତୁ ସାବିତ୍ରୀକୁ କାହିଁକି ଏ ଗାଁ ଭଲ ଲାଗୁନାହିଁ ! ଏଇଠି ତାହାର କେହି ସାଙ୍ଗ ନାହାନ୍ତି । ଏଇଠି ପୂଜା ନାହିଁ । ସୁଜାତା, ରାନୀ, ମାଧୁରୀ କେହି ଏହି ଗାଁରେ ନାହାନ୍ତି । ଆଗରୁ ସାବିତ୍ରୀ ତୃତୀୟ ଶ୍ରେଣୀରେ ପଢୁଥିଲା । ଏବେ ପାଠପଢ଼ାରେ ପୁର୍ଣ୍ଣଚ୍ଛେଦ ପଡ଼ିଲା । ସାବିତ୍ରୀକୁ ନୂଆ ସାଙ୍ଗ ଖୋଜିବାକୁ ହେବ ।

 

ଚେମାର ଅବସ୍ଥା ବି ସେଇଆ । ଏହି ପରିସ୍ଥିତିରେ ଚେମା ନିଜକୁ ଖାପ ଖୁଆଇ ପାରୁନାହିଁ-। ଏଇ ଗାଁରେ ତା’ର ଜଣେ ହେଲେ ସାଙ୍ଗ ନାହାନ୍ତି । ନୂଆ ସାଙ୍ଗ ଖୋଜିବାକୁ ହେବ । କେତେଦିନ, କେତେ ବର୍ଷ ଏଇଠି ରହିବ କିଛି ଠିକ ନାହିଁ । ଅନିଶ୍ଚିତତା ମଧ୍ୟରେ ଗତି କରୁଛି ସେ ।

 

ଚେମା ତା’ର ଶ୍ଵଶୁର ସଙ୍ଗେ ଯାଇ ତାଙ୍କର ଜମି ସବୁ ଦେଖି ଆସିଛି । ଏହି ଜମି ମଧ୍ୟ ଆଉକିଛି ବର୍ଷ ପରେ ବୁଡ଼ିବ । ଏଇଠି ରହିଗଲେ, ଲୋକେ ତାକୁ କହିବେ ଘରଜୁଆଇଁ । ଲୋକେ ଯାହା କହନ୍ତୁ, ତାକୁ ଏଇ ଗାଁରେ ରହିବାକୁ ହେବ । ପୁରୁଷୋତ୍ତମ ଖୁସିରେ ଅଛନ୍ତି । ତାଙ୍କ ପାଖରେ ଜୁଆଇଁ ରହିଲେ, ତାଙ୍କୁ ସାହାଯ୍ୟ କରିବ । ଶ୍ଵଶୁର ସେପାରିକୁ ଗଲେ, ତାଙ୍କ ସମ୍ପତ୍ତି ସବୁ ଚେମାକୁ ମିଳିବ । ଏବେଠୁ ଚେମା ତାଙ୍କୁ ସାହାଯ୍ୟ କଲେ ଭଲ ।

 

ଚେମା ବି ଭାରି ପରିଶ୍ରମୀ ।

x            x            x            x            x            x

‘‘ତୁମ ଘର କେଉଁଠି ?’’ ସାବିତ୍ରୀକୁ ପ୍ରଶ୍ନ କଲା ଅଞ୍ଜନା ।

ସାବିତ୍ରୀ ଚୁପ୍‌ ରହିଲା, କିଛି ଉତ୍ତର ଦେଇପାରିଲା ନାହିଁ । ସତରେ ତା’ ଘର କେଉଁଠି ? ତା’ର ଠିକଣା ?

ବହୁକଷ୍ଟରେ ଉତ୍ତର ଦେଲା, ‘‘ଆମେ ଏଇଠିକି ଆସିଛୁ । ଏଇ ସାପଲହରାରେ ରହିବୁ । ମୋ ଅଜା, ଆଉ ସଙ୍ଗେ ରହିବୁ । ଆମକୁ ସରକାର ତଡ଼ିଦେଲେ । ଆମେ ଜାମଡ଼ା ଗାଁରେ ଥିଲୁ । ଆମକୁ ଦୁଇଦିନର ନୋଟିସ ଦେଲେ, ଘର ଖାଲି କରିବାକୁ ।’’ ସାବିତ୍ରୀ କାନ୍ଦିଲା ।

ମାମି ପ୍ରଶ୍ନ କଲା, ‘‘ଏଇଠି ତୁମକୁ ଭଲ ଲାଗୁନାହିଁ ?’’

ସାବିତ୍ରୀ କହିଲା, ‘‘ନା, ମୋର ସାଙ୍ଗମାନେ କିଏ କୁଆଡ଼େ ଗଲେ, ମୁଁ ଜାଣିନାହିଁ । ପୂଜା, ସୁଜାତା ରାନୀ ସମସ୍ତେ ପଳେଇଲେ ଜାମଡ଼ା ଗାଁରୁ । ଆମେ ସମସ୍ତେ ଏକା ସଙ୍ଗେ ରହୁଥିଲୁ । ସମସ୍ତଙ୍କୁ ନୋଟିସ ଆସିଲା ଘର ଛାଡ଼ିବା ପାଇଁ । ଆମକୁ ଟିକିଏ ବି ଭାବିବା ପାଇଁ ସମୟ ଦିଆଗଲା ନାହିଁ । ମୋର ସାଙ୍ଗମାନେ କିଏ କୁଆଡ଼େ ପଳେଇଲେ, ମୁଁ ଜାଣିନାହିଁ । ମୋର ବାପା ଜାଣିଥିବେ । ମୁଁ ଏତିକି ଜାଣେ, ଆମର ଘର ପାଇଁ କିଛି କ୍ଷତିପୂରଣ ପଇସା ମିଳିଲା ନାହିଁ । ଜମି ପାଇଁ ଯାହା ପଇସା ମିଳିଲା, ସେଇଆ କିଛି ନୁହେଁ । ଏକ ଡିସିମିଲ ଜମିକୁ ତିନିଅଣା ହିସାବରେ କ୍ଷତିପୂରଣ ମିଳିଲା ବୋଲି ମୋ ବାପା କହୁଥିଲେ ।”

ମାମି, ଅଞ୍ଜନା ଦୁହେଁ ସାବିତ୍ରୀ ପାଖକୁ ଆସିଲେ । ମାମି କହିଲା, “ଛାଡ଼ ସେକଥା । ଆସ, ଆମେ ସାଙ୍ଗ ହେବା । ଅଞ୍ଜନା, ତୁମେ ସାବିତ୍ରୀକୁ ନେଇ ଆମ ଘରକୁ ଆସ । ଆମ ଘରକୁ ଚାଲଯିବା । ସେଇଠି ଖେଳିବା ।”

 

ମାମି କହିଲା, “ତୁମେ ଆମ ସଙ୍ଗେ ଖେଳ । ଆସ୍ତେ ଆସ୍ତେ ସାପଲହରା ଗାଁ ଭଲ ଲାଗିବ । ଏଇ ଗାଁ ଭାରି ଭଲ । ଏଇଠି ଲୋକେ ବି ଭାରି ଭଲ ।”

 

ତିନିହେଁ ଚାଲିଲେ ମାମି ଘରକୁ । ମାମି ବି ସେଇ ସାବିତ୍ରୀ ବୟସର । ଆଠବର୍ଷ ହେବ ମାମିକୁ । ଅଞ୍ଜନା ଟିକିଏ ସାନ ହୋଇପାରେ । ଅଞ୍ଜନା ସାବିତ୍ରୀଠୁ ଦୁଇମାସ ପାଖା ପାଖି ସାନ ।

 

ମାମିର ବଡ଼ଭାଇ ସତ୍ୟପାଳ ମାମିଠୁ ଚାରିବର୍ଷ ବଡ଼ । ସତ୍ୟପାଳ ସପ୍ତମ ଶ୍ରେଣୀ ପାସ୍‌ କରିଛି । ସପ୍ତମରେ ଭଲ ନମ୍ବର ରଖିଛି । ସତ୍ୟପାଳ ଠିକ୍‌ କରିଛି, ଆସନ୍ତା ବର୍ଷ ସମ୍ବଲପୁର ଜିଲ୍ଲା ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ିବ ।

 

ମାମି ସାବିତ୍ରୀକୁ ସତ୍ୟପାଳ ଓ ମା’ ସହିତ ପରିଚୟ କରେଇଦେଲା ।

‘‘ଇଏ ହେଉଛି ସାବିତ୍ରୀ । ପୁରୁଷୋରମ ଅଜାଙ୍କ ନାତୁଣୀ । ଚେମା କକାଙ୍କ ଝିଅ । ଦୁଇଦିନ ହେଲା ଏମାନେ ଏଇ ଗାଁକୁ ଆସିଛନ୍ତି ।”

 

“ମାମି, ସକାଳୁ ତୁ କାହିଁ ଜଳଖିଆ ଖାଇନୁ । କୁଆଡ଼େ ଯାଇଥିଲୁ, ମା । ସାଙ୍ଗମାନଙ୍କୁ ବି ଦେ ।” ଏତିକି କହି ମାମିର ମା’ ଗୋଟିଏ ଚାଙ୍ଗୁଡ଼ିରେ ମୁଢ଼ି ଭର୍ତ୍ତି କଲେ ଓ ସେମାନଙ୍କୁ ଦେଲେ । ସତ୍ୟପାଳକୁ ଅନ୍ୟ ଏକ ଛୋଟ ଚାଙ୍ଗୁଡ଼ିରେ ଖାଇବାକୁ ଦେଲେ ।

 

ସେମାନେ ଏଇ ସାପଲହରା ଗାଁକୁ ଆସିବା ପରେ ତିନିବର୍ଷ ବିତିଗଲାଣି । ଘର ଭିତର ବାରଣ୍ଡାରେ ତିନିହେଁ ଖାଇବାକୁ ବସିଛନ୍ତି । ପୁରୁଷୋତ୍ତମ, ଚେମା ଓ ସାବିତ୍ରୀ । ସାବିତ୍ରୀ ଗୁରୁବାରୀକୁ ପାଖରେ ବସେଇଛି । ବୈଦେହୀ ତିନିଜଣଙ୍କୁ ତିନିକଂସା ପଖାଳ ବାଢ଼ିଦେଲା । ପଖାଳ ସାଙ୍ଗରେ ପାତଳଘଣ୍ଟା, ବଡ଼ିଭଜା, ଶାଗ, ଲୁଣ, ଲଙ୍କାମରିଚ ସବୁ କିଛି । ସାବିତ୍ରୀ ତା’ ଝିଅ ଗୁରୁବାରୀକୁ ନ ଖୁଆଇଲେ ଖାଏନାହିଁ । ପ୍ରଥମେ ପୁରୁଷୋତ୍ତମ ବସିଛନ୍ତି, ତାଙ୍କ ପାଖରେ ସାବିତ୍ରୀ, ତା’ ପାଖରେ ଚେମା ।

 

ବୈଦହୀକୁ ପସନ୍ଦ ଆସୁନାହିଁ ଖାଇବାବେଳେ ଗୁରୁବାରୀ ସାଙ୍ଗରେ ବସିବା । ବୈଦେହୀ ସବୁ ବାଢ଼ି ସାରିବା ପରେ ପୁତୁଳାଟି କାଢ଼ି ନେଲା । ସାବିତ୍ରୀ ରାଗିଯାଇ ପାଟିକଲା, ‘‘ମୋର ଝିଅ ଗୁରୁବାରୀକୁ କାହିଁକି ନେଉଛ ? ସେ କ’ଣ ଭୋକରେ ରହିବ ?’’ ସାବିତ୍ରୀ ନ ଖାଇ ଉଠିଗଲା ।

 

ପୁରୁଷୋତ୍ତମ କହିଲା, ‘‘ମା’ ସାବିତ୍ରୀ, ମୋ ସଙ୍ଗେ ଆଜି ଗୁରୁବାରୀ ଖାଇବ । ମୋ ନାତୁଣୀ ନ ଖାଇଲେ ମୁଁ କେମିତି ଖାଇବି ? ମୋତେ ତ ରୁଚିବ ନାହିଁ । ଆଣ, ମୋତେ ଦିଅ ଗୁରୁବାରୀକୁ ।’’

 

ବୈଦେହୀ ବାଧ୍ୟ ହୋଇ ଗୁରୁବାରୀକୁ ଆଣି ରଖିଲା ପୁରୁଷୋତ୍ତମଙ୍କ ପାଖରେ । ସାବିତ୍ରୀ ଚୁପଚାପ ଆସି ବସିଲା ତା’ର ଅଜା ପାଖରେ । ସମସ୍ତେ ଖାଇବା ଆରମ୍ଭ କଲେ ।

 

ବୈଦେହୀ କହିଚାଲିଥାଏ, ‘‘କେଜାଣି, କାହିଁକି ଗୁରୁବାରୀ ମୋତେ ପସନ୍ଦ ଆସେନାହିଁ ।’’

‘‘ଗୁରୁବାରୀ ଆସିବା ଦିନଠୁ ଆମର ବିପତ୍ତି ଲାଗିରହିଛି । ସାବିତ୍ରୀକୁ ଏବେ ଏଗାର ବର୍ଷ ହେଲା, ଆଉ ଚାରିବର୍ଷ ପରେ ବାହାହେବ, ତଥାପି ଖେଳଣା ଛାଡ଼ିନାହିଁ । ତା’ର ଛୁଆଳିଆ ପ୍ରକୃତି ଏବେସୁଦ୍ଧା ଯାଇନାହିଁ । କ’ଣ ତା’ ଭାଗ୍ୟରେ ଅଛି କେଜାଣି ?’’

 

ଏ ଅଞ୍ଚଳରେ କୌଣସି ନୂଆ ପ୍ରକଳ୍ପ ଆଉ କାର୍ଯ୍ୟକାରୀ ହେଉନାହିଁ । ଆଉ ଅଳ୍ପ ବର୍ଷ ପରେ ଗାଁ ସବୁ ବୁଡ଼ିଯିବ । ବର୍ଷ ବର୍ଷ ଧରି ବିନା ମରାମତିରେ ରହିଲେ, ରାସ୍ତା ଯେମିତି ରହେ, ସେମିତି ଅଛି । ଗାଁ ସବୁ ବୁଡ଼ିବାକୁ, ସରକାର ସତେ ଯେମିତି ଅପେକ୍ଷାରେ ଅଛନ୍ତି ।

 

ସରକାର ବୁଡ଼ି ଅଞ୍ଚଳରେ ଆଦୌ ଖର୍ଚ୍ଚ କରିବାକୁ ଚାହାନ୍ତି ନାହିଁ । ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହେଉନାହିଁ । ଏହି ଅଞ୍ଚଳରେ ସତେ ଯେମିତି ମଣିଷ ରହୁନାହାନ୍ତି, ରହୁଛନ୍ତି ସବୁ ଜିଅନ୍ତା ଶବମାନେ-

 

କୌଣସି ନଦୀବନ୍ଧ ଯୋଜନା ହେବାପୁର୍ବରୁ, ଯୋଜନା ଭିତ୍ତିପ୍ରସ୍ତର ସ୍ଥାପନଠାରୁ ଯୋଜନାର ଶେଷ ପର୍ଯ୍ୟନ୍ତ ସେହି ଅଞ୍ଚଳରେ କୌଣସି ପ୍ରକାର ଉନ୍ନତିମୂଳକ କାର୍ଯ୍ୟ ବର୍ଷ ବର୍ଷ ଧରି ହୋଇପାରେ ନାହିଁ । ରାସ୍ତାଘାଟ ମରାମତି ନ ହୋଇ ସାଧାରଣ ଲୋକେ ହଇରାଣ ହୋଇଥାନ୍ତି । ବାକି ସବୁ ବି ତଦ୍ରୂପ । ବର୍ଷ ବର୍ଷ ଧରି ସେହି ଅବସ୍ଥାରେ ରହିଲେ ଅନେକ ଗ୍ରାମବାସୀ । ହୀରାକୁଦ ନଦୀବନ୍ଧ ଯୋଗୁଁ ଓଡ଼ିଶାରେ ୨୪୯ ଗାଁ ଓ ଛତିଶଗଡ଼ରେ ୩୬ଟି ଗାଁ ସେଇ ଅବସ୍ଥାରେ ରହିଲେ । ପୁରାପୁରି ବୁଡ଼ୁଥିବା ଗାଁ ଓ ଆଂଶିକ ବୁଡୁଥିବା ଗାଁ ସବୁ ମିଶି ଓଡ଼ିଶାରେ ୨୪୯ଟି ଥିଲା।

 

ବୁଡ଼ି ଅଞ୍ଚଳର ଗ୍ରାମବାସୀ ବର୍ଷ ବର୍ଷ ଧରି ଏହି ଦଶା ଭୋଗିଥିବେ । ଗାଁ ତ ବୁଡ଼ିବ, କୌଣସି ଉନ୍ନତିମୂଳକ କାର୍ଯ୍ୟ ନାହିଁ । ସାତବର୍ଷ ଉପରେ, ଏହି ଅଞ୍ଚଳର କିଛି କାମ ନ ହେବା ଏହା କେତେଦୂର ଯୁକ୍ତିଯୁକ୍ତ ?

 

ଗାଁର ସମସ୍ୟା ସମାଧାନ ପାଇଁ ସାପଲହରାର ବିଭିନ୍ନ ସମ୍ପ୍ରଦାୟର ମୁରବି ଲୋକଙ୍କୁ ନେଇ ଏକ ସଂଗଠନ କରାଯାଇଥିଲା । ସେଦିନ ସନ୍ଧ୍ୟାରେ ସଭାର ଆୟୋଜନ କରାଯାଇଥିଲା । ଗାଁର ଗୌନ୍ତିଆଙ୍କୁ ଅଧ୍ୟକ୍ଷତା କରିବା ସକାଶେ ଅନୁରୋଧ କରାଯାଇଥିଲା । ପୁରୁଷୋତ୍ତମ ମଧ୍ୟ ସେହି ସଭାରେ ନିମନ୍ତ୍ରିତ ଥିଲେ ।

 

ଚେମା ନିମନ୍ତ୍ରିତ ନହେଲେ ମଧ୍ୟ ଗାଁ ସମ୍ପର୍କରେ ଜାଣିବା ପାଇଁ ସଭାରେ ଯୋଗଦାନ କରିଥିଲା ।

 

ଗୌନ୍ତିଆ ଆରମ୍ଭରେ କହିଲେ, ‘‘ମୁଁ ଯାହା ଖବର ପାଉଛି, ବହୁତ ଜୋରରେ ନଦୀବନ୍ଧ କାମ ଚାଲିଛି । କାମ ସରିବାକୁ ବେଶି ସମୟ ଲାଗିବ ନାହିଁ । କେତେଜଣକୁ ଆମ ଅଞ୍ଚଳକୁ ଆସିବାକୁ ଦିଆଯାଉନାହିଁ । ବିଧାୟକ ପ୍ରସନ୍ନ କୁମାର ପଣ୍ଡା, ବିଧାୟକ ଗୁରୁଚରଣ ପଟ୍ଟନାୟକ କେତେଥର ଆମ ଗାଁକୁ ଆସିବାକୁ ଚେଷ୍ଟା କରିଥିଲେ । ଦୁଃଖର କଥା, ପୁଲିସ ସେମାନଙ୍କୁ ରାସ୍ତାରୁ ଉଠେଇ ନେଇଗଲା । ସେମାନଙ୍କୁ ଗାଁ ଭିତରକୁ ଆସିବାକୁ ଦେଲାନାହିଁ।’’

 

ଚେମା ଆଗ୍ରହର ସହିତ ସବୁ ଶୁଣୁଥିଲା । ଚେମା ପ୍ରଶ୍ନ କଲା, ‘‘କାହିଁକି ସେମାନଙ୍କୁ ‘‘ଆସିବାକୁ ଦେଲେ ନାହିଁ ?’’

 

‘‘ସେମାନେ ଗାଁରେ ଗୋଟିଏ ସଭା କରିବାକୁ ଚାହୁଁଥିଲେ । ସେମାନେ କହୁଥିଲେ, କ୍ଷତିପୂରଣ ନ ମିଳିଲେ ଗାଁ ଛାଡ଼ି କେହି ଯେପରି ନଯାଆନ୍ତୁ । ଆଉ ତିନିଚାରି ବର୍ଷ ପରେ ଯେତେବେଳେ ବନ୍ଧ କାମ ସରିଯିବ, ବନ୍ଧରେ ପାଣି ଭର୍ତ୍ତି କରିବେ ଓ ଏହି ଗାଁ ବୁଡ଼ିଯିବ । ଅଫିସରମାନେ ଚାହୁଁଛନ୍ତି, ଆଗରୁ ବିନା କ୍ଷତିପୂରଣରେ ଲୋକେ ଗାଁ ଛାଡ଼ି ଚାଲିଯାଆନ୍ତୁ । ସେଇଥିରେ ସେମାନଙ୍କ କୁଆଡ଼େ ଲାଭ ଅଛି ।’’

 

x            x            x            x            x            x

 

୧୯୫୩ ମସିହା, ସେପ୍ଟେମ୍ବର ମାସ । ପୁରୁଷୋତ୍ତମ ଓ ତାଙ୍କ ସହଧର୍ମିଣୀ ବାହାରିଲେ ଅସ୍ଥି ବିସର୍ଜନ କରିବା ପାଇଁ । ତା’ ସଙ୍ଗେ ସଙ୍ଗେ ତୀର୍ଥଯାତ୍ରା କରିବେ । ବାପା, ମା’ଙ୍କ ଅସ୍ଥି କେଉଁଦିନରୁ ଘରେ ରହିଥିଲା । ଏବେ ବିସର୍ଜନ ହେବ ସଙ୍ଗମରେ ପୁରୁଷୋତ୍ତମ ବେକରେ ଏକ ଝୁଲା ଝୁଲେଇ ଥାଆନ୍ତି । ବାପା, ମା’ଙ୍କ ଅସ୍ଥି ଛୋଟ ମାଟିର ପାତୁଳିରେ ଝୁଲେଇ ଥାଆନ୍ତି । ଦୁଇଜଣଙ୍କ ଅସ୍ଥି ଆହ୍ଲାବାଦରେ ଗଙ୍ଗାନଦୀରେ ଭସେଇ ଦିଆଯିବ । ଗଙ୍ଗାରେ ଅସ୍ଥି ପଡ଼ିଲେ, ସେମାନଙ୍କ ସ୍ୱର୍ଗ ପ୍ରାପ୍ତି ହେବ ବୋଲି ବିଶ୍ଵାସ ।

 

ପୁରୁଷୋତ୍ତମ ଓ ତାଙ୍କ ସହଧର୍ମିଣୀ ପ୍ରକାରାନ୍ତରେ ବାହାରିଲେ ତୀର୍ଥଯାତ୍ରାରେ । ସେମାନେ ନିର୍ଦ୍ଦିଷ୍ଟ କୌଣସି ସ୍ଥାନକୁ ଯିବା ବୋଲି ମନ ସ୍ଥିର କରିନଥିଲେ । ପ୍ରଥମେ ଆହ୍ଲାବାଦ ଯିବେ, ଅସ୍ଥି ବିସର୍ଜନ କରିବେ । ତା’ପରେ ଯୁଆଡ଼େ ଇଚ୍ଛା ହେବ, ତୀର୍ଥ ଦର୍ଶନ ପାଇଁ ଯିବେ । ଆଗରୁ କିଛି ସ୍ଥିର କରିନାହାନ୍ତି । ସେମାନେ ଏତିକି ସ୍ଥିର କରିଛନ୍ତି ଯେ, ତୀର୍ଥଯାତ୍ରାରେ ଯିବେ ।

 

ଘରେ ରହିଲେ ଚେମା, ବୈଦେହୀ ଓ ସାବିତ୍ରୀ । ଇତିମଧ୍ୟରେ ଚେମା ନାଁରେ ଜମିସବୁ ପଟ୍ଟା କରିଦେଇ ଥାଆନ୍ତି ପୁରୁଷୋତ୍ତମ । ପୁରୁଷୋତ୍ତମ ଜମି, ଘରର ମାଲିକାନା ଚେମାକୁ ହସ୍ତାନ୍ତର କରି ତିନିମାସ ହେଲା ସେଇ ଜଞ୍ଜାଳରୁ ମୁକ୍ତ ହୋଇସାରିଛନ୍ତି ।

 

ଚେମା, ବୈଦେହୀ ଓ ସାବିତ୍ରୀ ତିନିହେଁ ବସ୍‌ ଆସିବା ପର୍ଯ୍ୟନ୍ତ ସେଇଠି ଅପେକ୍ଷା କଲେ-। ସେମାନେ ସମ୍ଭାଳିପାରିଲେ ନାହିଁ । ବୈଦେହୀ ଓ ସାବିତ୍ରୀ ଆଖିରେ ଲୁହ ଗଡ଼ୁଛି । ବୋଧହୁଏ ଆଜି ଅଜା, ଆଈ ସହିତ ସାବିତ୍ରୀର ଶେଷ ଦେଖା । ଯିବାପୂର୍ବରୁ ପୁରୁଷୋତ୍ତମ କହିଲେ, ‘‘ମା’ ବୈଦେହୀ, ଆଉ ଆଉ ଆସିବୁ କି ନାହିଁ ସନ୍ଦେହଜନକ । ତୀର୍ଥଯାତ୍ରାରୁ ଆଉ ଫେରିବୁ କି ନାହିଁ କେଜାଣି । ଫେରିଲେ, ଆଉ ଏ ଗାଁରେ ତୁମେ ନଥିବ । ହୀରାକୁଦ ନଦୀବନ୍ଧ କାମ ସରିଗଲେ ତୁମେ ଅନ୍ୟ କେଉଁଠି ରହିବ । ଆମର ‘‘ଏଇ ଶେଷ ଦେଖା । ତୁମେ ମୋର ନାତୁଣୀକୁ ଭଲରେ ନଥିବ ।’’

 

‘‘ଚେମା, ଭଲ ପାତ୍ରଟେ ଦେଖି ସାବିତ୍ରୀକୁ ଆସନ୍ତା ବର୍ଷ ଭିତରେ ବାହା କରେଇଦେବ । ବୈଦେ ମା’ର ଓ ମୋର ଇଚ୍ଛା ଥିଲା, ସାବିତ୍ରୀର ବାହାଘର ଦେଖିଥାଆନ୍ତୁ । ବୋଧହୁଏ ଭଗବାନ ଚାହିଁଲେ ନାହିଁ ।’’

 

ବସ୍‌ ଆସିଗଲା । ପୁରୁଷୋତ୍ତମ ଓ ତାଙ୍କ ସହଧର୍ମିଣୀ ବସ୍‌ରେ ଚଢ଼ିଲେ । ତା’ପରେ ବସ୍‌ଧୂଳି ଉଡ଼େଇ ଚାଲିଗଲା । ଚେମା, ବୈଦେହୀ, ସାବିତ୍ରୀର ଆଖିରେ ଲୁହ ଜକେଇ ଧାରେ ଗଡ଼ିଆସିଲା ।

 

x            x            x            x            x            x

 

ସାବିତ୍ରୀ ଆସ୍ତେ ଆସ୍ତେ ଗୁରୁବାରୀକୁ ଛାଡ଼ି ଦେଲାଣି । ଗୁରୁବାରୀ ଗତ ଦୁଇବର୍ଷ ପୂର୍ବରୁ ତାହାର ଝିଅ ଥିଲା । ଏବେ ତାକୁ ଯଦି କେହି ପଚାରେ ଗୁରୁବାରୀ ବିଷୟରେ, ସେ ମୋର ଝିଅ ବୋଲି କହେନାହିଁ । ତାକୁ ଲାଜ ମାଡ଼େ ଗୁରୁବାରୀକୁ ଝିଅ କହିବାକୁ । ତା’ର ବୟସ ଏବେ ଚଉଦ ବର୍ଷ । ଆଗରୁ ଲାଜ କ’ଣ ଜାଣିନଥିଲା, ଏବେ କଥା କଥାରେ ଲାଜ । ସାବିତ୍ରୀ ଏବେ ଶାଢ଼ି, ବ୍ଲାଉଜ ପିନ୍ଧିଛି । ମା’ ତାଗିଦ କଲେ, ଏବେ ଆଉ ଫ୍ରକ୍‌ ନ ପିନ୍ଧିବା ପାଇଁ । ବୈଦେହୀ କହିଲେ, ‘‘ତୁ ବଡ଼ ହେଇଗଲୁଣି, ଏବେ ଶାଢ଼ି ପିନ୍ଧ ।’’

 

ସତକଥା । ସାବିତ୍ରୀ ବଡ଼ ହୋଇଗଲାଣି ।

ସାବିତ୍ରୀ ପ୍ରଥମେ ମା’ଙ୍କ ଶାଢ଼ି ପିନ୍ଧିବା ଆରମ୍ଭ କଲା । ଦିନେ ମା’ଙ୍କ ବ୍ଲାଉଜ ଦେଖି ନିଜ ପାଇଁ ନିଜେ ବ୍ଲାଉଜ ସିଲେଇ କଲା । ବୈଦେହୀ ଆଗରୁ ସବୁବେଳେ ବ୍ଲାଉଜ ପିନ୍ଧୁଥିଲା । ଏବେ କେବେ କେମିତି ପିନ୍ଧେ । ନ ପିନ୍ଧିଲେ ବି ଚଳୁଛି ।

 

ଗରିବ ଲୋକ । ତାଙ୍କ ଘରେ ସିଲେଇ ମେସିନ ନ ଥାଏ । ସାବିତ୍ରୀ ହାତରେ ବ୍ଲାଉଜ ସିଲେଇ କଲା । ଦର୍ଜିକୁ ସିଲେଇ ପାଇଁ ଦେବାକୁ ଲାଜ । ଦର୍ଜି ନିଶ୍ଚୟ ମାପ ‘‘ନେବାପାଇଁ ଚାହିଁବ । ମାପ ଦେବାପାଇଁ ସାବିତ୍ରୀକୁ ନିଶ୍ଚେ ଲାଜ ଲାଗିବ । ଗାଁରେ ମହିଳା ଦର୍ଜି ନଥିଲେ । ସେତେବେଳେ ଖୁବ କମ୍‌ ମହିଳା ବ୍ଲାଉଜ ପିନ୍ଧୁଥିଲେ । ବୟସ ଅନୁପାତରେ ସାବିତ୍ରୀ ବେଶି ବଢୁଛି । ଚଉଦ ବର୍ଷରେ ସେ ଯୁବତୀ । ଶାଢ଼ି, ବ୍ଲାଉଜ ପିନ୍ଧିଲେ ସାବିତ୍ରୀ ଆଗ ଆପେକ୍ଷା ଆହୁରି ସୁନ୍ଦର ଦେଖାଯାଉଛି ।

 

ମା’, ବାପା ଦୁହେଁ କହୁଥିଲେ, ଆସନ୍ତା ବର୍ଷକୁ ସାବିତ୍ରୀର ବାହା କରିଦେବାକୁ । ଆସନ୍ତା ବର୍ଷେ ଦୁଇବର୍ଷ ଭିତରେ ସାପଲହରା ଗାଁ ବୁଡ଼ିଯାଇପାରେ । ନଦୀବନ୍ଧ କାମ ଜୋର୍‌ରେ ଚାଲିଛି । ତା’ ପୂର୍ବରୁ ସାବିତ୍ରୀକୁ ହାତରୁ ଦୁଇହାତ କରିଦେଲେ ଭଲ ।

 

x            x            x            x            x            x

 

ସାବିତ୍ରୀ ମାମି ଘରକୁ ବୁଲିଆସିଛି । ଅଞ୍ଜନା ବି ଏହି ସମୟରେ ମାମି ପାଖକୁ ଆସିଛି ।

‘‘ ସାବିତ୍ରୀ, ତୁମେ ମୋର ଭାଉଜ । ଆଜିଠୁ ମୁଁ ତୁମକୁ ଭାଉଜ ବୋଲି ଡାକିବି ।’’ ମାମି କହିଲା ।

 

‘‘କାହିଁକି ସେ ମୋର ଭାଉଜ ହେବେନାହିଁ ?’’ ଅଞ୍ଜନା କହିଲା ।

‘‘ମୁଁ ତୋ ଭାଇ ପାଇଁ ‘‘ଭାଇ ଜୁଉନ୍ତିଆ’ ଉପବାସ କରିଆସୁଛି । ତୋ ଭାଇ ସତ୍ୟପାଳ ତ ମୋ ପାଇଁ ପ୍ରତ୍ୟେକ ବର୍ଷ ଶାଢ଼ି ଉପହାର ଦେଇଆସୁଛି ।’’

‘‘ମୋର ଦାଦା ସତ୍ୟପାଳ ଗଙ୍ଗାଧର ମେହେର କଲେଜରୁ ପ୍ରଥମ ଶ୍ରେଣୀରେ ଆଇ.ଏସସି. ପାସ କରିଛି । ଆଜି ସେ ଗାଁକୁ ଆସିବ ।’’ ମାମି କହିଲା ।

ଏମିତି କଥା ହେଉଛନ୍ତି, ତା’ର ଦାଦା ସତ୍ୟପାଳ ଘରେ ପହଞ୍ଚିଗଲା ।

‘‘ମାମି, ଆ ଦେଖିବୁ ତୋ ପାଇଁ କ’ଣ ଆଣିଛି ? ତୋର ପସନ୍ଦର ଶାଢ଼ି । ତୋ ପସନ୍ଦ ନୀଳ ରଙ୍ଗ । ଅନ୍ୟ ଶାଢ଼ି ଅଞ୍ଜନା ପାଇଁ । ଏହି ରଙ୍ଗ ଅଞ୍ଜନାକୁ ପସନ୍ଦ ଆସିବ କି ନାହିଁ ? ଅଞ୍ଜନାକୁ ଦେଖେଇ ଦେ ।’’

‘‘ଦାଦା, ସାବିତ୍ରୀ ପାଇଁ ଶାଢ଼ି ଆଣିବାକୁ ଭୁଲିଗଲକି ?’’ ମାମି କହିଲା ।

‘‘ନା, ଭୁଲି ନାହିଁ । ତାଙ୍କର ପସନ୍ଦ ଜାଣିଛି । ତାଙ୍କର ପସନ୍ଦ ଲାଲ ରଙ୍ଗ । ଏହି ଶାଢ଼ି ତ ପସନ୍ଦ ଆସିଲେ ହେଲା ।’’ ସତ୍ୟପାଳ କହିଲା ।

‘‘ସାବିତ୍ରୀକୁ କେମିତି ଭୁଲିବ ସତପାଳ ? ସାବିତ୍ରୀ ଦେବୀ ଆସ, ପାଖକୁ ଆସ । ଚମତ୍କାର ! ଶାଢ଼ି କେମିତି ଦେଖାଯାଉଛି ।’’ ମାମି କହିଲା ।

ସାବିତ୍ରୀ ସତ୍ୟପାଳଙ୍କ ପାଖକୁ ଟିକିଏ ଲାଜ କରି ଆସିଲା । ସତ୍ୟପାଳ ଶାଢ଼ିଟି ସାବିତ୍ରୀ ହାତକୁ ବଢ଼େଇଦେଲା । ସତ୍ୟପାଳ ଡାହାଣ ହାତ ସାବିତ୍ରୀଙ୍କ ହାତରେ ବାଜିଗଲା । ସାବିତ୍ରୀଙ୍କ ଶରୀରରେ ଶିହରଣ ଖେଳିଗଲା ।

 

‘‘କେଉଁଠୁ ଏତେ ଟଙ୍କା ଆଣିଲ ? ଚାକିରି କରୁନାହଁ । ତିନିଖଣ୍ଡ ଶାଢ଼ି କେମିତି କିଣିଲ ?’’ ମାମି ପ୍ରଶ୍ନ କଲା।

 

‘‘ଗତବର୍ଷେ ହେଲା ହାତଖର୍ଚ୍ଚରୁ ଟଙ୍କା ଜମାକରି ଆସୁଥିଲି । ତୁମେ କେଉଁଠୁ ଜାଣିଛ ? ଜଳଖିଆ ଖାଇବା ଅନେକ ଥର ବନ୍ଦ କରିଛି ।’’ ସତ୍ୟପାଳ କହିଲା ।

 

x      x      x      ×      x      x      x

 

ସାବିତ୍ରୀ ଘରକୁ ସତ୍ୟପାଳ ଯାଇଛି । ଚେମା ବିଲକୁ ଯାଇଛି । ବୈଦେହୀ ପଡ଼ିଶା ଘରକୁ ଯାଇଛି । ସାବିତ୍ରୀ ଘରେ ଏକା । ସାବିତ୍ରୀ କହିଲା, ‘‘ମୁଁ ଘରେ ଏକା । ମା’ ବାପା କେହି ନାହାନ୍ତି ।’’

 

‘‘ମୁଁ ଯାଉଛି, ତାହାହେଲେ ।’’ ସତ୍ୟପାଳ କହିଲା । ଏତିକି କହି ସତ୍ୟପାଳ ଯିବାକୁ ବାହାରିଲା ।

 

‘‘ ସେମାନେ ନାହାନ୍ତି, କ’ଣ ହେଲା ସେଇଠୁ । ତୁମେ ରହ । ସେମାନେ ନାହାନ୍ତି ବୋଲି ମୋ ମୁହଁରୁ ବାହାରିଗଲା ।’’ ଆଜି ସାବିତ୍ରୀ ଲାଲରଙ୍ଗର ଶାଢ଼ି ପିନ୍ଧିଛି । ବ୍ଲାଉଜ ପିନ୍ଧି ନାହିଁ । ଖୁବ ସୁନ୍ଦର ଦିଶୁଛି ।

 

‘‘ମୁଁ ଚା’ ତିଆରି କରୁଛି । ତୁମେ ଏଇଠି ବସ ।’’ ଭିତର କୋଠରୀରେ ବାପା, ମା’ଙ୍କ ଖଟରେ ସତ୍ୟପାଳକୁ ବସେଇଲା । ସତ୍ୟପାଳକୁ ସେଇଠି ବସେଇ ରୋଷେଇ ଘରକୁ ଗଲା । ଚା’ ଦୁଇକପ ଆଣି ସତ୍ୟପାଳ ପାଖରେ ଖଟରେ ବସିଲା ।

 

‘‘ଆଜି ମୋର ଜନ୍ମଦିନ । ମୋତେ ପନ୍ଦର ବର୍ଷ ପୂରିଲା । ଆଜି ଠିକ ଦିନରେ ଆସିଛ ।’’ ସାବିତ୍ରୀ କହିଲା । ଦୁହେଁ ଚା’ ପିଇଲେ ।

 

ସତ୍ୟପାଳ କହିଲା, ‘‘ଆଜି ତୁମର ଜନ୍ନଦିନ । ମିଠା ଖୁଆଇବ ନାହିଁ ।’’

‘‘ମୁଁ ଭୁଲି ଯାଇଛି । ମା’ ରସବରା କରିଥିଲା । ହେଇ ଆଣୁଛି ।’’ ଏତିକି କହି ସାବିତ୍ରୀ ଗୋଟିଏ ଗିନାରେ କେତୋଟି ରସବରା ଆଣିଲା ।

 

ରସବରା ସତ୍ୟପାଳର ଅତି ପ୍ରିୟ । ସତ୍ୟପାଳକୁ ରସବରା ଭାରି ଭଲ ଲାଗେ ।

ସାବିତ୍ରୀ ଗୋଟିଏ ରସବରା ସତ୍ୟପାଳର ମୁହଁରେ ଖୁଆଇ ଦେଲା । ସତ୍ୟପାଳ ଟିକିଏ ସାବିତ୍ରୀଆଡ଼କୁ ଆଉଜିଗଲା । ଠିକ୍‌ ଏଇ ସମୟରେ ସାବିତ୍ରୀ ନିଜ ଭାରସାମ୍ୟ ହରାଇ ସତ୍ୟପାଳଙ୍କ କୋଳରେ ପଡ଼ିଗଲା । ସତ୍ୟପାଳ ଜାବୁଡ଼ି ଧରିଲେ ସାବିତ୍ରୀକୁ । କିଛି ସମୟ ପାଇଁ କାହାରି ମୁହଁରୁ କଥା ବାହାରିଲା ନାହିଁ ।

 

ସାବିତ୍ରୀକୁ ଭଲ ଲାଗୁଥିଲା ଏ ଆଲିଙ୍ଗନ । ଏହି ବୟସ ଭାରି ଅମାନିଆ କୌଣସି ଅଘଟଣ ଘଟିବା ଆଗରୁ ସତ୍ୟପାଳ ଜଗିଦେଲେ । ସାବିତ୍ରୀକୁ ଆଲିଙ୍ଗନରୁ ମୁକ୍ତ କଲେ । ସାବିତ୍ରୀ କିନ୍ତୁ ଚାହୁଁଥିଲା, ଆଉ କିଛି ସମୟ ପାଇଁ ଠିକ୍‌ ସେମିତି ରହିବାକୁ ।

 

ସତ୍ୟପାଳ ତରତର ହୋଇ ଚାଲି ଯାଉ ଯାଉ କହିଲା, ‘‘କାଲି ଆସିବି ।’’

ସାବିତ୍ରୀ ଭାବିନେଲା ଆଜିଠୁ ତାକୁ ତା’ର ସତ୍ୟବାନ ମିଳିଗଲେ ।

 

x            x            x            x            x            x

 

ବୈଦେହୀ ରାତିରେ ଶୋଇଲାବେଳକୁ କହିଲା, ‘‘ହଗୋ, ଶୁଣୁଛ ।’’

ଚେମା, ‘‘ହଁ ଶୁଣୁଛି ।’’

 

ବୈଦେହୀ, ‘‘ସାବିତ୍ରୀକୁ ପନ୍ଦର ବର୍ଷ ପୁରିଗଲା । ଷୋହଳ ଚାଲିଲା । ମନେଅଛି, ବାପା, ମା’ କ’ଣ କହିଥିଲେ ? ଏହି ଗାଁ ବୁଡ଼ିବା ଆଗରୁ ସାବିତ୍ରୀର ବାହା କରେଇଦେବ । ଆସନ୍ତା ବର୍ଷ ବୋଧହୁଏ ଏହି ଗାଁ ବୁଡ଼ିବ । ଯେତେଚଞ୍ଚଳ କାମ ଚାଲିଛି, ବନ୍ଧ ତିଆରି ଖୁବ୍‌ଶୀଘ୍ର ସରିଯିବା ଭଳି ଜଣାଯାଉଛି । ସାବିତ୍ରୀ ପାଇଁ ଭଲ ପାତ୍ର ଖୋଜା ଖୋଜି କର ।’’

 

ଚେମା, ‘‘କୁଆଡ଼େ ଯିବା ? ଖୋଜିବା କ’ଣ ଦରକାର ? ଘର ପାଖରେ ପାତ୍ର ଅଛି । ସତ୍ୟପାଳଠୁ ଆଉ ଭଲ ପାତ୍ର କେଉଁଠି ମିଳିବେ ? ସତ୍ୟପାଳ ଭଲ ନମ୍ବର ରଖି ଆଇ.ଏସସି. ପାସ୍‌ କରିଛି । ତାଙ୍କର ଜମି ସାତ ଏକର ପାଖାପାଖି ଅଛି । ୟା’ଠୁ ବଳି ଭଲ ପାତ୍ର କେଉଁଠି ମିଳିବ-?’’

 

ବୈଦେହୀ, ‘‘ମୋ ମନକୁ ବି ସତ୍ୟପାଳ ପସନ୍ଦ ଆସିଛି । ତାହାହେଲେ, କଥା ଆରମ୍ଭ କରିବା ?’’

 

ଚେମା, ‘‘ସାବିତ୍ରୀ ପାଇଁ ସତ୍ୟବାନ ଲୋଡ଼ା । ମାମିର ଭାଇ ସତ୍ୟପାଳ ମୋ ମତରେ ସତ୍ୟବାନ ଭଳି ହେବ ।’’

 

ତା’ପରଦିନ ବୈଦେହୀ ମାମି ଘରକୁ ଆସିଲା । ସଂଯୋଗକୁ ସତ୍ୟପାଳ ଘରେ ନଥିଲା । ମନେ ମନେ ଭାବିଲା, ସେ ଠିକ୍‌ ସମୟରେ ଆସିଛି । ବୈଦେହୀ ମାମିକୁ ଭେଟିଲା ।

 

ମାମି କହିଲା, ‘‘ମାଉସୀ, ମୋ ଭାଉଜ କୁଆଡ଼େ ଗଲେ ? ମୋ ଭାଉଜକୁ ନେଇ ଆସିଲ ନାହିଁ ?’’ ବୈଦେହୀ ଆଉ କ’ଣ କହିବେ ? କିଛି କଥା ଆରମ୍ଭ କରିପାରିଲେ ନାହିଁ ।

 

‘‘ତୁମ ଘରକୁ ଆସିଲାବେଳକୁ ସାବିତ୍ରୀ ଘରେ ନଥିଲା ।’’

ମାମିର ମା’ ପାଖକୁ ଯାଇ ବୈଦେହୀ ପଚାରିଲେ, ‘‘ତୁମ ଘରକୁ କେବେ ଆସିବ ମୋ ସାବିତ୍ରୀ ?’’

 

ମାମିର ମା’, ‘‘ତୁମେ ଯେବେ ତାକୁ ପଠେଇବ ?’’

‘‘ଆମେ ସାବିତ୍ରୀକୁ ଭଲ ଲଗ୍ନ ଦେଖି ପଠେଇବା ।’’ ବୈଦେହୀ ଉତ୍ତର ଦେଲେ ।

ବୈଦେହୀ ଚିନ୍ତା କଲେ, ମଧ୍ୟସ୍ଥି ପଠେଇଥିଲେ କେତେ ଅସୁବିଧା ହୋଇଥାନ୍ତା । ଯାହାହେଉ ପ୍ରସ୍ତାବ ଦେବାକୁ ମଧ୍ୟସ୍ଥି ପଠେଇ ନାହାନ୍ତି ।

 

ଖୁସି ମନରେ ବୈଦେହୀ ଘରକୁ ଫେରିଲେ ।

x            x            x            x            x            x

 

‘‘ଭଲ ଲଗ୍ନ ବାହାର କର, ପଣ୍ଡିତେ । ନଭେମ୍ବର, ଡିସେମ୍ବର ଯେବେ ହେଲେ ଚଳିବ ।’’ ଚେମା କହିଲା ।

ପଣ୍ଡିତ ଗଣନା କଲ, ତା’ପରେ କହିଲେ, ‘‘ନଭେମ୍ବର ୪ ତାରିଖ ଦିନ ଏଗାରଟା ୨୦ ମିନିଟ୍‌ରେ ଭଲ ଲଗ୍ନ ଅଛି । ଏହି ଶୁଭ ଲଗ୍ନରେ ଯଦି ବିବାହ କରିବ, ତାହାହେଲେ ସ୍ଵାମୀ ଶତାୟୁ ହେବ । ସ୍ଵାମୀକୁ ଯମରାଜ ନିଜେ ନେବାପାଇଁ ଆସିଲେ ବି ଫେରିଯିବେ । ସ୍ତ୍ରୀ ଯମରାଜକୁ ଫେରେଇଦେବେ । ସ୍ଵାମୀକୁ ଯମଲୋକ ନେବାକୁ ଦେବେନାହିଁ, ଠିକ୍‌ ଯେମିତି ସାବିତ୍ରୀ ସତ୍ୟବାନ ପାଇଁ ଯମରାଜଙ୍କୁ ଫେରେଇ ଦେଇଥିଲେ ।’’

ସତେ ଯେମିତି ସାବିତ୍ରୀ, ସତ୍ୟବାନ ବିବାହ ସ୍ଥିରୀକୃତ ହୋଇଛି, ଉପରୋକ୍ତ ଦିନ ଠିକ୍‌ ହେଲା । ସାବିତ୍ରୀର ଗୋଡ଼ ତଳେ ପଡ଼ୁନଥିଲା । ସେ ଅତ୍ୟନ୍ତ ଖୁସି ଥିଲା । ସେହି ଦିନକୁ ଅପେକ୍ଷା କରି ରହିଲା ।

ସତ୍ୟପାଳ ମଧ୍ୟ ଆନନ୍ଦିତ ଥିଲା । ପଣ୍ଡିତଙ୍କ ନିମ୍ନଲିଖିତ ବାକ୍ୟଟି ସତ୍ୟପାଳକୁ ଆଲୋଡ଼ିତ କରୁଥିଲା ।

‘‘ସ୍ଵାମୀ ଶତାୟୁ ହେବ, ସ୍ୱାମୀକୁ ଯମଲୋକ ନେବାକୁ ଦେବେନାହିଁ, ସାବିତ୍ରୀ ଯମରାଜକୁ ଯମଲୋକ ଫେରେଇ ଦେବେ । ବାଧ୍ୟ ହୋଇ ଯମରାଜ ଫେରିଯିବ ।’’

୧୯୫୪ ନଭେମ୍ବର ୪ ତାରିଖରେ ଧୂମଧାମରେ ବିବାହ ସମ୍ପନ୍ନ ହେଲା । ସାବିତ୍ରୀ ବିବାହ ପରେ ସତ୍ୟପାଳ ଘରକୁ ଗଲା । ଚେମା ଓ ବୈଦେହୀ ଦୁହେଁ ଝିଅକୁ ବିଦାୟ ଦେବାପରେ, ତାଙ୍କ ଘର ଖାଲି ଲାଗିଲା ।

 

x            x            x            x            x            x

 

ଚେମାକୁ ଇତି ମଧ୍ୟରେ ଏଇ ଗାଁରେ ଅନେକ ବନ୍ଧୁ ମିଳିଯାଇଥିଲେ ।

ସେହି ଭିତରୁ ଜଣେ ଥିଲେ ଯଦୁମଣି ସାହୁ । ଯଦୁମଣି ଭାରି ପରିଶ୍ରମୀ ଗାଈ, ମହିଷୀ ପୋଷିବା ସଙ୍ଗେ ସଙ୍ଗେ ଚାଷ କାମ ମଧ୍ୟ କରନ୍ତି । ଯଦୁମଣି ରଙ୍ଗରେ ନିଜର ମହିଷୀ ପରି ଚିକ୍କଣ ଓ କଳା । ତା’ର ମୁଣ୍ଡ ସବୁବେଳେ ତେଲ ସରସର, ଚକ ଚକ କରୁଥାଏ । ବହୁ ପରିଶ୍ରମ ଯୋଗୁ କାନ୍ଧ ଓ ଛାତିର ମାଂସପେଶୀ ବଡ଼ ବଡ଼ । ଗାଁରେ କୌଣସି ଭୋଜି ହେଲେ, ଗାଁକୁ କୌଣସି ଅଫିସର ଗସ୍ତରେ ଆସିଲେ, ଯେତେ ପାଣି ଦରକାର ହେବ ମହାନଦୀରୁ ଯଦୁମଣି ବୋହି ଆଣେ ।

 

ଅନ୍ୟ ଗାଁରେ ଏମିତି ପାଣି ଆଣିଲେ, ଲୋକେ ଜାଗିରି ଜମି ପାଇଥାନ୍ତି, ସେମିତି କିଛି ଜମି ଯଦୁମଣି ଉପଭୋଗ କରୁନାହିଁ । ଭୋଜିରେ ପାଣି ଆଣିବାବେଳେ, ଯେଉଁ ପରିଶ୍ରମ କରିବାକୁ ହୁଏ, ବଡ଼ ଚାଷୀମାନଙ୍କଠୁ ତାକୁ ଲୁଗାପଟା ମିଳେ । ଧାନ ଅମଳ ସମୟରେ କିଛି କିଛି ଧାନ ମିଳେ-। ସେଇଥିରେ ଯଦୁମଣିର ପରିବାର ଆରାମରେ ଚଳିଯାନ୍ତି ।

 

ଯଦୁମଣି ସାପଲହରା ଗାଁର ଗୌନ୍ତିଆକୁ ନିଜର କରିପାରିଥିଲା । ଗୌନ୍ତିଆଙ୍କ ଘରେ ଯାହା କାମ ପଡ଼ିଲେ ଯଦୁକୁ ଖୋଜାଯାଏ । ଘରେ ବିବାହ, ବ୍ରତ, ଭୋଜି ଭାତ ହେଲେ ଯଦୁମଣିକୁ ଖୋଜନ୍ତି । ସେ ହିଁ ଏକା ଏତେ ବଡ଼ ଗାଁରେ ଅଛି, ଯେ ମହାନଦୀରୁ ପାଣି ଆଣେ । ଏହାଛଡ଼ା ପ୍ରତିଦିନ ସନ୍ଧ୍ୟାରେ ଗୌନ୍ତିଆଙ୍ଗ ଦେହରେ ତେଲ ମାଲିସ କରେ । ଗୌନ୍ତିଆଙ୍କ ଚାଷବାସ, ମାଲି ମୋକଦ୍ଦମା, ଘରୋଇ କଥା, ମହାଜନୀ କାରବାର ସମ୍ପର୍କରେ ଗୌନ୍ତିଆଙ୍କଠୁ ଶୁଣେ । ସେହି ସମୟରେ ସେ ନିଜ କଥା କହିବାକୁ ମଧ୍ୟ ସୁଯୋଗ ପାଏ ।

 

ଏମିତି ଥରେ ସୁଯୋଗ ମିଳିବାରୁ ଗୌନ୍ତିଆଙ୍କୁ ଯଦୁମଣି ଜମି ଖଣ୍ଡେ ମାଗିଲା ।

ଗୌନ୍ତିଆ କହିଲେ, ‘‘ଆମ୍ବ ବଗିଚା ପାଖରେ ଖଣ୍ଡେ ଗୋଚର ଜମି ଅଛି, ସେଥିରୁ କିଛି ତୋର ନାଁରେ ପଟ୍ଟା ଲେଖିଦେବି । ସେହି ପଡ଼ିଆ ଜମିକୁ ତୁ ଲାଗିଲେ ଭଲ ବେର୍ଣ୍ଣା ଜମି କରିପାରିବୁ । ଦରକାର ହେଲେ ତୋର ଭାଇକୁ ଖଟେଇବୁ । ବିନା ପଇସାରେ, କେବଳ ଷ୍ଟାମ୍ପ କିଣିଲେ ତୋର ନାଁରେ ପଟ୍ଟା ହୋଇପାରିବ ।’’

 

ଯେଉଁ ଜମି ଖଣ୍ଡକ ଗୌନ୍ତିଆ ଲେଖିଦେଲେ, ଯଦୁମଣି ସେହି ଜମିରେ ବହୁତ ପରିଶ୍ରମ କରି ଚାଷ କଲା । ତା’ର ଭାଇ ମଧ୍ୟ ଜମିରେ କାମ କଲା । ଯଦୁମଣି ସେହି ଜମିରୁ ପ୍ରାୟ ଚବିଶ ପଡ଼ୁଗୁ ଧାନ ଆଦାୟ କଲା ।

 

ସେତିକିବେଳେ ଜଣାଗଲା, ଏହି ସାପଲହରା ଗାଁ ଆଉ କିଛି ବର୍ଷ ଭିତରେ ବୁଡ଼ିଯିବ । ଦଶବର୍ଷର ତପସ୍ୟା କ’ଣ ଶୁଖୁଆ ପୋଡ଼ାରେ ଯିବ ? ଦେଖା ଦେଖି ପାଇଁ ଓ ଦଖଲ ନେବାପାଇଁ କେତେକ ଅଫିସର, ପଟୁଆରି ଗାଁକୁ ଆସିଲେ । ଯଦୁମଣି କେତେବେଳେ ହେଳା କରିନାହିଁ ସେମାନଙ୍କୁ ପାଣି କି ଗୋରସ ଯୋଗାଇ ଦେବାରେ । କାହାରି ସେବା କରିବାରେ ମଧ୍ୟ କେବେହେଲେ ହେଳା କରିନାହିଁ ।

 

ଦିନେ ଜଣେ ଅଫିସର ସେହି ଗାଁକୁ ଉପରବେଳା ପହଞ୍ଚିଲେ, ଜମି ମାପ ତଦାରଖ କରିବାକୁ । ଅଫିସରଙ୍କ ଚା’ ପାଇଁ ଗୋରସ ଦରକାର ପଡ଼ିଲାରୁ, ଯଦୁକୁ ଡକରା ହେଲା । ଯଦୁମଣି ଅସମୟରେ ଗୋରସ କେଉଁଠୁ ଆଣିବ ? ସେ ମନା କରିଦେଲା । ପଟୁଆରୀ ବହୁତ ଦୁଃଖ କରି କହିଲେ, ‘‘ତୁମ ଗାଁରେ ଗୋରସ ଟିକେ ମିଳୁନାହିଁ । କାହାକୁ ଡାକିଲେ କେହି ଶୁଣୁ ନାହାନ୍ତି । ଆଚ୍ଛା, ତୁମ କଥା ଠିକ୍‌ ସମୟରେ ବୁଝିବା ।’’

 

ଯେତେବେଳେ କ୍ଷତିପୂରଣ ହିସାବ କରାଗଲା, ଯଦୁମଣିର ପାଞ୍ଚ ଏକର ଜମି ପାଇଁ ହେଲା ଚଉରାନବେ ଟଙ୍କା । ଅଭିମାନରେ ଯଦୁମଣି ଟଙ୍କା ନ ନେଇ ଚାଲିଆସୁଥିଲା ।

 

ତାକୁ ଅଫିସର ଜଣକ କହିଲେ, ‘‘ଟଙ୍କା ନେଇ ଯାଅ । ନ ହେଲେ ତୁମର ବହୁତ ଖର୍ଚ୍ଚ ହେବ । ତୁମେ କେସ କଲେ ଯାଇ ଟଙ୍କା ପାଇବ । ରସିଦରେ ଦସ୍ତଖତ ଦେଇ ଟଙ୍କା ନେଇଯିବା ତୁମ ପାଇଁ ଭଲ କାର୍ଯ୍ୟ ହେବ ।’’

 

ଅନେକ ଲୋକ ଅଯଥା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯେତେ ବି ମିଳିଲା, ନେଇଗଲେ-। ଘର ପୋଡ଼ିରୁ କୁଟା ଖଣ୍ଡେ ବଞ୍ଚିଯାଉ । ପାଞ୍ଚ ଏକର ଜମିପାଇଁ ଯଦୁମଣିକୁ ମିଳିଲା ଚଉରାନବେ ଟଙ୍କା । ପୁନର୍ବସତି କ୍ୟାମ୍ପରେ ଜମିପାଇଁ ଏକର ପ୍ରତି ସାତଶହ ଟଙ୍କା ଜମା କରିବାକୁ ପଡ଼ିବ । ଯଦୁମଣି ଗୋରସରୁ ଯେଉଁ ଟଙ୍କା କମାଣି କରିଥିଲା, ସେଇଥିରୁ ଜମା କଲା । ଜମିର କ୍ଷତିପୂରଣ କମ୍‌ ମିଳିଛି ବୋଲି ତଦନ୍ତ ହେଉ ବୋଲି ଜିଲ୍ଲା ହାକିମ, ମନ୍ତ୍ରୀ ସମସ୍ତଙ୍କୁ ଗୁହାରୀ କଲା-। କେହି ପ୍ରତିକାର କଲେନାହିଁ, କି ଶୁଣିଲେ ନାହିଁ । ତାକୁ କୌଣସିଠୁ ଉତ୍ତର ମଧ୍ୟ ମିଳିଲା ନାହିଁ ।

 

ଟଙ୍କା ଜମା କଲାପରେ, ସାଙ୍ଗରାମାଲ କ୍ୟାମ୍ପରେ ଯଦୁମଣିକୁ ସରକାରୀ ଜମି ମିଳିଲା । ଗାଈ, ମହିଷୀ, ନିଜ ପରିବାର ଧରି ଯଦୁ ଆସିଲା ସାଙ୍ଗରାମାଲ କ୍ୟାମ୍ପ ।

 

ଚାରିଆଡ଼େ ଜଙ୍ଗଲ । ସନ୍ଧ୍ୟା ହେଲେ, କ୍ୟାମ୍ପରେ ବିଲୁଆମାନଙ୍କର ହୁକେ ହୋ ବିକଟାଳ ଶବ୍ଦ । ଅନ୍ୟ ଜୀବଜନ୍ତୁମାନଙ୍କର ଶବ୍ଦ ମଧ୍ୟ ଶୁଣାଯାଏ । ଦିନସାରା ଜଙ୍ଗଲ ସଫା କରୁଥିବା ବୁଲଡୋଜର ଘର୍ଘର ଶବ୍ଦ କରି ଧୂଳି ଉଡ଼େଇ ଚାଲନ୍ତି । ରାତି ହେଲେ ସେହି ମେସିନ ସବୁ ନିଃଶବ୍ଦ ହୋଇଯାଏ । ବନ୍ୟଜନ୍ତୁମାନଙ୍କୁ ଦୂରେଇ ରଖିବା ପାଇଁ ଗଣ୍ଡି କାଠ ସବୁ ବିଭିନ୍ନ ସ୍ଥାନରେ ଜଳୁଥାଏ-

 

ନୂଆ କରି ଜଙ୍ଗଲ ସଫା କରି ବିସ୍ଥାପିତମାନଙ୍କ ପାଇଁ କ୍ୟାମ୍ପ ହୋଇଛି । କ୍ୟାମ୍ପରେ ଅଳ୍ପ କେତୋଟି କୁଡ଼ିଆ ତିଆରି ହୋଇଛି । ବାଉଁଶ କାନ୍ଥରେ ମାଟି ଲିପା ଯାଇନାହିଁ କିମ୍ବା ଏ ପର୍ଯ୍ୟନ୍ତ ଛାତରେ ପୁଆଳ ଦିଆଯାଇନାହିଁ । ପୂରାପୂରି ପ୍ରସ୍ତୁତ ହୋଇନାହିଁ । ଏପରି ଅପନ୍ତରା ଜାଗାରେ ଅଫିସର ଓ ପୁଲିସ ସାହାଯ୍ୟରେ ଯଦୁ ଏଠିକି ଆସିଛି । ଚାରିଆଡ଼େ ପଡ଼ିଛି ଘରୋଇ ଉପକରଣ । ବସ୍ତା ଓ ପୁରାମାନଙ୍କରେ ଧାନ, ଚାଉଳ । ଖଟ, ଆଲମୀରା, ବାକ୍ସ, ଗଡୁ, ଗରା ଆଦି ବାହାରେ ପଡ଼ିଛି । ଯଦୁମଣି ଘରେ ମଧ୍ୟ ସେହି ଅବସ୍ଥା । ଗାଈ, ବାଛୁରୀ, ମହିଷୀ ବାହାରେ ଖୁଣ୍ଟରେ ବନ୍ଧା ହୋଇଛନ୍ତି । ଗୁହାଳ ତିଆରି ହୋଇନାହିଁ । ଦୁଇମାଇଲ ଦୂରରେ କଟା ଅଛି, ଯେଉଁଠିକୁ ପ୍ରତ୍ୟେକ ଦିନ ଗାଈ, ମହିଷୀକୁ ନେବାକୁ ହେବ । ପାଣି ଅଭାବରେ, ଏଇ ଗାଈ, ମହିଷୀ କେତେଦିନ ବଞ୍ଚିବେ ।

 

ତା’ର ସ୍ତ୍ରୀ, ପୁଅ ଆସିଛନ୍ତି । ସେମାନଙ୍କ ପାଇଁ ମଧ୍ୟ ପିଇବା ପାଣି ଦୁଇମାଇଲ ଦୂରରୁ ଆଣିବାକୁ ପଡ଼ିବ ।

 

ମନେପଡ଼େ ମହାନଦୀର ନିର୍ମଳ ପାଣି । ଗରା କିମ୍ବା ମାଠିଆ ଧରିଲେ ନଦୀରୁ ପାଣି ଆଣୁଥିଲେ । ଗାଈ, ମହିଷୀ ଘଣ୍ଟା ଘଣ୍ଟା ଧରି ପାଣିରେ ପଡୁଥିଲେ ଓ ଜଙ୍ଗଲରେ ଚରୁଥିଲେ । ଆଜି ସେହି ଗାଈ, ମହିଷୀ ପାଣି ପାଇଁ ହାହାକାର । କେଉଁ ଅପନ୍ତରାରେ ପଡ଼ିଛନ୍ତି ସେମାନେ ।

 

କେତେ ସୁଖରେ ଥିଲା ଯଦୁମଣି ସେଠି ଗାଁରେ । ଏଇଠି କ୍ୟାମ୍ପରେ କେତେ ଅସୁବିଧାରେ ଅଛି । ସେଠିକାର ପାଞ୍ଚଏକର ଜମିକୁ ମିଳିଲା ଚଉରାନବେ ଟଙ୍କା । ଏଇଠି ପାଞ୍ଚ ଏକରକୁ ଦେଲା ତିନି ହଜାର ପାଞ୍ଚଶହ ଟଙ୍କା । ଯଦୁମଣିକୁ ସବୁଆଡ଼େ ଅନ୍ଧାର ଦିଶୁଛି ।

 

x            x            x            x            x            x

 

ସାପଲହରା ଗାଁ ପୋଖରୀ । ପୁରୁଷମାନଙ୍କ ପାଇଁ ଘାଟ ଅଲଗା, ସ୍ତ୍ରୀମାନଙ୍କ ପାଇଁ ଘାଟ ଅଲଗା ।

 

ଏକା ସମୟରେ ସାବିତ୍ରୀ ଓ ସତ୍ୟପାଳ ପୋଖରୀକୁ ଗାଧୋଇବାକୁ ଆସିଲେ । ଦୁହେଁ ଅଲଗା ଅଲଗା ଘାଟକୁ ଗଲେ । ଜଣେ ଅନ୍ୟଜଣକୁ ନ ଚିହ୍ନିଲା ଭଳି ବ୍ୟବହାର କଲେ ।

 

ଯେଉଁମାନଙ୍କ ହାତରେ ବେଶି ସମୟ ଥାଏ ମହାନଦୀକୁ ଗାଧୋଇବାକୁ ଯାଆନ୍ତି, ଯେଉଁମାନେ ଚଞ୍ଚଳ କାମ ସାରିବାକୁ ଥାଏ, ସେମାନେ ପୋଖରୀକୁ ଆସନ୍ତି ।

 

ସାବିତ୍ରୀର ମନ ଚଞ୍ଚଳ । ଶାଢ଼ି ପିନ୍ଧିଛି । ଆଉ ଗୋଟିଏ ଶୁଖିଲା ଶାଢ଼ି ନେଇ ଆସିଛି । ହଠାତ୍‌ ତା’ର ମନେପଡ଼ିଲା ସେ ବ୍ଲାଉଜ ପିନ୍ଧି ନାହିଁ । ବ୍ଲାଉଜ ପିନ୍ଧିବା ଅଭ୍ୟାସ ନାହିଁ । ଏବେ ପୋଖରୀକୁ ଆସିବାବେଳେ ବି ବ୍ଲାଉଜ ପିନ୍ଧିବାକୁ ଭୁଲିଗଲା । ଅନ୍ୟ ଶୁଖିଲା ଶାଢ଼ିକୁ ପୋଖରୀ ହୁଡ଼ାରେ ଛାଡ଼ିଦେଇଛି ।

 

ସାବିତ୍ରୀ ପାଣି ଭିତରକୁ ପଶିଲା । ପାଣି ଭିତରେ ତାକୁ ଜଣାପଡ଼ିଲା, ଜଣେ କେହି ତା’ ଗୋଡ଼କୁ ଜାବୁଡ଼ି ଧରୁଛି । ମତିଭ୍ରମ ହେଲା । ପ୍ରକୃତରେ କେହି ନୁହେଁ । ସତରେ କିଏ ସାହସ କରିବ ? ସାବିତ୍ରୀ ଥରକୁ ଥର ସତ୍ୟପାଳ ଆଡ଼କୁ ଅନଉଥାଏ ।

 

ସତ୍ୟପାଳ ମଧ୍ୟ ସାବିତ୍ରୀ ପଟେ ଥରକୁ ଥର ଅନଉଥାଏ । ସତ୍ୟପାଳ ସାବୁନ ଆଣିଥିଲା, କିନ୍ତୁ ସାବୁନ ଲଗେଇବାକୁ ଭୁଲିଗଲା । ସେ ବହୁତ ଅନ୍ୟମନସ୍କ ରହିଲା ।

 

ସତ୍ୟପାଳ ସେପଟେ ଅନେଇଲା ବେଳେ, ଠିକ୍‌ ସେହି ସମୟରେ ସାବିତ୍ରୀ ତୁଠ ଉପରକୁ ଆସି ଲୁଗା ବଦଳଉଛି । ସତ୍ୟପାଳ ଗାଧୋଇବା ଶେଷ କରି ଉପରକୁ ଉଠିଲା । ସତ୍ୟପାଳ ସେପଟେ ଅନେଇଥାଏ । ସାବିତ୍ରୀ ଲୁଗା ବଦଳେଇବାବେଳେ ଲୁଗା ତଳକୁ ଖସିଗଲା । କ୍ଷଣକ ପାଇଁ ସାବିତ୍ରୀ ଦେହର ଉପର ଅଂଶ ନଗ୍ନ ଦିଶିଗଲା ।

 

ସତ୍ୟପାଳ ତାକୁ ଦେଖି ହସିଦେଲା । ସାବିତ୍ରୀ ମଧ୍ୟ ନ ହସି ରହିପାରିଲା ନାହିଁ । ସେଇ ମୁହୂର୍ତ୍ତକ ପାଇଁ ଚାରିଆଖିର ମିଳନ ହେଲା ।

 

x      x      x      ×      x      x      x

 

ଅଫିସର, ପଟୱାରି, ଅମିନ ବିଭିନ୍ନ ସମୟରେ ସାପଲହରା ଗାଁକୁ ଆସି ଘର, ଜମି ଥରକୁ ଥର ମାପ କରିସାରିଥିଲେ ।

 

ସତ୍ୟପାଳ ସମ୍ବଲପୁର ଅଫିସକୁ ଯାଇ କ୍ଷତିପୂରଣ ଆଣିଲା । ତାଙ୍କ ଚାରି ଏକର ବାହାଲ ଜମିକୁ ୨୫୦ ଟଙ୍କା ହିସାବରେ, ଆଟ ଜମି ଅଢ଼େଇ ଏକରକୁ ୭୦ ଟଙ୍କା ହିସାବରେ, ବଗିଚା ପାଇଁ ଥିବା ଅଧ ଏକର ମିଶି ଘର ପାଇଁ ୩୫୦ ଟଙ୍କା, ସର୍ବମୋଟ ୧୫୨୫ ଟଙ୍କା କ୍ଷତିପୂରଣ ବାବଦକୁ ମିଳିଥିଲା ।

 

ଚେମା କାଲୋକୁ ଉପରୋକ୍ତ ଦରରେ ୧୩୦୦ ଟଙ୍କା କ୍ଷତିପୂରଣ ମିଳିଲା । ୧୯୫୪ ଅକ୍ଟୋବରରେ ସାପଲହରା ଗୌନ୍ତିଆଙ୍କୁ ସମ୍ବଲପୁର ଜିଲ୍ଲାପାଳ ଆସିବେ ବୋଲି ଆଗରୁ ଜଣାଇ ଦିଆଯାଇଥାଏ । ଜିଲ୍ଲାପାଳ ଆସିବେ ବୋଲି ଆଖ ପାଖ ଗାଁରେ ଖବର ଦିଆଯାଇଥାଏ । ଗୋଟିଏ ସଭାର ଆୟୋଜନ ଏମ୍‌. ଇ. ସ୍କୁଲ ସାମନାରେ ଖୋଲା ପଡ଼ିଆରେ ହୋଇଥିଲା । ସଭାକୁ ଗୌନ୍ତିଆଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ଜିଲ୍ଲାପାଳଙ୍କ ସୁରକ୍ଷା ନିମନ୍ତେ ପୁଲିସ ବ୍ୟବସ୍ଥା ଥିଲା ।

 

ସମ୍ବଲପୁର ଜିଲ୍ଲାପାଳ କହିଲେ, ‘‘ଆପଣମାନଙ୍କ ସହଯୋଗ ପାଇଁ ମୁଁ ଆନ୍ତରିକ କୃତଜ୍ଞତା ଜଣାଉଛି । ନଦୀବନ୍ଧ କାମ ବହୁତ ଜୋରରେ ଆଗେଇଛି । ବୋଧହୁଏ ଆସନ୍ତା ବର୍ଷ ଡିସେମ୍ବର ସୁଦ୍ଧା ନଦୀବନ୍ଧ ସମ୍ପୂର୍ଣ୍ଣ ହେବ । ଆପଣମାନଙ୍କ ପୁନର୍ବସତି ପାଇଁ କ୍ୟାମ୍ପ ସବୁ ତିଆରି ହେଇଛି । ପ୍ରତ୍ୟେକ କ୍ୟାମ୍ପରେ ବିଜୁଳି, ପାଣିର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ବସତିରେ ଡାକ୍ତରଖାନା, ସ୍କୁଲ, କ୍ଲବ ଘର ଆଦି ବ୍ୟବସ୍ଥା ରହିବ । ଆପଣମାନେ ଶୀଘ୍ର ନୋଟିସ ପାଇବେ ଘର ଛାଡ଼ିବା ପାଇଁ । ଆପଣମାନଙ୍କୁ ଅନୁରୋଧ, ଘର ଛାଡ଼ି ବସତିକୁ ଯାଆନ୍ତୁ ଏବଂ ସେଇଠି ଆରାମରେ ରହନ୍ତୁ ।’’

 

ପୁଣି କହିଲେ, ‘‘ଆପଣ ବିସ୍ଥାପିତମାନଙ୍କ ତ୍ୟାଗ ପାଇଁ ଏ ଦେଶ ଆପଣଙ୍କଠାରେ ୠଣୀ ରହିବ । ଆଉଥରେ ଆପଣଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଉଛି ।’’ ଜିଲ୍ଲାପାଳ ସଙ୍ଗେ ଯେଉଁ ପୁଲିସ ଲୋକ ଆସିଥିଲେ, ତାଙ୍କ କରତାଳି ଚାରିଆଡ଼େ ଶୁଭିଲା । ଯିବା ଆଗରୁ ଗୌନ୍ତିଆ ଓ ଅନ୍ୟମାନଙ୍କୁ ଗାଁ ଛାଡ଼ି ଯିବାକୁ ଆଉଥରେ ଅନୁରୋଧ କଲେ । ଜିଲ୍ଲାପାଳ ଓ ପୁଲିସ ଦଳ ଗାଡ଼ି ମୋଟରରେ ଫେରିଗଲେ ।

 

ଚେମା ସବୁ ଶୁଣୁଥିଲା ।

ତା’ପରେ ପରେ ୧୯୫୪ ଡିସେମ୍ବର ସୁଦ୍ଧା ଘର ଖାଲି କରିବାକୁ ନୋଟିସ ଆସିଲା ।

୧୯୫୫ ଏପ୍ରିଲରେ ୬୯ ଖଣ୍ଡ ଗାଁର ପ୍ରାୟ ପନ୍ଦର ହଜାର ପରିବାର ଲୋକଙ୍କୁ ପୁଲିସ ସାହାଯ୍ୟରେ ବାଡ଼େଇ ପିଟି ଘରୁ ତଡ଼ି ଦିଆଯାଇଥିଲା ।

 

ଏହି କାର୍ଯ୍ୟରେ ପ୍ରାୟ ୫୦୦ ପୁଲିସ କର୍ମଚାରୀଙ୍କୁ ସରକାର ମୁତୟନ କରିଥିଲେ । ସେମାନଙ୍କ ମଧ୍ୟରୁ ଅନେକ ଲୋକ ପୁନର୍ବସତି କ୍ୟାମ୍ପମାନଙ୍କରେ ଜମିପାଇଁ ବହୁପୂର୍ବରୁ ଦରଖାସ୍ତ କରି ଟଙ୍କା ଜମା କରିଥିଲେ ।

 

ସେହି ସମୟରେ ପ୍ରାୟ ଦଶଲକ୍ଷ ଟଙ୍କା ଜମା ହୋଇସାରିଥିଲା ।

x            x            x            x            x            x

 

ଚେମା ଓ ବୈଦେହୀ ତାଙ୍କ ଝିଅ ଜୁଆଇଁ, ସମୁଦୀ, ସମୁଦୁଣୀ ସଙ୍ଗେ କଥା ହେଲେ । ସେମାନେ ଠିକ୍‌ କଲେ, ଯେଉଁ ଜାଗାକୁ ଯିବେ ସେମାନେ ଏକାଠି ରହିବେ ।

 

ଚେମା ମୁରା କ୍ୟାମ୍ପ ଯିବାପାଇଁ ମନସ୍ଥ କଲା । ଜୁଆଇଁ ସତ୍ୟପାଳ ପରିବାର ମଧ୍ୟ ମୁରା ଯିବାପାଇଁ ମନସ୍ଥ କଲେ ।

 

ଯିବା, ଯିବା ଭାବି କିଛିଦିନ ବିତିଗଲା । ଏପ୍ରିଲ ମାସ ଆସିଗଲା । ଇତିମଧ୍ୟରେ ସାବିତ୍ରୀ ଗର୍ଭବତୀ ହୋଇସାରିଥିଲା ।

 

ହଠାତ୍‌ ଦିନେ ଅଧରାତିରେ ପୁଲିସ ବାବୁମାନେ ଏବଂ କିଛି ଅଫିସର ସତ୍ୟପାଳ ଘରେ ପହଞ୍ଚିଲେ । ସତ୍ୟପାଳ ସେମାନଙ୍କୁ ସକାଳେ କଥା ହେବାପାଇଁ କହିଲା । ସେମାନେ କିଛି ଶୁଣିବାକୁ ନାରାଜ । ଘର ବାହାରେ ଟ୍ରକ ଛିଡ଼ା ହୋଇଥିଲା । ସତ୍ୟପାଳ କହିଲା, ‘‘ମୁଁ ଯେଉଁଠିକି ଯିବି, ମୋ ଶ୍ୱଶୁର ବି ସେଇଠିକି ଯିବେ । ମୋ ଶ୍ୱଶୁର ହେଉଛନ୍ତି ଚେମା କାଲୋ । ତାଙ୍କ ଘର ଏଇ ପାଖରେ ।’’

 

ପୁଣି କହିଲା, ‘‘ଏବେ ମୋ ସ୍ତ୍ରୀ ଗର୍ଭବତୀ କାଲି ସକାଳୁ ବଡ଼ିଭୋର୍‌ରୁ ଆମେ ଯିବୁ । ଚେମା କାଲୋ ମଧ୍ୟ ଯିବେ ।’’

 

ଯେଉଁମାନେ ଆସିଥିଲେ, ସେମାନେ ନଛୋଡ଼ବନ୍ଧା । ସକାଳେ କଥା ହେବା କହିଲେ, ସେମାନେ ପଚାରିଲେ, ଏବେ କ’ଣ ଅସୁବିଧା ଅଛି ?

 

‘‘ଏବେ ଚାଲ । ତୁମେ ମୁରା କ୍ୟାମ୍ପ ଯିବ, ସେଇଠି ଛାଡ଼ିଦେବୁ ।’’

କେତେ କାକୁତି ମିନତି ହେଲେ ସୁଦ୍ଧା ସେମାନେ ମାନିବାକୁ ନାରାଜ । ସତ୍ୟପାଳ ଚେମାକୁ ଯିବାପାଇଁ ଖବର ଦେଲା । ଚେମା ସେପଟେ ପ୍ରସ୍ତୁତ ହେବ । ଟ୍ରକରେ ଜିନିଷ ପତ୍ର ଉଠେଇବ । ସେମାନେ ସବୁଦିନ ପାଇଁ ସାପଲହରା ଛାଡ଼ିବେ । ଅଫିସର, ପୁଲିସ ସିନା ବୁଝୁନାହାନ୍ତି ।

 

ସତ୍ୟପାଳ ଜିନିଷପତ୍ର ଗୋଟିଏ ଗୋଟିଏ କରି ଟ୍ରକରେ ଉଠେଇଲା । ପଞ୍ଜାବୀ ଡ୍ରାଇଭର । ତାକୁ ଆଦେଶ ହୋଇଛି, ଯେତେ ରାତି ହେଲେ ବି ନେବୁ । ଖଟ, ଆଲମୀରା, ଧାନ, ଚାଉଳ, ବିରି, ମୁଗ କେତେ କ’ଣ ରଖିବାକୁ ହେବ । ବାପା, ମା’ ଅଧରାତିରେ ବାହାରିଲେ । ବସ୍ତା, ପୁରା ହିସାବ କରି ସତ୍ୟପାଳ ରଖିଲା ।

 

ବାହାରିଲେ । ବସ୍ତା, ପୁରା ହିସାବ କରି ସତ୍ୟପାଳ ରଖିଲା । ସବା ଶେଷରେ ଗୁରୁବାରୀକୁ ସତ୍ୟପାଳ ଉଠେଇଲେ । ସାବିତ୍ରୀ ନିଜେ ଗୁରୁବାରୀକୁ ଧରିଲା ।

 

ସାବିତ୍ରୀ, ମାମି, ମା’ ଟ୍ରକ ଡ୍ରାଇଭର ପାଖରେ ବସିଲେ । ସତ୍ୟପାଳ ଟ୍ରକ ଡାଲାରେ ବସିଲା । ଆଉ ଏକ ଟ୍ରକ ଚେମାର ଜିନିଷ ପତ୍ର ଉଠାଗଲା । ସବୁଦିନ ପାଇଁ ବିଦାୟ ନେଲେ ସାପଲହରାରୁ । ଆଖିରୁ ଲୁହ ଗଡ଼ୁଥାଏ । ସତ୍ୟପାଳର ବାପା, ମା’, ମାମି, ସ୍ତ୍ରୀ ସାବିତ୍ରୀ ଜଣେ କେହି ହେଲେ କୋହ ସମ୍ଭାଳି ପାରିଲେ ନାହିଁ । ଆଗପଛ ହୋଇ ଦୁଇଟା ଯାକ ଟ୍ରକ ପହଞ୍ଚିଲି ମୁରା କ୍ୟାମ୍ପରେ । ସେଇଠି ପହଞ୍ଚିଲାବେଳକୁ ସକାଳ ହୋଇ ଯାଇଥାଏ ।

 

ଚେମା ଓ ସତ୍ୟପାଳ ଦୁଇ ପରିବାରଙ୍କୁ ପାଖରେ ପାଖରେ ଜାଗା ମିଳିଗଲା । ବିସ୍ଥାପିତମାନଙ୍କର ଠିକଣା ନଥାଏ, କେଉଁଠିକି ଯିବେ ? କେଉଁଠି ରହିବେ ? ସବୁ କୁଡ଼ିଆ ଘର । ଭଲଭାବେ ପାଳ ଛାତରେ ପଡ଼ିନାହିଁ । ବାଉଁଶ କାନ୍ଥରେ ଭଲଭାବେ ମାଟି ଲିପା ଯାଇନାହିଁ । ଘର ତିଆରି କରିବାକୁ ହେବ । ଜିନିଷପତ୍ର ଠିକ୍‌ ଜାଗାରେ ରଖିବାକୁ ହେବ । ସମୟ ମିଳିଲେ ପକ୍କା ଘର ତିଆରି କରିବାକୁ ହେବ । ଗତ ସାତବର୍ଷ ହେଲା, ଚେମା ପକ୍କା ଘରେ ରହିଛି । ଅଭ୍ୟାସ ହୋଇଗଲାଣି । ଏବେ ପୁଣି କୁଡ଼ିଆରେ ରହିବ । ସତ୍ୟପାଳର ସେହି ଅବସ୍ଥା । ସେ ଜନ୍ମରୁ ପକ୍କା ଘରେ ରହିଆସିଛି, କିନ୍ତୁ ଏବେ କୁଡ଼ିଆରେ ରହିବାକୁ ବାଧ୍ୟ । କୁଆଡ଼େ ଗଲା ପ୍ରତିଶ୍ରୁତି ? ଘର ବଦଳରେ ଘର, ଜମି ବଦଳରେ ଜମି, ଉଦାର କ୍ଷତିପୂରଣ କିଛିଦିନ ଆଗରୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇ କହିଥିଲେ ଡାକ୍ତରଖାନା, ସ୍କଲ, କ୍ଲବ ଘର, ବିଜୁଳ ସଂଯୋଗ, ପାଣିକଳ ଆହୁରି କେତେ କ’ଣ ବ୍ୟବସ୍ଥା ରହିବ । କେତେ କ’ଣ ପ୍ରତିଶ୍ରୁତି ଦେଇଥିଲେ।

 

କିନ୍ତୁ କାହିଁ ସେ ବ୍ୟବସ୍ଥା ? କୁଡ଼ିଆ ଘରର ବ୍ୟବସ୍ଥା ? ୟା’କୁ କହିଲେ ଘର ବଦଳରେ ଘର । ବିଜୁଳି ସଂଯୋଗ ଦୂର କଥା । ପିଇବା ପାଇଁ ପାଣି ମୁନ୍ଦେର ବ୍ୟବସ୍ଥା ନାହିଁ । ପୁଣି କଳ କଥା ଉଠୁଛି କାହିଁ ?

 

ଉଦାର କ୍ଷତିପୂରଣ ? ଏକରକୁ ୨୫୦ ଟଙ୍କା ଉଦାର କ୍ଷତିପୂରଣ ? ପକ୍କା ଘରର କ୍ଷତିପୂରଣ ୩୫୦ ଟଙ୍କା ? କାହିଁକି ଏ ପ୍ରହସନ ? ଜିଲ୍ଲାପାଳ କାହିଁକି ଏତେ ପ୍ରତିଶ୍ରୁତି ଦେଉଥିଲେ-?

 

      X            X            X            X            X      

 

ଚେମା ଓ ସତ୍ୟପାଳ ଚାଷଜମି ଦର ବିଷୟରେ ବୁଝିବା ପାଇଁ ଘରୁ ବାହାରିଲେ । ଖରା ମାସ । ଦୁହେଁ ଗୋଟିଏ ଗୋଟିଏ ଗାମୁଛାକୁ ଓଦା କଲେ । ରାସ୍ତାରେ ଯେଉଁଠି ପାଣି ମିଳିଲା, ଗାମୁଛା ଓଦା କରି ଯାଉଥାଆନ୍ତି । ଯାଉ ଯାଉ ଭଣ୍ଡାରିମାଲ ଗାଁର ବିହାରିଲାଲ ସାହୁକୁ ଭେଟିଲେ । ଭୁଲକା ଗାଁକୁ ଅନେକ ଥର ଚେମା ଯାଇଛି । ସତ୍ୟପାଳ ମଧ୍ୟ ଆଗରୁ ସେଠାକୁ ଯାଇଛି ।

 

ବିହାରିଲାଲ ଭୁଲକା ଗାଁରୁ ଆସିଥିଲା । ଗାଁ ବୁଡ଼ିଲା ପରେ ଭୁଲକା ଗାଁରୁ ଆସି ଭଣ୍ଡାଗିମାଲରେ କେତେଜଣ ରହିଲେ । ସେମାନଙ୍କୁ ବାହାଲ ଜମି ଏକରକୁ ଦୁଇଶହ ପଚାଶ ଟଙ୍କା ଓ ଘର ପାଇଁ ତିନିଶହ ପଚାଶ ଟଙ୍କା, ଆଟ ଜମି ପାଇଁ ଏକରକୁ ସତୁରି ଟଙ୍କା ହିସାବରେ କ୍ଷତିପୂରଣ ମିଳିଥିଲା ।

 

ସେତେବେଳେ ଜମି ଏକରକୁ ଚାରିଶହ ଟଙ୍କା ହିସାବରେ ଭଣ୍ଡାରିମାଲ ପାଖରେ ମିଳୁଥିଲା । କ୍ୟାମ୍ପ ପାଖ ଜମି ବିହାରିଲାଲ ସାହୁକୁ ପସନ୍ଦ ହେଲାନାହିଁ । ଜଙ୍ଗଲ କାଟି ଯେଉଁ ସରକାରୀ ଜମି ମିଳୁଛି, ସେହି ଜମି ଭର୍ବର କରିବାକୁ ହେଲେ ବହୁତ ପରିଶ୍ରମ ଦରକାର ଏବଂ ସରକାରୀ ଜମିର ମୂଲ ବେଶି, ଅତି କମ୍‌ରେ ସାତଶହ ଟଙ୍କା ।

 

‘‘କ୍ଷତିପୂରଣ ମିଳିଲା ଭଲ ଜମି ଏକରକୁ ୨୫୦ ଟଙ୍କା, ଆମେ କିଣିଲୁ ୪୦୦ ଟଙ୍କା ଦରରେ । ଆମକୁ ଘର ପାଇଁ ମିଳିଥିଲା ୩୫୦ ଟଙ୍କା ।’’

 

ଚେମା କ୍ଷତିପୂରଣ ପାଇଥିଲା ୧୩୦୦ ଟଙ୍କା । ଚେମାର ସମୁଦୀ କ୍ଷତିପୁରଣ ବାବଦରେ ପାଇଥିଲେ ୧୫୨୫ ଟଙ୍କା ।

 

ବାଧ୍ୟହୋଇ ସେମାନେ ଘର ପାଖରେ ଜମି ଦେଖିଲେ । ମୁରା କ୍ୟାମ୍ପ ପାଖରେ ମାଇଲେ ଦୂରରେ ଜମି ଦର ଥିଲା ଏକରକୁ ୪୦୦ ଟଙ୍କା । ଚେମା ଓ ସତ୍ୟପାଳ ଦୁହିଁଙ୍କର ଅବସ୍ଥା ଏକା ପ୍ରକାର । ଯେତେ ଟଙ୍କା କ୍ଷତିପୂରଣ ମିଳିଛି ସେଇ ଟଙ୍କାରେ ଜମି କିଣିଲେ ତ ହେବନାହିଁ । କାରଣ କ୍ଷତିପୂରଣ ଟଙ୍କା କମ ମିଳିଛି । ସେଇ ଟଙ୍କାରେ ଜମି କମ୍‌ ମିଳିବ ।

 

ଚେମା ବୈଦେହୀଠୁ ସୁନା ମାଳି ଗୋଟିଏ ଆଣି ବିକିଲା । ସତ୍ୟପାଳ ମଧ୍ୟ ସାବତ୍ରୀର ସଞ୍ଚିତ ଟଙ୍କା ସଂଗ୍ରହ କଲେ । ଦୁହେଁ ତାଙ୍କର ସଞ୍ଚିତ ଟଙ୍କା ମିଶେଇଲେ ।

 

ଯେଉଁ ଟଙ୍କା ହେଲା, ମୁରା ପାଖରେ ଚାରି ଏକର ଲେଖାଏଁ ଚାଷଜମି କିଣିଲେ ଓ ସେହି ଟଙ୍କାରେ ନିଜେ ରହିବା ପାଇଁ ଦୁଇ, ତିନିବଖରା ଲେଖାଏଁ ପକ୍କା ଘର ତିଆରି କଲେ ।

 

X            X            X            X            X      

 

ଚେମାର ସମୁଦୀର ବୟସ ଅଧିକ ହୋଇଯିବାରୁ ଅନେକ ସମୟରେ ସେ ଜମିକୁ ଯାଇପାରିଲେ ନାହିଁ । ସତ୍ୟପାଳ କେବେ ଚାଷବାସ କରିନଥିଲା । ସାପଲହରାରେ ତା’ର ବାପା ଜମି ଦେଖାଦେଖି କରୁଥିଲେ । ବାପା ଜମିକୁ ନଯିବାରୁ, ସେ ନିର୍ଭର କଲା ଶ୍ଵଶୁର ଚେମା ଉପରେ-। ଚେମା ଭାରି ପରିଶ୍ରମୀ । ଚେମା ଆଠ ଏକରକୁ ନିଜ ଜମି ଭଳି ଦେଖି ବହୁତ ପରିଶ୍ରମ କଲା । ଯାହା ଫସଲ ମିଳେ, ତାହାକୁ ତିନିଭାଗ କରେ ଓ ଦୁଇଭାଗ ଦିଏ । ଗୋଟିଏ ଭାଗରେ ସେ ସନ୍ତୁଷ୍ଟ-। କାରଣ ଚେମା ଘରେ ଦୁଇ ପ୍ରାଣୀ, ସେ ଆଉ ବୈଦେହୀ ।

 

ସତ୍ୟପାଳର କିଛି କାମଧନ୍ଦା ରହିଲା ନାହିଁ । ସେ ଜାଣିବାକୁ ପାଇଲା ଯେ ଆସନ୍ତା ମାସରୁ ମୁରା କ୍ୟାମ୍ପରେ ଏମ.ଇ. ସ୍କୁଲ ଖୋଲିବ । ସେ ବିଜ୍ଞାନ ଶିକ୍ଷକ ପଦ ପାଇଁ ଦରଖାସ୍ତ କଲା-। ଆଉ କେହି ନଥିଲେ । ସେ ନୂଆ ଖୋଲିଥିବା ସ୍କୁଲରେ ବିଜ୍ଞାନ ଶିକ୍ଷକଭାବେ ଯୋଗଦାନ କଲା-

 

ମୁରା ଏମ୍‌.ଇ.ସ୍କୁଲର ସତ୍ୟପାଳ ବିଜ୍ଞାନ ଶିକ୍ଷକ । ଏବେ ତେଲଲୁଣର ସଂସାର । ସ୍କୁଲରୁ ସତ୍ୟପାଳକୁ ୫୦ ଟଙ୍କା ମାସିକ ଦରମା ମିଳୁଥିଲା ।

 

ତା’ ପାଖକୁ ପିଲା ଆସିଲେ ଟିଉସନ ପାଇଁ । ସତ୍ୟପାଳ ମନାକଲା ନାହିଁ । ଟିଉସନ ଆରମ୍ଭ କରିଦେଲା । ପ୍ରଥମେ ଦଶଜଣ ପିଲା ଆସୁଥିଲେ । ତା’ପରେ ପନ୍ଦର ଜଣ । ବଢ଼ିଚାଲିଲେ ଛାତ୍ର । ସତ୍ୟପାଳ ଭଲ ପଢ଼ଉଥିଲା । ଅନେକ ଛାତ୍ର ଆକର୍ଷିତ ହେଲେ । ସକାଳେ, ସନ୍ଧ୍ୟାରେ ପଢ଼େଇଲା । ଟିଉସନରୁ ସତ୍ୟପାଳକୁ ୨୪୦ଟଙ୍କା ମିଳିଲା । ଜଣେ ଛାତ୍ର ପିଛା ୬ଟଙ୍କା ଫିସ ରଖିଲା ।

 

ସକାଳେ ଗୋଟିଏ ବ୍ୟାଚ, ସନ୍ଧ୍ୟାରେ ଦୁଇଟି ବ୍ୟାଚ । ସ୍କୁଲର ଦରମା ଟଙ୍କା କିଛି ନୁହେଁ ଟିଉସନ ତୁଳନାରେ । ତାକୁ ଟଙ୍କା ଦରକାର ଥିଲା । ଦିନ ରାତି ପରିଶ୍ରମ କଲା । ମାମିର ବାହାଘର କରିବାକୁ ଅଛି । ବହୁତ ଟଙ୍କା ଦରକାର ।

 

ମାସକୁ ମାସ ଭଲ ରୋଜଗାର ହେଲା । ବାହାଘର ପାଇଁ ଟଙ୍କା ସଞ୍ଚୟ କଲା ।

X            X            X            X            X            X

 

ମାମି ପାଇଁ ଭଲ ପାତ୍ର ଖୋଜିଲା ସତ୍ୟପାଳ ।

ଭଣ୍ଡାରୀମାଲ ଗାଁର ଲୋକନାଥ ଭୋଇ । ସେ ଆଗରୁ ଭୁଲକା ଗାଁରେ ଥିଲା । ଚେମା ଆଗରୁ ଲୋକନାଥଙ୍କୁ ଭଲ ଭାବେ ଜାଣିଥିଲା । ଲୋକନାଥ ଭଣ୍ଡାରିମାଲର ଭୁଲକା ପଡ଼ାରେ ରହେ । ଭୁଲକାରୁ ଅନେକ ବିସ୍ଥାପିତ ଆସି ଏକା ସଙ୍ଗେ ରହୁଥିବାରୁ ସେହି ପଡ଼ାର ନାଁ ଭୁଲକା ପଡ଼ା ହୋଇଛି ।

 

ଲୋକନାଥ ତାଙ୍କ ବାପାଙ୍କ ଗୋଟିଏ ବୋଲି ପୁଅ । ତାଙ୍କର ଭଉଣୀ ନାହାନ୍ତି । ତାଙ୍କ ବାପା ଚାରିବର୍ଷ ହେଲାଣି ପରଲୋକକୁ ଚାଲିଗଲେଣି । ମା’ ଏକା ଅଛନ୍ତି । ଲୋକନାଥଙ୍କ ସାଢ଼େ ଚାରି ଏକର ଜମି ଅଛି । ଘର ପାଖରେ ଅଧ ଏକରରୁ ବେଶି ହେବ ବଗିଚା ଅଛି । ପନି ପରିବା ହୁଏ । ସେହି ପରିବାରୁ କିଛି ପଡ଼ିଆବାହାଲ ମାର୍କେଟକୁ ଯାଏ । ଏମିତି ଆରାମରେ ମା’ ଓ ପୁଅ ଚଳିଯାଆନ୍ତି । କିଛି ଟଙ୍କା ସଞ୍ଚୟ ବି ହୁଏ । ଲୋକନାଥ ବାବୁଙ୍କ ଗୋଟିଏ ନୂଆ ସାଇକଲ ଅଛି ।

 

ସତ୍ୟପାଳର ଅନୁରୋଧରେ ରବିବାର ଦିନ ସକାଳ ଓଳି ମା’ଙ୍କ ସହିତ ମାମିକୁ ଦେଖିବାକୁ ଆସିବେ ବୋଲି ସ୍ଥିର କଲେ ।

 

ସାବିତ୍ରୀ ମାମିକୁ ସଜେଇବାରେ ଲାଗିଲେ । ତାଙ୍କ ପାଖରେ ସ୍ନୋ, ପାଉଡ଼ର ଯାହା ଥିଲା ସବୁ ଆଣିଲେ । ମାମିକୁ ନଣନ୍ଦ ବୋଲି ସମ୍ବୋଧନ କଲେ । ମାମି ଭଲପାଆନ୍ତି ଭାଉଜକୁ । ଘରକୁ ସାବିତ୍ରୀ ଆସିଲା ଦିନଠୁ ‘ଭାଉଜ’, ‘ଭାଉଜ’ ଡାକି ବ୍ୟସ୍ତ କରିଦିଅନ୍ତି ।

 

‘‘ମାମି, ମୋର ସୁନା ନଣନ୍ଦ । ଆଜି ତୁମକୁ ଦେଖିବା ପାଇଁ ଆସିବେ ପରା । ସେମାନେ ଆସୁଥିବେ । ସମୟ ହୋଇଗଲାଣି । ଚଞ୍ଚଳ ବାହାରିପଡ଼ ।’’ ସାବିତ୍ରୀ କହିଲା ।

 

‘‘ଭାଉଜ, ମୋତେ କ’ଣ ଭଲ ଲାଗୁଛି, ଅଜଣା କାହା ସାମନାରେ ଛିଡ଼ା ହେବାକୁ । ବାଧ୍ୟ ହୋଇ ଯିବାକଥା। ମୁଁ ଚା’ ନେଇ ଯାଇପାରିବି ନାହିଁ । ତୁମେ ଯିବ ।’’ ମାମି କହିଲା ।

 

‘‘ମାମି, ଏମିତି କୁହନାହିଁ । ତୁମେ ହିଁ ଚା’ ନେଇଯିବ । ଆଜି ସିନା ଅଜଣା ଅଛନ୍ତି, କାଲି ତୁମର ଅତି ପରିଚିତ ହୋଇଯିବେ । ଆସ୍ତେ ଆସ୍ତେ ଆମେ ଦୂରର ହୋଇଯିବୁ । ସେ ହେବେ ତୁମର ଅତି ଆପଣାର ।’’

 

‘‘ଭାଉଜ, ଏମିତି କୁହ ନାହିଁ । ତୁମେ ମୋର ସବୁଦିନ ପାଇଁ ଅତି ଆପଣାର ହୋଇ ରହିବ ।’’

 

‘‘ଗୋଟିଏ କାମ କରିବା । ତୁମେ ଚା’ କପେ ଧରିଥିବ, ମୁଁ ତୁମକୁ ପଛରୁ ଠେଲିଦେବି । ଜୋର୍‌ରେ ଠେଲିବି ନାହିଁ । ଆସ୍ତେ କରି ଠେଲିଦେବି । ଜୋର୍‌ରେ ଠେଲିଲେ ଚା’ କପଟା ପଡ଼ିଯିବ-। ତା’ପରେ ମୁଁ ଭିତରକୁ ଯିବି । ମୋର ବି ଲୋକନାଥ ବାବୁଙ୍କୁ ଦେଖିବାକୁ ଅଛି ।’’ ସାବିତ୍ରୀ କହିଲା-

 

ସାବିତ୍ରୀ ସ୍ନୋ, ପାଉଡ଼ର ଯାହା ଥିଲା, ସବୁ ବ୍ୟବହାର କଲା । ସାବିତ୍ରୀ ମାମିକୁ ଏମିତି ସଜାଇଦେଲେ ଯେ ମାମି ବହୁତ ସୁନ୍ଦର ଦେଖାଗଲା । ସତେ ଯେମିତି ସ୍ୱର୍ଗରୁ ଜଣେ ଅପସରା ଖସି ଆସିଛି ।

 

ଲୋକନାଥ ମାମିକୁ ପସନ୍ଦ କଲା । ସେଇଠି ସମ୍ମତି ଜଣେଇଦେଲା । ବାହାଘର ଲଗ୍ନ ସ୍ଥିର କରିବାକୁ କହିଲା ।

 

ଚେମା ଓ ଲୋକନାଥ ଜ୍ୟୋତିଷଙ୍କୁ ଲଗ୍ନ ସ୍ଥିର କରିବାକୁ ଅନୁରୋଧ କଲେ । ଜ୍ୟୋତିଷ ସ୍ଥିର କଲେ ଅକ୍ଟୋବର ୨୫ ତାରିଖ ଦିନ ୩ ବାଜି ୪୦ ମିନିଟରେ ଭଲ ଲଗ୍ନ ଅଛି ।

 

ଲୋକନାଥ ଓ ଚେମା ଖୁସି ମନରେ ନିଜ ନିଜ ଘରକୁ ଫେରିଲେ । ସତ୍ୟପାଳକୁ ବିବାହ ଲଗ୍ନ ବିଷୟରେ ଜଣେଇ ଦେଲେ । ନିର୍ଦ୍ଧାରିତ ଦିନ ଅକ୍ଟୋବର ୨୫ ତାରିଖରେ ସୁରୁଖୁରୁରେ ବିବାହ ସମ୍ପନ୍ନ ହେଲା ।

 

X            X            X            X            X            X

 

୧୯୫୬ ଜୁନ ମାସରେ ସତ୍ୟପାଳ ପଡ଼ିଆବାହାଲ ବଜାରକୁ ଆସିଥାଏ । ହଠାତ ତା’ର ନଜର ଗୋଟିଏ ସମ୍ବାଦପତ୍ର ବିଜ୍ଞାପନ ଉପରେ ପଡ଼ିଗଲା । ବିଜ୍ଞାପନରେ ଲେଖାଅଛି, ଯେଉଁମାନେ ବୁର୍ଲା ଇଞ୍ଜନିୟରିଙ୍ଗ କଲେଜରେ ନାମ ଲେଖେଇବାକୁ ଚାହାନ୍ତି, ଏକ ଫର୍ମରେ ଭର୍ତ୍ତି କରି ନିଜ ଫଟୋ ସହିତ ମାର୍କସିଟର କପି ପଠାନ୍ତୁ । ନୂଆକରି ବୁର୍ଲାରେ ଇଞ୍ଜନିୟରିଙ୍ଗ କଲେଜ ସ୍ଥାପନ ହେଉଥିଲା । ଫର୍ମର ନକଲ ବିଜ୍ଞାପନରେ ଥିଲା । ସେ ବିଜ୍ଞାପନଟିକୁ ନେଇଗଲା ।

 

ଚେମା ସଙ୍ଗେ ଇଞ୍ଜିନିୟରିଙ୍ଗ ପଢ଼ା ସମ୍ପର୍କରେ ଆଲୋଚନା କଲା । ସତ୍ୟପାଳର ଇଛା ଥିଲା ଇଞ୍ଜିନିୟରିଙ୍ଗ ପଢ଼ିବାକୁ । କିନ୍ତୁ ପଢ଼ିବା ପାଇଁ ତା’ ପାଖରେ ଟଙ୍କା, ପଇସା ନଥାଏ । ଚେମା କହିଲା, ‘‘ଋଣ ନେବା । ଯେତେ ଖର୍ଚ୍ଚ ହେବ, ହେଉ । ତୁମର ଯଦି ଇଚ୍ଛା ଅଛି ପଢ଼ିବା ପାଇଁ, ତୁମେ ନିଶ୍ଚୟ ପଢ଼ିବ । ଆମର ଏତେ ପାଖରେ କଲେଜ । କାହିଁକି ପଢ଼ିବ ନାହିଁ ?

 

ତୁମେ ଦରଖାସ୍ତ କର । ତୁମ ପଢ଼ାରେ ମୁଁ ସାହାଯ୍ୟ କରିବି ଏବଂ ଯେଉଁଠୁ ହେଉ ଟଙ୍କା ଆଣିବି । ମୁଁ ମାସକୁ ମାସ ଟଙ୍କା ପଠେଇବି । ‘‘ଆମ ସତ୍ୟପାଳ ଇଞ୍ଜିନିୟର ହେବ, ଏ କ’ଣ କମ୍‌ ଗୌରବର କଥା ?’’

 

ଚେମା ଯୋଗୁ ସତ୍ୟପାଳର ଆଗ୍ରହ ବଢ଼ିଗଲା । ଆବଶ୍ୟକୀୟ ସବୁ କାଗଜପତ୍ର ଯୋଗାଡ଼ କରି ନିର୍ଦ୍ଧାରିତ ତାରିଖ ମଧ୍ୟରେ ସେ ଦରଖାସ୍ତ କଲା । ସତ୍ୟପାଳର ଆଇ.ଏସ.ସି.ରେ ଶତକଡ଼ା ୭୨ ଭାଗ ନମ୍ବର ଥିଲା । ସାବିତ୍ରୀ ମଧ ତାକୁ ଇଞ୍ଜିନିୟରିଂ ପଢ଼ିବା ପାଇଁ ପ୍ରୋତ୍ସାହନ ଦେଲା ।

 

ସାବିତ୍ରୀ ଗର୍ଭବତୀ । ସାବିତ୍ରୀ ବୟସ ଏବେ ଷୋହଳ । ସୁନାର ହାର, ଚୁଡ଼ି ବାହା ବେଳକୁ ଯାହା ଆଣିଥିଲା, ସବୁକୁ ସତ୍ୟପାଳର ଅଜାଣତରେ ବିକି ଦେଲା । ସେହି ଟଙ୍କା ଆଣି ଯେତେବେଳେ ସତ୍ୟପାଳକୁ ଦେଲା, ସତ୍ୟପାଳ ବହୁତ ରାଗିଗଲା

 

ସତ୍ୟପାଳ କହିଲା, ‘‘ତୁମକୁ କିଏ କହିଲା ତୁମର ଗହଣା ବିକିବା ପାଇଁ । ମୋତେ ଟିକେ ପଚାରି ପାରିଥାନ୍ତ, ବିକିବା ପୂର୍ବରୁ ।’’ ସାବିତ୍ରୀ କିଛି ଉତ୍ତର ନ ଦେଇ କାନ୍ଦିଲା । ‘‘ମୁଁ ଭାବିଲି ଏ ଟଙ୍କା ତୁମର କାମରେ ଆସିବ । ମୋ ବାପା ସଙ୍ଗେ ତୁମର କଥା ବାର୍ତ୍ତା ଶୁଣିଛି । ତୁମେ ଇଞ୍ଜିନିୟର ହେଲେ ମୁଁ ଗର୍ବ କରିବି । ଏଇ ସୁନା ତା’ ତୁଳନାରେ କିଛି ନୁହେଁ ଭାବି ବିକି ଦେଲି ।’’

 

‘‘କାନ୍ଦୁଛ କାହିଁକି ?’’ ସାବିତ୍ରୀ ତୁନି ପଡ଼ିଲା । କାନ୍ଦ ବନ୍ଦ ହେଲା । ଅନେକ ଦିନ ପରେ ଆଜି ତା’ ଉପରେ ସତ୍ୟପାଳ ରାଗିଗଲା । ସତରେ କାହିଁକି ଗହଣା ବିକିଲା, ତା’ର ଭତ୍ତର ଦେଇପାରିବ ନାହିଁ । ବୋଧହୁଏ ସେ ଆବେଗରେ ବିକି ଦେଇଛି । ସତ୍ୟପାଳ ପାଖକୁ ଚିଠି ଆସିଲା । ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗରେ ତାକୁ ପ୍ରଥମ ଲିଷ୍ଟରେ ସିଟ୍‌ ମିଳିଲା । ସେଇଥିରେ ନାମ ଲେଖେଇବାକୁ ତାକୁ କୁହାଗଲା ।

 

ସତ୍ୟପାଳ ମୁରା ଏମ୍‌.ଇ. ସ୍କୁଲର ବିଜ୍ଞାନ ଶିକ୍ଷକ ପଦ ଛାଡ଼ିଲା । କେବଳ ଯେ ଛାତ୍ରମାନେ ଦୁଃଖ କଲେ, ସେଇଆ ନୁହେଁ । ଶିକ୍ଷକମାନେ ମଧ୍ୟ ଦୁଃଖିତ ହେଲେ । ସ୍କୁଲରେ ବିଦାୟକାଳୀନ ସଭାରେ ସତ୍ୟପାଳ କହିଲେ, ସେ ବାଧ୍ୟ ହୋଇ ପଦବୀ ଛାଡ଼ୁଛନ୍ତି । ଯଦି ତାଙ୍କୁ ଇଞ୍ଜିନିୟରିଂରେ ସିଟ୍‌ ମିଳି ନଥାନ୍ତା, ତାହା ହେଲେ ଏହି ପଦବୀ କେବେହେଲେ ଛାଡ଼ି ନଥାନ୍ତେ । ଯେତେବେଳେ ସେ ସୁଯୋଗ ପାଇବେ, ସେ ନିଶ୍ଚୟ ସ୍କୁଲକୁ ଆସିବେ । ତାଙ୍କ ଘର ଏଇ ମୁରା ।

 

ନୂତନ ବାତାବରଣ । ନୂଆ ଇଞ୍ଜନିୟରିଙ୍ଗ କଲେଜର ନାମକରଣ ହେଲା ୟୁନିଭର୍‌ସିଟି କଲେଜ ଅଫ ଇଞ୍ଚନିୟରିଙ୍ଗ । ଗୋଟିଏ ହଲରେ କ୍ଲାସ ହେଉଛି । ପ୍ରଥମ ବ୍ୟାଚରେ ଷାଠିଏ ଜଣ ଛାତ୍ରଛାତ୍ରୀ ଇଞ୍ଜିନିୟର ଥିରୁମଲ୍ଲ ଆୟଙ୍ଗାର ପ୍ରଥମ କ୍ଲାସ ନେଲେ । ସେତେବେଳେ ସେ ହୀରାକୁଦ ନଦୀ ବନ୍ଧର ଚିଫ ଇଞ୍ଜିନିୟର ପଦବୀରେ ଅଧିଷ୍ଠିତ ହୋଇଥାନ୍ତି । ସେ ସହଯୋଗ କରିଛନ୍ତି ଏହି କଲେଜକୁ । କଲେଜର କୋଠା ନିର୍ମାଣ ହେଲା ।

 

ପ୍ରଥମେ ପ୍ରଫେସର ଭୁବନେଶ୍ୱର ବେହେରା ଅଳ୍ପ ସମୟ ପାଇଁ, ତା’ପରେ ପ୍ରଫେସର ଭଗବତ ପ୍ରସାଦ କଲେଜର ପ୍ରିନ୍ସପାଲ ଦାୟିତ୍ୱ ନିର୍ବାହ କରିଥିଲେ । ହଷ୍ଟେଲ ତିଆରି ହୋଇନଥିଲା-। ହୀରାକୁଦ ନଦୀବନ୍ଧ ଯୋଜନାର କୋଡ଼ିଏଟି ସରକାରୀ କ୍ଵାଟର୍ସ ସବୁ ଛାତ୍ରମାନଙ୍କୁ ରହିବାକୁ ଦିଆଗଲା । ସତ୍ୟପାଳ ଗୋଟିଏ କ୍ଵାଟରରେ ରହିଲା । ମନ ଦେଇ ସତ୍ୟପାଳ ପାଠ ପଢ଼ିଲା । ବହୁତ ପରିଶ୍ରମ କଲା । ପ୍ରଥମ ବର୍ଷ ସେ ପ୍ରଥମ ଶ୍ରେଣୀରେ ଉର୍ଣ୍ଣୀତ ହେଲା।

 

ସେ ବାହା ହୋଇସାରିଥିଲା ବୋଲି ଅନେକ ସାଙ୍ଗ ତାକୁ ଚିଡ଼େଉଥିଲେ । ତାଙ୍କ ସମ୍ପ୍ରଦାୟରେ ଅଳ୍ପ ବୟସରେ ବାହା ହେବା ସେତେବେଳେ ସାମାଜିକ ଚଳଣି ଥିଲା ।

 

ଚେମା ସେପ୍ଟେମ୍ବର ୧୬ ତାରିଖରେ ସକାଳେ ଆସି ପହଞ୍ଚିଯାଇଛି ସତ୍ୟପାଳର କ୍ୱାଟରରେ । ରୁମରୁ ସତ୍ୟପାଳର ସାଙ୍ଗ ଦିଲ୍ଲୀପ ବାହାରିଲେ, ଚେମାକୁ ଦେଖିଲେ ।

 

ସେ ଚେମାକୁ ଜାଣି ନଥିଲେ । ଦିଲ୍ଲୀପ ପ୍ରଶ୍ନ କଲେ, ‘‘ତୁମେ କାହାକୁ ଖୋଜୁଛ ?’’

ଚେମା ଉତ୍ତର ଦେଲା,‘‘ମୋର ଜୁଆଇଁ ସତ୍ୟପାଳ ଏଇଠି ରହୁଛନ୍ତି କି ?’’

 

ଦିଲ୍ଲୀପ ଟିକିଏ ଘାବରେଇ ଗଲା ଆଉ କହିଲା, ‘‘ସତ୍ୟପାଳ ଆପଣଙ୍କ ଜୁଆଇଁ ? ଆପଣ ଭାଗ୍ୟବାନ । ସତ୍ୟପାଳକୁ ଜୁଆଇଁ ହିସାବରେ ପାଇଛନ୍ତି ।’’

 

ଚେମାକୁ ରୁମ ଭିତରକୁ ପଠେଇ ଦିଲ୍ଲୀପ ସତ୍ୟପାଳକୁ ପଚାରିଲା, ‘‘ତୁମର ଶ୍ଵଶୁରଙ୍କ ବୟସ କେତେ ହେବ ? ଖାଲି ଦେହରେ ଆସିଛନ୍ତି, ସେଥିଯୋଗୁ ମୁଁ ତାଙ୍କୁ ଅସମ୍ମାନ ହେଲା ଭଳି ପ୍ରଶ୍ନ କଲି । ମୋତେ କ୍ଷମା କରିବେ ।’’

 

‘‘ମୋ ଶ୍ୱଶୁର ବୟସ ଚାଳିଶରୁ କମ୍‌ହେବ । ତୁମେ କିଛି ଭୁଲ କରିନାହଁ । ମୋ ଶ୍ୱଶୁର ଖାଲି ଦେହରେ ଅଛନ୍ତି । ଯାହାହେଉ, ଗୋଟିଏ ଗେଞ୍ଜି ପିନ୍ଧିଛନ୍ତି ଓ ଗୋଟିଏ ଗାମୁଛା ଗେଞ୍ଜି ଉପରେ ପଡ଼ିଛି ।’’

 

୧୫ ସେପ୍ଟେମ୍ବରେ ସତ୍ୟପାଳର ପୁତ୍ର ସନ୍ତାନ ଜନ୍ମ ହୋଇଛି । ମା’ ଓ ପୁଅ ଦୁହେଁ ଭଲ ଅଛନ୍ତି । ଏହି ଖବର ଦେବାକୁ ଚେମା ପହଞ୍ଚିଛି । ସତ୍ୟପାଳ ଆଶ୍ଵସ୍ତିବୋଧ କଲା, ସେ ଯାହା ହେଉ, ଭଲ ଦିନରେ ‘ଇଞ୍ଜିନିୟର ଦିବସ’ରେ ସତ୍ୟପାଳ ବାପା ହେଲା । ମା’ ଓ ପୁଅ ଭଲ ଅଛନ୍ତି ଜାଣି ଖୁସି ହେଲା । ସାଙ୍ଗମାନଙ୍କୁ ରସଗୋଲା ଖାଇବାକୁ ଦେଇ ମୁରା ଯିବାପାଇଁ ବାହାରିଲା । ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ଦରଖାସ୍ତ ଲେଖିଲା ଓ ବାହାରିଲା ।

 

X            X            X            X            X            X

 

ଚେମା ଓ ସତ୍ୟପାଳ ମୁରାରେ ପହଞ୍ଚିଛନ୍ତି ଦିନ ଦ୍ୱିପହରେ ।

ବୈଦେହୀ ଅପେକ୍ଷା କରି ରାସ୍ତାକୁ ଚାହୁଁଛି । ସାବିତ୍ରୀ ଓ ଛୁଆକୁ ଏକା ଛାଡ଼ି ଆସି ପାରୁନାହିଁ । ସେମାନେ ଆସିଗଲେ । ସତ୍ୟପାଳର ଆଉ ଧୈର୍ଯ୍ୟ ରହିଲା ନାହିଁ । ସଙ୍ଗେ ସଙ୍ଗେ ଦଉଡ଼ି ଗଲା । ସାବିତ୍ରୀକୁ ଭେଟିଲା । ସାବିତ୍ରୀ ମଧ୍ୟ ଅପେକ୍ଷାରେ ଥିଲା, କେତେବେଳେ ସତ୍ୟପାଳ ଆସିବେ । ସତ୍ୟପାଳ ସନ୍ତାନର ନାମକରଣ କଥା ଚିନ୍ତାକଲା । ବିଶ୍ୱଜିତ୍‌ ନାଁଟି ତା’ର ଭାରି ପସନ୍ଦ ହେଲା । କାରଣ ଯାହା ନାମରେ ଇଞ୍ଜିନିୟର ଦିବସ ପାଳନ କରାଯାଉଛି ତାଙ୍କ ନାଁ ଥିଲା ବିଶ୍ଵେଶରାୟା । ସାବିତ୍ରୀ ବି ନାଁଟିକୁ ବେଶ୍‌ ପସନ୍ଦ କଲା ।’’

 

ସାବିତ୍ରୀ ଯେତେବେଳେ ଜାଣିଲା, ଇଞ୍ଜିନିୟର ଦିବସରେ ସେ ମା’ ହୋଇଛି, ସେ ବି ଖୁସି ହେଲା । ଯଦି ସତ୍ୟପାଳ ଥାଆନ୍ତା ବିଶ୍ଵଜିତ୍‌ର ଜନ୍ମ ସମୟରେ, ଆହୁରି ଭଲ ହୋଇଥାଆନ୍ତା ।

 

ଅଜା ପୁରୁଷୋତ୍ତମ ଓ ଆଈ କେଉଁଠି ଥିବେ ? ନିଶ୍ଚୟ ଦିନେ ନା ଦିନେ ସେମାନଙ୍କ ସହିତ ଦେଖା ହେବ । ଆମର ଯଦି ଗାଁ ବୁଡ଼ି ନଥାଆନ୍ତା, ତାଙ୍କ ସଙ୍ଗେ ନିଶ୍ଚେ ଦେଖା ହୋଇଥାଆନ୍ତା । ନାତିକୁ ଦେଖି ପୁରୁଷୋଉମ କେତେ ଖୁସି ହୋଇଥାଆନ୍ତେ । ବିସ୍ଥାପନ ଏତେବଡ଼ ସମସ୍ୟା । ବିସ୍ଥାପନ ଯୋଗୁ ପୁରୁଷୋତ୍ତମ ତାଙ୍କ ନାତୁଣୀ କେଉଁଠି ବାହା ହେଲା, ଜାଣିପାରିଲେ ନାହିଁ । ସେମାନେ ସାପଲହରାରୁ କେଉଁଠିକି ଗଲେ, ଜାଣିପାରିଲେ ନାହିଁ । ଏହା ଭାବି ଭାବି ସାବିତ୍ରୀର ନିଦ ହୋଇଯାଇଛି । ଗତ ରାତିସାରା ସାବିତ୍ରୀ ଶୋଇନାହିଁ ।

 

ଚେମା ଆନନ୍ଦରେ ଗାଁ ସାରା ବୁଲି ଖବର ଦେଲାଣି, ସେ ଅଜା ହେଲା ।

ସତ୍ୟପାଳ ସ୍କୁଲକୁ ଗଲା । ସେଇଠି ପ୍ରଧାନଶିକ୍ଷକ ଓ ବାକି ଶିକ୍ଷକମାନେ ଜାଣିସାରିଥିଲେ, ଯେ ସତ୍ୟପାଳର ପୁଅ ହୋଇଛି । ସତ୍ୟପାଳ ମଧ୍ୟ ଗାଁରେ ଯେତିକି ବନ୍ଧୁ ଥିଲେ, ସେମାନଙ୍କୁ ଖବର ଦେଲା ।

 

X            X            X            X            X            X

 

ପୁରୁଷୋତ୍ତମ ଯେତିକି ଟଙ୍କା, ଚୂଡ଼ା, ଚାଉଳ ନେଇ ତୀର୍ଥ ଯାତ୍ରାରେ ବାହାରିଥିଲେ, ସବୁ ସରିଗଲା । ତା’ପରେ କ’ଣ କରିବେ ?

 

ଏବେ ସାପଲହରା ବୁଡ଼ିଯାଇଥିବ । ସାପଲହରା ତ ଯାଇପାରିବେ ନାହିଁ । ପେଟର ଜ୍ୱାଳା ସବୁଠୁ ବଡ଼ ଜ୍ୱାଳା । ମଣିଷ ସଚୁ କିଛି ସହି ନେଇପାରେ, ପେଟର ଜ୍ୱାଳା ସହିପାରେ ନାହିଁ । ପୁରୁଷୋତ୍ତମର ସାପଲହରାରେ ପକ୍କା ଘର, ଛଅ ଏକର ଜମି ଥିଲା । ବାଡ଼ି ବଗିଚା ଥିଲା । କେତେ ଭଲ ଜୁଆଇଁ ଥିଲା, ଚେମା । ସୁଖର ସଂସାର ଥିଲା । ଆଜି କିନ୍ତୁ ସେମାନେ ଦାଣ୍ଡର ଭିକାରୀ ! ଏବେ ପରିସ୍ଥିତି ଯାହା, ଭିକ ମାଗିଲେ ଯାଇ ଦୁଇଜଣଙ୍କୁ ଖାଇବାକୁ ମିଳିବ ।

 

X      X      X      X      X      X      X      X      X

 

ଭଣ୍ଡାରିମାଲ ଗାଁକୁ ଆସିଛନ୍ତି ଚେମା, ବୈଦେହୀ ଓ ସାବିତ୍ରୀ । ଖବର ମିଳିଲା ଯେ, ଲୋକନାଥର ଝିଅ ହୋଇଛି । ମାମି କହିଲା, ‘‘ମୋର ଦାଦା ଆସିଲେ ନାହିଁ ।’’

 

‘‘ତାକୁ ଛୁଟି ମିଳିଲା ନାହିଁ । ନ ବୈଦେହୀ କହିଲା ।

‘‘ଏବେ ଦ୍ୱିତୀୟ ବର୍ଷ । ସତ୍ୟପାଳ କହୁଥିଲା, କଡ଼ା ପାଠ । ବହୁତ ପରିଶ୍ରମ ଦରକାର ।’’ ଚେମା କହିଲା ।

 

ମାମି କହିଲା, ‘‘ମୁଁ କେଉଁଠୁ ଜାଣିବି ଇଞ୍ଜନିୟରିଂ ପାଠ କଥା ? ସାବିତ୍ରୀ ତ ତାଙ୍କ ଘରୁ ତଡ଼ା ଖାଇଲା । ପାଠ ଛାଡ଼ିଲା । ସାପଲହରା ଗାଁକୁ ଆସିବା ପରେ ଆଉ ଆମ ସ୍କୁଲରେ ନାଁ ଲେଖେଇଲା ନାହିଁ । ମୁଁ ପଢ଼ୁଥିଲି ଆମ ସ୍କୁଲରେ । ନଦୀବନ୍ଧ କାମ ଯୋଗୁ ଆଉ ସ୍କୁଲରେ ଶିକ୍ଷକ ରହିଲେ ନାହିଁ । ନୂଆ ଶିକ୍ଷକ ଆମ କ୍ଲାସରେ କାହାରିକୁ ଦିଆଗଲା ନାହଁ । ମୁଁ ସେଥିଯୋଗୁ ପାଠ ଛାଡ଼ିଲି ।’’

 

‘‘ଆଚ୍ଛା, ଅଜା କହିଲ, କାହିଁକି ଆମ ଗାଁରେ ଆଠବର୍ଷ ପାଇଁ କୌଣସି କାମ ହେଲାନାହିଁ-?’’ ମାମି ପଚାରିଲା।

 

ଚେମା ଉତ୍ତର ଦେଲା, ‘‘ତୁ ଜାଣିଛୁ, ତଥାପି ପଚାରୁଛୁ । ହୀରାକୁଦ ବନ୍ଧ କାମ ଜୋରରେ ଚାଲୁଥିଲା । ସରକାର ଦେଖିଲେ ଗାଁ ତ ବୁଡ଼ିବ, ଲୋକ ବିସ୍ଥାପିତ ହେବେ, ଗାଁ ଛାଡ଼ିବେ । ସବୁ କାମ ବନ୍ଦ କରିଦେଲେ । ସରକାର ଟଙ୍କାଟିଏ ବି ଆମ ଅଞ୍ଚଳରେ ଖର୍ଚ୍ଚ କଲେନାହିଁ ।’’

 

ଲୋକନାଥ କୁଆଡ଼େ କାମରେ ଯାଇଥିଲା । ତାଙ୍କ ଘରକୁ ମାମିର ଝିଅ ଦେଖିବାକୁ ଆସିଛନ୍ତି ଖବର ମିଳିବାରୁ, ଘରକୁ ଫେରିଲା । ଲୋକନାଥର ମା’ ରୋଷେଇ ଘରକୁ ଚା’ ତିଆରି କରିବାକୁ ପଶିଲେ । ଆଗରୁ ରସବରା ତିଆରି କରିଥିଲେ । ସମସ୍ତଙ୍କ ପାଇଁ ଚା’ ଓ ରସବରା ଆଣି ବାଢ଼ିଲେ ।

 

ବୈଦେହୀ ଲୋକନାଥର ଝିଅକୁ ରୂପାର ବଳା ପିନ୍ଧେଇଦେଲେ ।

ଲୋକନାଥ ଭୁଲକା ପଡ଼ାରେ ରହୁଥିଲା । ଚେମା ଗାଁକୁ ଆସିବା ଖବର ଚାରିଆଡ଼େ ପ୍ରଚାର ହେଇଗଲା ।

 

ଭୁଲକା ପଡ଼ାର ବିହାରିଲାଲ ସାହୁ, ତାଙ୍କର ଭଣଜା ଗୌରା ଆସିଗଲେ ।

ଚେମା ବିହାରିଲାଲକୁ ନମସ୍କାର କଲା । ଚେମା ମୁରା କ୍ୟାମ୍ପରେ ରହିବା ଆଗରୁ ବିହାରିଲାଲକୁ ଭଣ୍ଡାରିମାଲ ଅଞ୍ଚଳରେ ଜମି ଦର ବିଷୟରେ ପଚାରିଥିଲା । ବିହାରିଲାଲ ପଚାରିଲା, ‘‘କୁଆଡ଼େ ଆସିଥିଲ ?’’

 

ଚେମା, ‘‘ତୁମର ଗାଁ ଏଇ ଭୁଲକା ପଡ଼ାକୁ ଲୋକନାଥ ଝିଅ ହୋଇଛି । ତାକୁ ଦେଖିବାକୁ ଆସିଥିଲୁ । ଏବେ ଥରକୁ ଥର ଆସିବାକୁ ପଡ଼ିବ । ଆମେ ଝିଅ ଦେଇଛୁ ତୁମ ଗାଁରେ ।’’

 

‘‘ଲୋକନାଥର ଝିଅ ହୋଇଛି, ମୋତେ ଆଜି ସୁଦ୍ଧା କହିନାହିଁ । ତାକୁ ମୁଁ ଦେଖିବି । ମୋତେ କାହିଁକି କହିନାହିଁ ।’’ ବିହାରିଲାଲ କହିଲା ।

 

ବିହାରିଲାଲ ସାହୁ ଏତିକି କହି, ପୁରୁଣା କଥା ସବୁ ମନେ ପକେଇଲା । ଭୁଲକା, ପରତା, ସାପଲହରା, ରମ୍ପେଲ୍ଲା ଆଦି ବିଷୟରେ କହିଲା । ତା’ର ଭଣଜା ଶୁଣୁଥାଏ । ସେ ଗାଁ ଛାଡ଼ିକି ଆସିବାବେଳେ ତାକୁ ତିନି ବର୍ଷ ହୋଇଥିଲା । ଭଣଜାକୁ କିଛି ଜଣାନାହିଁ ।

 

ଭୁଲକା ଗାଁର କଥା ଏହି ଘଟଣା ଏପ୍ରିଲ ୧୯୫୫ରେ । ରାତି ଅଧରେ କେତେଜଣ ପୁଲିସ କନଷ୍ଟେବଲ ଆଉଜଣେ ମାଜିଷ୍ଟ୍ରେଟ ଆସିଲେ । ଆମର ଗାଁରେ ସେହିଦିନ ଗୌନ୍ତିଆ ନଥାଆନ୍ତି । ସେମାନେ ଜାଣିକରି ଆସିଥିଲେ । ଟ୍ରକ ଆଠଟା ଖଣ୍ଡେ ଆସିଥିଲା । ସବୁ ଡ୍ରାଇଭର ପଞ୍ଜାବୀ ଥିଲେ ।

 

ରାତିଅଧରେ ଆସି ଦିବାକର ସାହୁ ଘରେ କବାଟ ବାଡ଼େଇଲେ । ଦିବାକର କବାଟ ଖୋଲି ଦେଖେ ଡ୍ରେସରେ କେତେଜଣ ପୁଲିସ ଓ ସାଦା ଡ୍ରେସରେ ଜଣେ ଥିଲେ । ସେମାନେ ଚୋର କିମ୍ବା ଡକାୟତ ନୁହନ୍ତି । କିନ୍ତୁ ଯାହା ବ୍ୟବହାର ଦେଖେଇଲେ ଚୋର ଡକାୟତଠୁ ବଳି କରି-

 

ସେମାନେ କହିଲେ, ‘‘ଚାଲ, ବାହାର । ତୁମେ ଯେଉଁ କ୍ୟାମ୍ପ କହିବ, ଆମେ ଛାଡ଼ିଦେବୁ । ଆମେ ଆଠଟି ଟ୍ରକ ଧରି ଆସିଛୁ ।’’

 

ଦିବାକର କହିଲା, ‘‘ସକାଳ ହେଉ । ମୁଁ ଯିବି । ଯଦିଓ ମୁଁ କ୍ଷତିପୂରଣ ପାଇନାହିଁ, ତଥାପି ଯିବି । ଘରେ ଜଣକର ଶରୀର ଭାରି ଅସୁସ୍ଥ ଅଛି । କାଲି ସକାଳେ ଆମେ ନିଶ୍ଚିତ ଭାବେ ଯିବୁ ।’’

 

‘‘ଆମେ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଆସିନାହୁଁ । ଶୀଘ୍ର ବାହାର । ଟ୍ରକରେ ଜିନିଷ ଭର୍ତ୍ତି ହେବ । ଆମେ ଯିବୁ ।"

 

ସେମାନେ ମାନିଲେ ନାହିଁ । ବାଧ୍ୟ ହୋଇ ଦିବାକର ସମସ୍ତଙ୍କୁ ନିଦରୁ ଉଠେଇଲା । ରାତା ରାତି ଟ୍ରକରେ ଜିନିଷପତ୍ର ବୋଝେଇ କଲା । ଦିବାକର ପରିବାର ମୁରାକ୍ୟାମ୍ପ ଗଲେ । ସକାଳେ ପହଞ୍ଚିଲେ । ଏକଥା ଦିବାକର ମୋତେ ନିଜେ କହିଛି ।

 

ଚେମା କହିଲା, ‘‘ଗାଁ ଛାଡ଼ିଲାବେଳେ ଆମର ବି ଏମିତି ହୋଇଥିଲା । ରାତି ଅଧରେ ପୁଲିସ ଆସି ଅତ୍ୟାଚାର କଲେ । ସତ୍ୟପାଳ ସବୁ ମାନି ନେଇଗଲା ବୋଲି ଗଣ୍ଡଗୋଳ ହେଲାନାହିଁ । ମୋ ଝିଅ ସାବିତ୍ରୀ ଗର୍ଭବତୀ ହେଲେ ସୁଦ୍ଧା ଅଧରାତିରେ ଘର ଛାଡ଼ିଛି ।’’

 

ଚେମା ପୁଣି କହିଲା, ‘‘ମୁଁ ତ ଶୁଣିଛି, ଟ୍ରକରୁ ଜଣେ ଗଳିପଡ଼ିଲେ । ଯେ ଟ୍ରକରୁ ଗଳିଗଲେ, ସେଇ ଜଣକ ସେଇଠି ସ୍ଵର୍ଗ ପ୍ରାପ୍ତି ହେଲେ । ବାକି ସମସ୍ତେ ଟ୍ରକ ଅଟକେଇବାକୁ ଚେଷ୍ଟା କଲେ । ଡ୍ରାଇଭର ଅଟକେଇଲା ନାହିଁ । ହେଲେ ଡ୍ରାଇଭରର ଦୋଷ ହେଲା ମାନବିକ ମୂଲ୍ୟବୋଧର ସ୍ଥାନ କେଉଁଠି ? ଏହିସବୁ ଅତ୍ୟାଚାର ବିଷୟରେ ଓଡ଼ିଶା ବିଧାନସଭାରେ ଆଲୋଚନା ହେଲା । ହେଲେ ଲାଭ କ’ଣ ହେଲା ?’’

 

‘‘ଆମ ବିସ୍ଥାପିତଙ୍କ କଥା କିଏ ଶୁଣୁଛି ? ’’

ସତ୍ୟପାଳର ବାପା ଓ ମା’ ଦୁହେଁ ତୀର୍ଥଯାତ୍ରାରେ ବାହାରିଲେ ।

 

ସେମାନେ ଚୂଡ଼ା, ଗୁଡ଼, ଚାଉଳ, ଡାଲି, ଆମ୍ବୁଲ, ଆଚାର ଆଦି ଧରି ବାହାରିଲେ । ପ୍ରଥମେ ରେଳ ଟିକେଟ କରିଥାନ୍ତି ଉତ୍ତର ଭାରତର କୁମ୍ଭ ମେଳାକୁ ଯିବେ । ସେଇଠି କିଛିଦିନ ରହିବେ । କୁମ୍ଭ ମେଳା ଆଉ କିଛିଦିନ ପରେ ଆରମ୍ଭ ହେବ ।

 

ପୁରୁଷୋତ୍ତମ ଓ ତାଙ୍କ ସ୍ତ୍ରୀ ବାହାରିଥିଲେ ସାପଲହରା ଗାଁରୁ । ଏମାନେ ବାହାରୁଛନ୍ତି ମୁରା କ୍ୟାମ୍ପରୁ । ସତ୍ୟପାଳ ଓ ସାବିତ୍ରୀ ବିଦାୟ ଦେବାକୁ ଆସିଛନ୍ତି ରାଉରକେଲାରୁ ।

 

ସତ୍ୟପାଳ କ୍ଷେତ୍ରରାଜପୁର ଷ୍ଟେସନ ଆସିବା ପାଇଁ ଗୋଟିଏ କାରର ବ୍ୟବସ୍ଥା କରିଥାଏ । ସମସ୍ତେ ଖୁନ୍ଦା ଖୁନ୍ଦି ହୋଇ ଆସିଛନ୍ତି ମୁରା କ୍ୟାମ୍ପରୁ ।

 

ସତ୍ୟପାଳ ତା’ ମା’କୁ କହିଲା, ‘‘ଏବେ ଟ୍ରେନରେ ବହୁତ ଗୁଣ୍ଡା ପ୍ରକୃତିର ଲୋକ ଗଣ୍ଡଗୋଳ କରୁଛନ୍ତି । ମା’, ସାବଧାନ ରହିବ । ତୁମେ ତାଙ୍କ ପାଖରେ ବସିଥିବ । ଷ୍ଟେସନ ଆସିଲେ ସେମାନେ ତୁମ ଟ୍ରଙ୍କ ଧରି ଓହ୍ଲେଇଯିବେ । ତୁମେ ଜାଣିପାରିବ ନାହିଁ ।’’

 

ମା’, ‘‘ବୁଝିଲି ବାପା, ସାବଧାନ ରହିବି ।’’

‘‘ଚେମା, ଆମେ ଫେରିବୁ କି ନାହିଁ, ସନ୍ଦେହ ରହୁଛି । ତୁମେ ଦେଖିବ, ଯେମିତି ସତ୍ୟପାଳର ଜମି ସବୁ ପଡ଼ିଆ ନ ରହେ । ସତ୍ୟପାଳ ଆଗରୁ ବି ଜମି ବିଷୟରେ ବୁଝୁ ନଥିଲା । ଏବେ ତ ପାଠ ପଢ଼ୁଛି । ତା’ର ସମୟ କାହିଁ । ତୁମକୁ ଲାଗିଲା ।’’

 

ସତ୍ୟପାଳର ବାପା କହିଲା ।

ଏତିକିବେଳେ ଟ୍ରେନ ହୁଇସିଲ ମାରି ଛାଡ଼ିଲା । ସମସ୍ତଙ୍କ ଆଖିରୁ ଲୁହ ଗଡୁଥାଏ ।

 

X      X      X      X      X      X      X      X      X

 

ସତ୍ୟପାଳ ଏବେ ଚତୁର୍ଥ ଓ ଶେଷ ବର୍ଷରେ । ଗତବର୍ଷ ମଧ୍ୟ କ୍ଲାସରେ ପ୍ରଥମ ସ୍ଥାନ ଅଧିକାର କରିଛି । ଭଲ ପଢୁଛି । ହଷ୍ଟେଲ ସାଙ୍ଗ ଦିଲ୍ଲୀପ, ବିପିନ ବ୍ୟତୀତ ସତ୍ୟପାଳର ଅନେକ ସାଙ୍ଗ ଅଛନ୍ତି ।

 

ତାଙ୍କ କ୍ଲାସରେ ଜଣେ ମାତ୍ର ଛାତ୍ରୀ ଥିଲା । ତା’ର ନାଁ ହେଉଛି ମେନକା । ଜଣେ ମାତ୍ର ଛାତ୍ରୀ ଥିଲା ବୋଲି ମେନକା ଆଗ ଧାଡ଼ିରେ ବସେ । ସେ ସ୍ଵର୍ଗର ମେନକା ପରି ସୁନ୍ଦରୀ ।

 

ସତ୍ୟପାଳ ଅଧିକାଂଶ ଥର ଆଗ ଧାଡ଼ିରେ ବସେ । ସତ୍ୟପାଳ ବାଧ୍ୟ ହୋଇ ମେନକା ସହିତ କଥାବାର୍ତ୍ତା ହୁଏ । ତ୍ରିବିକ୍ରମ ଓ ଶେଷଦେବ ଯେହେତୁ କ୍ଲାସରେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ, ସେମାନେ ସତ୍ୟପାଳକୁ ସ୍ଵାଭାବିକ ଭାବେ ଇର୍ଷା କରନ୍ତି । ତଥାପି ସେମାନେ ଧରାପଡ଼ନ୍ତି ନାହିଁ ।

 

କ୍ଲାସରେ ଜଣେ ମାତ୍ର ଛାତ୍ର ଯେ କି ଶିକ୍ଷକଙ୍କ ପ୍ରଶ୍ନର ସଠିକ ଉତ୍ତର ଦିଏ, ସେ ହେଉଛି ସତ୍ୟପାଳ । ଅନ୍ୟମାନେ ଉତ୍ତର ଦେବାକୁ ଚେଷ୍ଟା କରନ୍ତି, କିନ୍ତୁ ଉତ୍ତର ଅନେକ ଥର ଭୁଲ ହୁଏ । ସେଥିଯୋଗୁ ଶିକ୍ଷକମାନେ ସତ୍ୟପାଳକୁ ଭଲ ପାଆନ୍ତି । ଏଇବର୍ଷ ମଧ୍ୟ ସତ୍ୟପାଳର ପରିଶ୍ରମ ବୃଥା ଯିବନାହିଁ ।

 

ଦିନେ କ୍ଲାସ ଚାଲିଥାଏ । ମେନକାର ପେନସିଲ ତଳେ ପଡ଼ିଗଲା । ସୌଜନ୍ୟ ଦୃଷ୍ଟିରୁ ସତ୍ୟପାଳ ତଳୁ ପେନସିଲକୁ ଗୋଟେଇ ଆଣିଲା । ମେନକା ହସିଦେଲା । ସତ୍ୟପାଳ ମଧ୍ୟ ହସିଦେଲା । ଠିକ୍‌ ଏହି ସମୟରେ ଶେଷଦେବ ଦୁଇଜଣ ହସୁଥିବାର ଦେଖିଲା ।

 

ଶେଷଦେବ କ୍ଲାସ ସରିଗଲା ଉତ୍ତାରୁ ମେନକାକୁ ପଚାରିଲା, ‘‘ସତ୍ୟପାଳକୁ ଦେଖି କାହିଁକି ହସିଲ ?’’

 

ମେନକା, ‘‘ମୋ ଇଛା ହେଲା, ହସିଲି । ତୁମର କ’ଣ ଅସୁବିଧା ହେଲା ?’’

ଶେଷଦେବ ଅପମାନିତ ବୋଧ କରି କହିଲା, ‘‘ହଉ, ସମୟ ଆସୁ । ଦେଖିଦେବି ।’’

 

ଅନ୍ୟଦିନ କ୍ଲାସ ଚାଲିଥାଏ । ମେନକାର ରୁମାଲ ତଳେ ପଡ଼ିଗଲା । ଏଥର ଦୁହେଁ ଏକସଙ୍ଗେ ରୁମାଲକୁ ଗୋଟାଇଲେ । ଦୁହିଁଙ୍କ ମୁଣ୍ଡ ଏକ ସଙ୍ଗେ ତଳକୁ ଗଲା, ସତ୍ୟପାଳର ମୁହଁ ମେନକାର ମୁହଁରେ ଜୋରରେ ଧକ୍କା ଦେଲା । ଫଳରେ କ୍ଲାସରେ ବିଶୃଙ୍ଖଳା ଦେଖାଦେଲା ।

 

ଶେଷଦେବ ଏଇ ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ । ଶେଷଦେବ ନିଜ ସିଟରେ ଠିଆହୋଇ କହିଲା, ‘‘ସାର୍‌, କ୍ଲାସ ବାହାରେ, କେଉଁଠି ଅନ୍ୟ ଜାଗାରେ, ଲୁଚି ଛପି ଭାବ ଦିଆନିଆ କଲେ, ଆମର କିଛି କହିବାର ନଥିଲା । କ୍ଲାସ ଭିତରେ ଇଏ ସବୁ କ’ଣ ଚାଲିଛି ? ଆପଣ ସାର୍‌, ଚାହିଁଲେ ଏବେ ସେମାନଙ୍କୁ ଶାସ୍ତି ଦେଇପାରିବେ । ମୋର ଇଚ୍ଛା ଆପଣ କ୍ଲାସ ନିଅନ୍ତୁ ! କିନ୍ତୁ, ସେଇ ଦୁଇଜଣଙ୍କ ଉପସ୍ଥିତିରେ ନୁହେଁ ।’’

 

ଶିକ୍ଷକ ମହୋଦୟ ସତ୍ୟପାଳକୁ ଠିଆ କରି ପ୍ରଶ୍ନ କଲେ, ‘‘ଏଇ ବାବଦରେ ତୁମର କ’ଣ କହିବାକୁ ଅଛି ? କୁହ ।’’

 

‘‘ସତ୍ୟପାଳ କେବେହେଲେ ଭାବିନଥିଲା ଏମିତି ଏକ ଅଘଟଣ ଘଟିବ । ‘‘ସାର୍‌, ମୁଁ ଏଥିଯୋଗୁ ଦୁଃଖିତ । ମୋତେ ଯାହା ଶାସ୍ତି ଦେବେ, ଦିଅନ୍ତୁ । ମୁଁ ଶାସ୍ତି ପାଇଁ ପ୍ରସ୍ତୁତ ।’’

 

ଶିକ୍ଷକ ମହୋଦୟ କେବଳ ସତ୍ୟପାଳକୁ କ୍ଲାସରୁ ବାହାରିଯିବା ପାଇଁ କହିଲେ । ପୁଣି ଶେଷଦେବ ଠିଆ ହୋଇ କହିଲା, ‘‘ସାର୍‌ ଆପଣ ମହିଳାମାନଙ୍କୁ ରକ୍ଷା କରିବାକୁ ଯାଇ ମେନକା ଦେବୀଙ୍କ ଦୋଷ ଦେଖୁନାହାନ୍ତି ।’’

 

ଶିକ୍ଷକ ମହୋଦୟ ବାଧ୍ୟ ହୋଇ ମେନକାଙ୍କୁ ମଧ୍ୟ କ୍ଲାସରୁ ବାହାର କଲେ । ତା’ପରେ ଶାନ୍ତିରେ କ୍ଲାସ ଚାଲିଲା । କ୍ଲାସ ବାହାରେ ସତ୍ୟପାଳ ଓ ମେନକା ଦୁହେଁ ଛିଡ଼ା ହେଲେ ।

 

ସତ୍ୟପାଳ କିଛି କହିବା ଆଗରୁ ମେନକା କହିଲା, ‘‘ସବୁ ମୋର ଦୋଷ । ମୋ ଯୋଗୁ ଏଇସବୁ ଅଘଟଣ ହେଲା ।’’

 

‘‘ମୁଁ ବିବାହିତ ବୋଲି ତୁମେ ମେନକା ଜାଣିଥିବ । ମୋ ପୁଅର ବୟସ ତିନି ବର୍ଷ ।’’ ସତ୍ୟପାଳ ଉତ୍ତର ଦେଲା ।

 

ମେନକା କହିଲା, ‘‘ହଁ, ମୁଁ ଜାଣେ । ଏହିସବୁ ଜାଣି ସୁଦ୍ଧା ତୁମ ପ୍ରତି ମୋ ଦୁର୍ବଳତା ରହିଛି-।’’

 

ମେନକା ସତ୍ୟପାଳକୁ କହିଲା, ‘‘ମୁଁ ତୁମକୁ ଭଲପାଏ ।’’

‘‘ତୁମେ ଭୁଲ କରୁଛ, ‘‘ମୁଁ ସ୍ୱପ୍ନରେ ସୁଦ୍ଧା ଏଇକଥା ଭାବି ନଥିଲି’’ ବୋଲି ସତ୍ୟପାଳ ମେନକାକୁ କହିଲା ।

 

‘‘ସାବିତ୍ରୀକୁ ମୁଁ ଛାଡ଼ିପାରିବି ନାହିଁ, ‘‘ମୁଁ ସତ କହୁଛି ।’’ ଏତିକି କହିପାରିଲା ସତ୍ୟପାଳ । ମେନକା ବାସ୍ତବତାକୁ ବୁଝିନେଲା ।

 

X      X      X      X      X      X      X      X      X

 

ଇଞ୍ଜିନିୟରିଂର ପରୀକ୍ଷା ଫଳ ବାହାରିଲା । ସତ୍ୟପାଳ କଲେଜରେ ପ୍ରଥମ ହୋଇଛି । କେବଳ ଇଲେକ୍ଟ୍ରିକାଲ ନୁହେଁ । ସବୁ ମଧ୍ୟ ସେ ମିଶି ଆକଳନ କଲେ, କଲେଜରେ ପ୍ରଥମ ସ୍ଥାନର ଅଧିକାରୀ ।

 

ପ୍ରିନ୍ଵିପାଲ ସତ୍ୟପାଳକୁ ଅଭିନନ୍ଦନ ଜଣେଇଲେ । ସମସ୍ତ ଶିକ୍ଷକମାନେ ତାକୁ ଅଭିନନ୍ଦନ ଜଣେଇଲେ । ତିବିକ୍ରମ, ଶେଷଦେବ ମଧ୍ୟ ଅଭିନନ୍ଦନ ଜଣେଇଲେ । ଦୁହେଁ ତାଙ୍କର ଭୁଲ ମାନିଲେ-

 

ସତ୍ୟପାଳକୁ ଶେଷଦେବ କ୍ଷମା ମାଗିଲା ଓ ସେହିଦିନ ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ବଖାଣିଲା । ତିବିକ୍ରମ ମଧ୍ୟ ଭୁଲ ସ୍ଵୀକାର କଲା ।

 

ସତ୍ୟପାଳ ପରୀକ୍ଷା ଫଳ ଖବର ଘରକୁ ଜଣେଇବା ପାଇଁ ମୁରା ଗଲା । ଘରେ ପହଞ୍ଚୁ ପହଞ୍ଚୁ ରାତି ହୋଇଥିଲା । ସର୍ବପ୍ରଥମେ ଚେମାକୁ ଖବର ଜଣେଇଲା ।

 

ଚେମାର ଆନନ୍ଦର ସୀମା ରହିଲା ନାହିଁ । ଚେମାର ବୟସ ପାଖାପାଖି ୪୭ ବର୍ଷ । ସେଇ ବୟସରେ ଚେମା ଖାଲି ଡେଇଁଲା, କୁଦିଲା । ଛୋଟ ଛୁଆ ଯେମିତି ଚକୋଲେଟ ପାଇଲେ ଖୁସି ହୁଏ, ସେମିତି ଖୁସି ହେଲା ।

 

ସାବିତ୍ରୀ ଜାଣିଲା, ସତ୍ୟପାଳ କଲେଜରେ ପ୍ରଥମ, ସେ ଭଗବାନଙ୍କୁ ପ୍ରାର୍ଥନା କଲା, ‘‘ହେ ଭଗବାନ, ମୋ ସତ୍ୟବାନଙ୍କୁ ଦୀର୍ଘାୟୁ କର ।’’ ବିଶ୍ୱଜିତ୍‌ କେବଳ ଏହା ଖୁସିର ଖବର ବୋଲି ଜାଣିପାରିଲା । ସେ କିଛି ବୁଝୁ ନଥାଏ। ସତ୍ୟପାଳ ବିଶ୍ଵଜିତ୍‌ ପାଇଁ ଗୋଟିଏ ଚକୋଲେଟ ଆଣିଥିଲା, ଧରେଇ ଦେଲା ।

 

ମୁରାରେ ଜଣାଗଲା ସତେ ଯେମିତି ସତ୍ୟପାଳ କିଛି ଗୋଟିଏ ଗଡ଼ ଜିଣିକି ଆସିଛି । ଚେମାର ଜୁଆଇଁ ପ୍ରଥମ ହୋଇଛି ବୋଲି ପ୍ରଚାର ହେଲା ।

 

ଚେମା ସତ୍ୟପାଳ ଅପେକ୍ଷା ଆହୁରି ଆନନ୍ଦିତ ଜଣାଯାଉଥିଲା ।

 

X      X      X      X      X      X      X      X      X

 

ସମ୍ବାଦପତ୍ରରେ ବିଜ୍ଞାପନ ଦେଖି ସତ୍ୟପାଳ ଦରଖାସ୍ତ କଲା । ୧୯୬୦ରେ ହୀରାକୁଦ ନଦୀବନ୍ଧ ପ୍ରୋଜେକ୍ଟରେ ଜୁନିୟର ଇଞ୍ଜିନିୟର ଦରଖାସ୍ତ ଆହ୍ଵାନ କରିଥିଲେ ।

 

ସତ୍ୟପାଳକୁ ସଙ୍ଗେ ସଙ୍ଗେ ଚାକିରି ମିଳିଗଲା । ସେ ଜୁନିୟର ଇଞ୍ଜିନିୟରଭାବେ ବୁର୍ଲାରେ ଯୋଗାଦାନ କଲା । ବୁର୍ଲା ତାହାର ପୁରୁଣା ଜାଗା । ସେତେବେଳେ କେନ୍ଦ୍ର ସରକାରଙ୍କ ଅଧିନରେ ସତ୍ୟପାଳ କାମ କଲା । ବର୍ଷେ ନ ପୁରୁଣୁ ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡ଼ରେ ଦରଖାସ୍ତ କରିବାକୁ ଆହ୍ଵାନ କରାଗଲା । ବୁର୍ଲାରେ ଥାଇ ସତ୍ୟପାଳ ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡ଼କୁ ଦରଖାସ୍ତ କଲା । ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡ଼ ତାଙ୍କ ଦରଖାସ୍ତ ଦେଖି ସଙ୍ଗେ ସଙ୍ଗେ ବୋର୍ଡ଼ରେ ଭର୍ତ୍ତି କଲେ । ରାଉରକେଲାରେ ଯୋଗଦାନ କରିବାକୁ ଆଦେଶ ଆସିଗଲା । ସତ୍ୟପାଳ ରାଉରକେଲାରେ ଜୁନିୟର ଇଞ୍ଜିନିୟର ଭାବେ ଯୋଗଦାନ କରିବା ପୁର୍ବରୁ ମୁରା ଗାଁକୁ ଗଲା ।

 

ଚେମା, ବୈଦେହୀ ଓ ସାବିତ୍ରୀକୁ ସାଙ୍ଗରେ ରାଉରକେଲା ନେବାପାଇଁ ସତ୍ୟପାଳ ମନସ୍ଥ କଲା ।

 

ପ୍ରଥମେ ଚେମାକୁ ବୁଝେଇଲା ରାଉରକେଲାରେ କେମିତି ରହିବାକୁ ହେବ । ରାଉରକେଲା ଗଲେ, ଗେଞ୍ଜି ଉପରେ ସାର୍ଟ ପିନ୍ଧିବାକୁ ହେବ । ସେଇଠି ମଫସଲୀ ଭଳି ରହିଲେ, ସମସ୍ତେ ହସିବେ । ସାବିତ୍ରୀକୁ ବୁଝେଇଲା, ସେଇଠି ସବୁବେଳେ ବ୍ଳାଉଜ ପିନ୍ଧିବାକୁ ହେବ । ସାବିତ୍ରୀ ଅନେକ ସମୟରେ ବ୍ଲାଉଜ ପିନ୍ଧିବାକୁ ଭୁଲିଯାଏ । ବୈଦେହୀ ବି ଅନେକ ସମୟରେ ବ୍ଲାଉଜ ପିନ୍ଧୁ ନଥିଲେ ।

 

ବୈଦେହୀକୁ ଯାହା କହିବାର ଥିଲା, ସାବିତ୍ରୀକୁ କହିଦେଲା । ସମସ୍ତଙ୍କୁ ବୁଝେଇବା ତାହାର କର୍ତ୍ତବ୍ୟ ବୋଲି ମନେକଲା । ରାଉରାକେଲା ଗଲେ ଯେମିତି କେହି ମନ୍ତବ୍ୟ ନ ଦିଅନ୍ତି, ଯେ କେଉଁ ନିପଟ ମଫସଲରୁ ଏମାନେ ଆସିଛନ୍ତି ।

ସତ୍ୟପାଳ ରାଉରକେଲା ଗଲା । ପ୍ରଥମେ ବୋର୍ଡ଼ କ୍ଵାଟର ଦେଖି ଆସିଲା । କ୍ୱାଟରରେ ରଙ୍ଗ ଦେଲା । କ୍ୱାର୍ଟର ଠିକ୍‌ଠାକ୍‌ କଲା ।

ସତ୍ୟପାଳ ଛୁଟିରେ ଗାଁକୁ ଆସିଲା ।

ଆସିବା ମାତ୍ରେ ଚେମାକୁ ଭେଟିଲା । ଚେମା ବିଲରୁ ଫେରୁଥିଲା ।

ଚେମା କହିଲା, ‘‘ଜମି ଛାଡ଼ିକି ମୁଁ କେମିତି ଯିବି ? ମୁଁ ଯାଇପାରିବି ନାହିଁ ।’’

ସତ୍ୟପାଳ, ‘‘ତୁମେ ଯିବା ଆସିବା କରିବ । ଯେତେବେଳେ ଦରକାର ତୁମେ ଗାଁକୁ ଆସିବ । ମନେଅଛି, ଆଜିଠୁ ସାର୍ଟ ପିନ୍ଧିବା ଅଭ୍ୟାସ କର । ମୁଁ ନୂଆ ଦୁଇଟି ସାର୍ଟ ରାଉରକେଲାରୁ ଆଣିଛି ।’’

ଚେମା, ‘‘ମନେଅଛି, ବାପା, ତୁମେ ଯାହା କହିଥିଲ ଠିକ୍‌ଠିକ୍‌ ମନେ ଅଛି ।’’

ସତ୍ୟପାଳ ବ୍ୟାଗରୁ ଦୁଇଖଣ୍ଡ ସାର୍ଟ ବାହାର କରି ଚେମାକୁ ଦେଲା । ଚେମା ଖୁସିରେ ନେଲା ।

ସାବିତ୍ରୀ ଓ ବୈଦେହୀ ପାଇଁ ଭଲ ଶାଢ଼ି ଆଣିଥିଲା । ସାବିତ୍ରୀକୁ ଶାଢ଼ି ବାହାର କରି ଦେଲା । ଏତିକି ବେଳକୁ ବିଶ୍ଵଜିତ୍‌ଘର ଭିତରେ କୁଆଡ଼େ ଥିଲା ଦୌଡ଼ି ଦୌଡ଼ି ସତ୍ୟପାଳ ପାଖକୁ ଆସିଲା ।

 

‘‘ବାପା, ମୋ ପାଇଁ କ’ଣ ଆଣିଛ ? ’’

‘‘ତୋ ପାଇଁ ସବୁ କିଛି । ଏଇ ଖେଳଣା । କେମିତି ସୁନ୍ଦର ସାର୍ଟ ପିନ୍ଧିଛି ? କ’ଣ ନାଁ ଦେବୁ-? ଆଜି ବୁଧବାର ।’’

 

‘‘ବାପା, ୟା’ର ନାଁ ଦେଲି ବୁଧୁ । ଆଜି ବୁଧବାର ଦିନ ଆମ ଘରକୁ ଆସିଛି । ତୁମକୁ କ’ଣ ବୋଲି ଡାକିବ?’’

 

‘‘ଦାଦା ଡାକିବ ।’’ ସତ୍ୟପାଳ ।

ସାବିତ୍ରୀ ପଛପଟେ ଛିଡ଼ା ହୋଇ ସବୁ ଶୁଣୁଥିଲା । ତାହାର ମନେ ପଡ଼ିଗଲା ପୁରୁଣା କଥା-। ତାକୁ ଯେତେବେଳେ ଆଠ ବର୍ଷ ହୋଇଥିଲା, ତା’ ବାପା ଚେମା ତା’ର ପାଇଁ ଆଣିଥିଲା ଗୋଟିଏ ରବରର ଖେଳଣା । ସେ ଦିନ ଗୁରୁବାର ଥିଲା ବୋଲି ଝିଅର ନାଁ ଦେଇଥିଲା ଗୁରୁବାରୀ-। ଆଜିସୁଦ୍ଧା ସେହି ଗୁରୁବାରୀ ଅଛି । ତା’ ପାଖରେ ଅଛି ଏବେ ସଦ୍ୟ ଜିଅନ୍ତା ପୁଅ ବିଶ୍ଵଜିତ୍‌ । ମନେପଡ଼ିଗଲା ପୂଜା । ନିରଞ୍ଜନ କାକାଙ୍କ ଝିଅ ପୂଜା । ତାହାର ସାଙ୍ଗ । କେଉଁଠି ଥିବ ପୂଜା ? ବାହା ହୋଇଥିବ କାହାକୁ ? ତାହାର ପୁଅ ଥିବ କି ଝିଅ । ଏମିତି ଅନେକ କଥା ।

 

ମାଧୁରୀ ପ୍ରଶ୍ନ କରିଥିଲା, କେବେଠୁ ମୁଁ ବାହା ହେଲି ଯେ, ମୋର ଝିଅ ହେଲା । ମାଧୁରୀ କେଉଁଠି ଥିବ ? ସାବିତ୍ରୀର ମନେ ପଡ଼ିଗଲା ସେଇ ପୁରୁଣା କଥା । ଜାମଡ଼ା ଗାଁର କଥା ।

 

ସତ୍ୟପାଳ, ‘‘କ’ଣ ଭାବୁଛ ?’’

ସାବିତ୍ରୀ, ‘‘ନାଇଁ, କିଛି ନୁହେଁ ।’’ ‘‘ତୁମେ ଗାଧେଇ ଆସ । ଖାଇସାରିଲା ପରେ କଥାବାର୍ତ୍ତା ।’’

 

‘‘ବାପା, ବିଶ୍ୱଜିତ୍‌, ବାପାଙ୍କୁ ଆଉ ବ୍ୟସ୍ତ କରନା । ଥକି ଯାଇଥିବେ । ଗାଧୁଆ, ପାଧୁଆ କରନ୍ତୁ । ଖାଇସାରିଲା ପରେ କଥାବାର୍ତ୍ତା ହେବ ।’’

      X      X      X      X      X      X      X      X

 

ସତ୍ୟପାଳ ଗୋଟିଏ କାର ଭଡ଼ା କରି ସମସ୍ତଙ୍କୁ ରାଉରକେଲା ଆଣିଲା । ଚେମା, ବୈଦେହୀ ମୁରା ଗାଁରେ ରହିଗଲେ । ସାବିତ୍ରୀ ଆଗରୁ କେବେ କ୍ୱାଟରରେ ରହିନଥିଲା ।

 

କ୍ଵାଟରରେ ଗୋଟିଏ ଅଗଣା ଅଛି । ତିନୋଟି ବଖରା । ଗାଧୁଆ ଘର ଭିତରେ ଗୋଟିଏ ବାହାର ଅଗଣାରେ ଆଉ ଗୋଟିଏ । କିଏ କେଉଁଠି ରହିବେ, ସାବିତ୍ରୀ ଠିକ୍‌ କରିନେଲା । ତା’ ବାପା, ମା’ ଆସିଲେ କେଉଁଠି ରହିବେ, ଠିକ୍‌କରି ନେଲା । ବିଶ୍ୱଜିତ୍‌ ଚାରିବର୍ଷର ହୋଇଗଲାଣି । ଘରେ ରହିଲେ ଗଣ୍ଡଗୋଳ କରୁଛି । ପ୍ଲେ ସ୍କୁଲ ଗଲେ, ସାଙ୍ଗମାନଙ୍କ ସଙ୍ଗେ ଖେଳିବ । ପାଖରେ ଗୋଟିଏ ପ୍ଲେ ସ୍କୁଲରେ ବିଶ୍ଵଜିତ୍‌ର ନାଁ ଲେଖେଇ ଦେଲେ । ବିଶ୍ଵଜିତ୍‌ ସ୍କୁଲରେ ଏ ବି ସି ଡି ଲେଖିବା ଶିଖିଲା । ଘରକୁ ଆସି ସାବିତ୍ରୀକୁ ଯେତେବେଳେ ପାଠ ବିଷୟରେ କହିଲା, ସାବିତ୍ରୀର ଖୁସିର ସୀମା ରହିଲା ନାହିଁ ।

 

ପୁଅ ବିଶ୍ଵଜିତ ଇଂରାଜୀ ପଢ଼ି ଶିଖିଲା । ସ୍ଵାମୀ ସତ୍ୟପାଳ ରାଉରକେଲାରେ ଇଞ୍ଜିନିୟର ହେଲା । ସାବିତ୍ରୀ କେଉଁଠୁ କେଉଁଠିକି ପହଞ୍ଚିଗଲା ବିଶ୍ଵାସ କରିପାରୁନାହିଁ ।

 

ସାବିତ୍ରୀ ନିଜେ ବିଶ୍ଵଜିତକୁ ସ୍କୁଲକୁ ଛାଡ଼ିବାକୁ ଯାଏ । ପୁଣି ନିଜେ ଆଣେ । ଅନ୍ୟ କାହାରି ଉପରେ ବିଶ୍ଵାସ ନାହିଁ ।

 

ସନ୍ଧ୍ୟା ହୋଇ ଆସିଲାଣି । ଏବେ ସତ୍ୟପାଳ ଘରକୁ ଆସିବା ସମୟ ହୋଇଗଲାଣି । ତାକୁ ଅନେକ ସମୟରେ ବୋର୍ଡ଼ର ଜିପ ନେବା ଆଣିବା କରେ ।

 

ସେଦିନ ରବିବାର ଥିଲା । ରବିବାର ସତ୍ୟପାଳ ଟିକିଏ ଡେରିରେ ଉଠେ ।

ସକାଳୁ ସକାଳୁ ଜଣେ ସତ୍ୟପାଳକୁ ଭେଟିବାକୁ ଆସିଲା । ସେ ଜଣକ ବାହାରେ ଅପେକ୍ଷା କରିଥାଏ । ସତ୍ୟପାଳ ସାର୍ଟ, ପ୍ୟାଣ୍ଟ ପିନ୍ଧି ଯିବା ମାତ୍ରେ ଅଜଣା ବ୍ୟକ୍ତିଙ୍କୁ ପ୍ରଶ୍ନ କଲା, ‘‘ଆପଣ ଏଠିକି ଆସିଲେ କାହିଁକି ?’’

 

‘‘ଏଠିକି ନଆସିଲେ ଫଇସଲା ହେବ କେମିତି ? ସେଥିଯୋଗୁ ଏଠିକି ଆସିଲି ।’’

‘‘ମୁଁ ଦୁଇହଜାର ପର୍ଯ୍ୟନ୍ତ ଟଙ୍କା ଦେବାପାଇଁ ପ୍ରସ୍ତୂତ ।’’

 

‘‘ଆପଣ ଭୁଲ ବୁଝୁଛନ୍ତି ।’’ ସତ୍ୟପାଳ କହିଲା । ‘‘ଆପଣ କିଛି ଖର୍ଚ୍ଚ କରିବା ଦରକାର ନାହିଁ । ଆପଣ ଜାଣିନାହାନ୍ତି ଯେ ଆପଣ ଟଙ୍କାଟିଏ ଖର୍ଚ୍ଚ ନକଲେ ବି ଆପଣଙ୍କ କାମ ହେବ ।’’

 

‘‘ଅଜଣା ବ୍ୟକ୍ତି ଜଣକ ଜଣେ ପଞ୍ଜାବୀ ସମ୍ପ୍ରଦାୟର ଥିଲେ । ସେ ରାଉରକେଲାରୁ ଦଶ କିଲୋମିଟର ଦୂରରେ ଏକ ପଥର କ୍ରସର ବସଉଛନ୍ତି । ତାଙ୍କୁ ସେଥିପାଇଁ ବିଜୁଳି ସଂଯୋଗ ଦରକାର । ସେଥିପାଇଁ ଟଙ୍କା ଦେବାକୁ ଆସିଥିଲେ ।’’ ସେ ଆଶ୍ଚର୍ଯ୍ୟ ହେଲେ, ବିନା ଖର୍ଚ୍ଚ କରି କେମିତି ପଥର କ୍ରସର ବସେଇବେ ।

 

ସତ୍ୟପାଳ ଅନୁରୋଧ କରିବାରୁ ସେ ଚା’ ପିଇବାକୁ ଆସିଲେ ।

‘‘ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ ।’’ ଏତିକି କହି ସରଦାରଜୀ ଜଣକ ପକେଟରୁ ଗୋଟିଏ ଚକୋଲେଟ ବାହାର କଲେ ଓ ବିଶ୍ଵଜିତ୍‌କୁ ଦେଲେ । ବିଶ୍ଵଜିତକୁ ସତ୍ୟପାଳ ଇସାରା କରିଦେବାରୁ, ସେହି ଚକୋଲେଟ ନେଲା । ସତ୍ୟପାଳ ଚରିତ୍ରବାନ ଥିଲା ।

 

X      X      X      X      X      X      X      X

 

ରବିବାର ଦିନ ଉପରଓଳି ଖାଇସାରିବା ପରେ କିଛି ସମୟ ବିଶ୍ରାମ ନେଲେ । ତା’ପରେ ତିନିହେଁ ଇନ୍ଦିରାଗାନ୍ଧୀ ପାର୍କକୁ ବୁଲିବାକୁ ଆସିଲେ ।

 

ସତ୍ୟପାଳ ସେଇ ବଉଳ ଗଛ ପାଖରେ ବସିବାକୁ ଭଲପାଏ । ପାଖରେ ଲନରେ ବସିଲେ । ବିଶ୍ଵଜିତ ଆଇସକ୍ରିମବାଲାଠୁ ଗୋଟିଏ ଆଇସକ୍ରିମ ନେଇ ଟିକିଏ ଦୂରରେ ବସିଗଲା ।

 

‘‘କ’ଣ ମୋତେ ଏମିତି ଦେଖୁଛ ? ମୋତେ କାହିଁକି ଏମିତି ଅନାଉଛ ? ସାବିତ୍ରୀ ।’’

‘‘ଦେଖୁ ଦେଖୁ ଏଇ ରାଉରକେଲାରେ ଦୁଇବର୍ଷ ବିତିଗଲା । ସେଇ କଥା ଭାବୁଥିଲି । ବିଶ୍ଵଜିତ ପ୍ରଥମ କ୍ଲାସରେ ପଢ଼ୁଛି । ଚେମା କାକା ମନେ ପଡ଼ୁଛନ୍ତି । ଗାଁକୁ ଯାଇ କାକାଙ୍କୁ ଆଣିବା । ମୋ ପାଇଁ ସେ ଅନେକ ପରିଶ୍ରମ କରୁଛନ୍ତି ।’’

 

ସାବିତ୍ରୀ ଏବେ ଶାଢ଼ି ପିନ୍ଧୁନାହିଁ । ସାଲୱାର, କମିଜ ପିନ୍ଧିବା ଆରମ୍ଭ କଲାଣି । ତାକୁ ସହରି ହାୱା ଲାଗିଗଲାଣି।

 

ମୁରା କ୍ୟାମ୍ପରେ ପହଞ୍ଚିଗଲା କାର । କାର ସାମନାରୁ ବିଶ୍ଵଜିତ୍‌ ଓହ୍ଲେଇଲା । ତା’ପରେ ପଛ ସିଟରୁ ସତ୍ୟପାଳ ଓ ସାବିତ୍ରୀ ଓହ୍ଲେଇଲେ ।

 

ଦାଦା, ଦାଦା ବୋଲି ବିଶ୍ଵଜିତ୍‌ ପାଟି କଲା । ଚେମା ଦଉଡ଼ି ଆସି ବିଶ୍ଵଜିତ୍‌କୁ ଉଠେଇନେଲା । ଚେମା ଆଗ ଅପେକ୍ଷା ଶୁଖିଯାଇଛି । ଚେମା ବହୁତ ଗେଲ କଲା । ‘‘ବହୁତ ଦିନ ରହିଗଲା ରାଉରକେଲାରେ । ଦାଦା ମନେପଡୁ ଥିଲା ?’’ ଚେମା ପଚାରିଲା ।

 

ବିଶ୍ଵଜିତ, ‘‘ମୋ ମା’ଙ୍କୁ ପଚାର । ତୁମ କଥା ଥରକୁ ଥର ପଚାରିଛି ।’’

ସାବିତ୍ରୀ ଚେମାକୁ ଓଳଗି ହେଲା । ସାବିତ୍ରୀ ସାଲୱାର, କମିଜ ପିନ୍ଧିଛି । ଚେମା ଭାବିଲା, ଅଲଗା କିଏ ଓଳଗି ହେଉଛି । ସାବିତ୍ରୀ ନୁହେଁ । ପାଖରୁ ଦେଖିଲା ।

 

‘‘ସାବିତ୍ରୀ, ତୁ କେତେ ବଦଳି ଗଲୁଣି । ମୁଁ ଭାବିଥିଲି, ଆଉ କିଏ ତମ କାରରେ ଆସିଥିଲା-। ସେ ଓଳଗି ହେଉଛି । ମା’, ତୁ କେତେ ବଦଳି ଗଳୁଣି । ଦେଖୁ ଦେଖୁ ଦୁଇବର୍ଷ ବିତିଗଲା ।’’

 

ସମସ୍ତେ ଚେମା ଘର ଭିତରକୁ ଗଲେ । ସତ୍ୟପାଳ ପାଣି ଗିଲାସେ ପିଇଲା । ସତ୍ୟପାଳ ଘରେ ତାଲା ପଡ଼ିଛି । ତାଙ୍କ ଘରେ କେହି ନାହାନ୍ତି । ସତ୍ୟପାଳର ବାପା, ମା’’ ତୀର୍ଥଯାତ୍ରାରେ ଯାଇଛନ୍ତି ।

 

ବୈଦେହୀ, ‘‘ କେତେବେଳୁ ବାହାରିଲ ? ’’

ସାବିତ୍ରୀ, ‘‘ଆମେ ବଡ଼ି ସକାଳୁ ବାହାରି ପଡ଼ିଲୁ । ବିଶ୍ଵଜିତ୍‌ର ବାପା ଜଳଖିଆ ଖାଇ ନାହାନ୍ତି । କିଛି ଗୋଟିଏ ତିଆରି କର ।’’

 

‘‘କ’ଣ ସେ ଚୂଡ଼ା, ଗୁଡ଼ ଖାଇବେ ?’’ ବୈଦେହୀ

‘‘ନାଇ ମା’, ସେ ଗୁଡ଼ାକ ଖାଇବେ ନାହିଁ ।’’ ସାବିତ୍ରୀ

 

‘‘ମୁଁ ଜଳଖିଆ ତିଆରି କରୁଛି । ସକାଳୁ ସେ ଅଣ୍ଡା, ପାଉଁରୁଟି କିମ୍ବା ସୁଜିର ଉପମା ଖାଇବାକୁ ଭଲ ପାଆନ୍ତି ।’’ ‘‘ ସୁଜି ଅଛି ?’’ ସାବିତ୍ରୀ ।

 

ବୈଦେହୀ, ‘‘ ନାହିଁ । ପଡ଼ିଆବାହାଲ ଗଲେ ତୋର ବାପା ସୁଜି ଆଣିବେ ।’’

ସତ୍ୟପାଳ ସବୁ ଶୁଣୁଥିଲା । ସେ କହିଲା, ‘‘ମୁଢ଼ିରେ କାମ ଚଳିଯିବ । ଘରେ ମୁଢ଼ି ଥିଲା । ଏଇଠି ଅଣ୍ଡା ମିଳିବ, କିନ୍ତୁ ପାଉଁରୁଟି ମିଳିବ ନାହିଁ । ଅମୂଲ ବଟର ପାଇଁ ସମ୍ବଲପୁର ଯିବାକୁ ହେବ-। ପାଉଁରୁଟି ପାଇଁ ପଡ଼ିଆବାହାଲ ଯିବାକୁ ହେବ । କୌଣସି ଜିନିଷ ଏଇଠି ମିଳିବ ନାହିଁ ।

 

X      X      X      X      X      X      X      X      X      X

 

‘‘ମା’, ଏଇଠି ରହିପାରିବି ନାହିଁ । ଚାଲ, ଆମେ ରାଉରକେଲା ଯିବା ।’’

‘‘କାହିଁକି ରହିପାରିବୁ ନାହିଁ ? ଆଗରୁ ତ ରହୁଥିଲୁ ।"

 

‘‘ଆଗରୁ ରହୁଥିଲି । ମା’; ରାଉରାକେଲା ଗଲାପରେ...

‘‘କହ, କହ ସାବିତ୍ରୀ ରାଉରକେଲା ଗଲାପରେ କ’ଣ ହେଲା ? ରହିଗଲୁ ଯେ ।’’

 

‘‘ରାଉରକେଲା ଯିବା ପରେ ଅନେକ ସୁବିଧାରେ ଅଛୁ । ସେଇଠି ବାଥରୁମ ଅଛି । ଏଇଠି ବାଥରୁମ ନାହିଁ। ରାଉରକେଲାରେ ସବୁକିଛି ମିଳୁଛି । ଏଇଠି ସେ ସବୁ ମିଳୁନାହିଁ ।’’

 

‘‘ମା’, ବିଶ୍ୱଜିତ୍‌ ସେଇଠି ରାଉରକେଲା ଘରେ ଯେତେଥର ଚାହିଁବ, ସେତେଥର ବାଥରୁମ ଯାଇପାରିବ, ଏଇଠି ଘରେ ବାଥରୁମ ନାହିଁ ।’’

 

‘‘କହ, ସେଇଠି ସାଲୱାର, କମିଜ ପିନ୍ଧୁଥିଲୁ, ଏଇଠି ଶାଢ଼ି ପିନ୍ଧିବାକୁ ବାଧ୍ୟ । ଏଇଠି ଘରୁ ବାହାରିଲେ ଓଢ଼ଣା ଦେଉଛୁ, ସେଇଠି ଓଢ଼ଣା ଦରକାର ନାହିଁ ।’’

 

‘‘ମା’, ତୁମେ ଯାହା କହ ପଛେ ମୁଁ ଏଇଠି ରହିପାରିବି ନାହିଁ । ତୁମେ ମୋତେ ସମାଲୋଚନା କର । କିନ୍ତୁ, ମୋ ସଙ୍ଗେ ତୁମେ ଆଉ ବାପା ଚାଲ । ସେଇଠି ଆମେ ସମସ୍ତେ ମିଶି ଆରାମରେ ରହିବା ।’’

 

‘‘ଆମେ କେତେଦିନ ପାଇଁ ଯାଇପାରିବୁ । ଏଇ ଚାଷର ସମୟ ଯେତେବେଳେ ନଥିବ । କିନ୍ତୁ ସବୁଦିନ ପାଇଁ ନୁହେଁ । ଏଇଠି ତୋ ବାପା ଚାଷକଥା ବୁଝନ୍ତି ଓ କରନ୍ତି । ନିଜେ ବିଲକୁ ଯାଇ କାମ କରନ୍ତି । ରାଉରକେଲାରେ ଆମେ ରହିଗଲେ, ଏଇଠି ଚାଷକଥା କିଏ ବୁଝିବ ? ଦେଖ, ତୋ ବାପା ଆଜି ବି ବିଲକୁ ଯାଇଛନ୍ତି।’’

 

‘‘ହଉ ମା, କିଛିଦିନ ପାଇଁ ଚାଲ । ମୁଁ କିନ୍ତୁ ବେଶି ଦିନ ଏଇ ଗାଁରେ ରହିପାରିବି ନାହିଁ ।’’

‘‘ସାବିତ୍ରୀ, ତୁ ଦୁଇବର୍ଷ ଭିତରେ ବହୁତ ବଦଳି ଯାଇଛୁ । ଆଗର ସାବିତ୍ରୀ ନାହିଁ ।’’

 

‘‘ଦାଦା, ହ୍ୱାଟ ଇଜ ଇଓର ନେମ ?’’ ‘‘ଦାଦା ମୁଁ ଜାଣିଛି, ତୁମେ କହିପାରିବ ନାହିଁ ।’’ ବିଶ୍ଵଜିତ୍‌ ତା’ ଦାଦାକୁ କହୁଛି ।

 

ଚେମା, ‘‘ବିଶ୍ୱଜିତ୍‌, ତୁମେ ଇଂରାଜୀ ପାଠ ପଢ଼ିଲ, ଶିଖିଲ । ଆମେ ମୂର୍ଖ ହୋଇ ରହିଗଲୁ-। ଆମ ସମୟରେ ଆମେ ସ୍କୁଲକୁ ଯାଇପାରିଲୁ ନାହିଁ । ମୋ ବାପା ମୋତେ କହୁଥିଲେ, ତୁ ସ୍କୁଲକୁ ଗଲେ ମୋ ସଙ୍ଗେ କିଏ ବିଲରେ କାମ କରିବ ? ତୁ ସ୍କୁଲ ନ ଗଲେ ମୋତେ ବିଲରେ ସାହାଯ୍ୟ କରିବୁ । ସତରେ ମୋ ବାପା ଯୋଗୁଁ, ମୁଁ ସ୍କୁଲ ଗଲିନାହିଁ ।’’

 

‘‘ଦାଦା, ମୋତେ ବାପା କହୁଥିଲେ, ତୁ ବଡ଼ ହେଲେ ଜଣେ ନାମଜାଦା ଡାକ୍ତର ହେବୁ । ସମସ୍ତଙ୍କ ସେବା କରିବୁ।’’

 

‘‘ଏବେ ତୋର ବାପା ଜାଣିଛି ପାଠର ମୂଲ୍ୟ । ବିଶ୍ୱଜିତ୍‌, ତୁମେ ଭଲ ପଢ଼ାପଢ଼ି କର । ତୁମେ ଭଲ ଡାକ୍ତର ହୁଅ । ବହୁତ ଲୋକଙ୍କ ସେବା କର ।’’

 

X      X      X      X      X      X      X

 

‘‘ଦାଦା, ମୋତେ ଗୋଟିଏ ଗପ କହ । ଭଲ ଗପ କହିବ । ମୁଁ ଶୋଇବା ଆଗରୁ ଗପ ଶୁଣେ । ମା’ ମୋତେ ଗପ କହେ, ତା’ପରେ ମୁଁ ଶୋଇପଡ଼େ ।’’ ଚେମା ପାଖରେ ବିଶ୍ଵଜିତ୍‌ ଶୋଇଛି । ବିଶ୍ଵଜିତ୍‌କୁ କେମିତି ଗପ କହିଲେ, ତାକୁ ନିଦ ଆସିଯିବ ।

 

ଚେମା ଶୁଣେଇଲା, ‘‘କେତେ ବର୍ଷ ତଳର କଥା । ଜାମଡ଼ା ଗାଁର ଗୋଟିଏ ସତ କଥା କହୁଛି । ମହାନଦୀ କୂଳରେ ଗୋଟିଏ ଗରିବ ପରିବାର ରହୁଥିଲେ । ସେଇ ଘରର ଯେ କର୍ତ୍ତା ଥିଲା, ସେ ବହୁତ ପରିଶ୍ରମୀ, କିନ୍ତୁ ମୋଟେ ପାଠ ପଢ଼ିନଥିଲା । ତାଙ୍କର କୁଡ଼ିଆ ଘର ଥିଲା । ଘର ପାଖରେ ନଦୀ ବହିଯାଇଛି । ତାଙ୍କର ଅଧ ଏକର ପାଖାପାଖି ଜମି ଥିଲା । ଗରିବ ହେଲେ କ’ଣ ହେଲା, ସେ ସୁଖରେ ଥିଲେ । ଘରର ଯେ କର୍ତ୍ତା ଥିଲେ, ତା’ର ଆଠ ବର୍ଷର ଗୋଟିଏ ଝିଅ ଥିଲା । ଝିଅଟିକୁ ସେ ଖିବ ଭଲ ପାଉଥିଲେ ।

 

ହଠାତ୍‌ ତାଙ୍କୁ ନୋଟିସ ଆସିଲା ଦୁଇଦିନ ଭିତରେ ଘର ଖାଲି କରିବାକୁ । ଜାମଡ଼ା ଗାଁ ପାଖରେ ମହାନଦୀ ଉପରେ ବନ୍ଧ ନିର୍ମାଣ ହେବ ବୋଲି ଜଣାଗଲା । ଏମିତି ୨୪ଟି ଗରିବ ପରିବାର ଜାମଡ଼ା ଗାଁର ଗୋଟିଏ କଡ଼େ ଲାଇନ କରି ରହୁଥିଲେ । ତାଙ୍କର କୁଡ଼ିଆ ଘର ଭଙ୍ଗାଯିବ ଓ ସେଇଠି କୁଆଡ଼େ ୱାର୍କସପ ହେବ । ଜମି ପାଇଁ କ୍ଷତିପୂରଣ ମିଳିଲା ନଅ ଟଙ୍କା ଚାରି ଅଣା । ଜମି ଡିସିମିଲ ତିନିଅଣା ଦରରେ । କର୍ତ୍ତା ବାଧ୍ୟ ହେଲେ, ତାଙ୍କର ଶ୍ୱଶୁର ଘର ଗାଁ ସାପଲହରା ଯିବାକୁ । ତା’ର ସୁଖର ସଂସାର ଉଜୁଡ଼ି ଗଲା । ଏ ଗପ କହିବାବେଳେ ଚେମା ଆଖିରୁ ଲୁହ ଗଡ଼ିଚାଲିଲା ।

 

‘‘ଦାଦା, ତୁମେ କାହିଁକି କାନ୍ଦୁଛ ? ମା’ ଥରେ ଏହି ଗପ କହିଥିଲା, ମୁଁ ଯେତେ ପଚାରିଲି ସେହି କର୍ତ୍ତାଙ୍କ ନାଁ କହିଲା ନାହିଁ ।’’

 

ବିଶ୍ଵଜିତ୍‌ର ଆଖି ଆସ୍ତେ ଆସ୍ତେ ବନ୍ଦ ହୋଇଗଲା । ନିଦ ଆସିଯାଇଛି । ବିଶ୍ଵଜିତ୍‌ ଶୋଇପଡ଼ିଲା । ଚେମା ରାତିସାରା ଶୋଇପାରିଲା ନାହିଁ ।

 

X      X      X      X      X      X

 

ସତ୍ୟପାଳ ରାଉରକେଲା ଯିବାପାଇଁ କାର୍‌ ଠିକ୍‌ କଲା । ସକାଳୁ ଜଳଖିଆ ଖାଇ ମୁରାରୁ ବାହାରିଲେ । ସମସ୍ତେ ଏକ ସଙ୍ଗେ ଖୁନ୍ଦା ଖୁନ୍ଦି ହୋଇ କାର୍‌ରେ ବସିଗଲେ । ଉପରଓଳି ରାଉରକେଲା ପହଞ୍ଚିଗଲେ । ଚେମା ପ୍ରଥମ ଥର ପାଇଁ ଏତେ ବଡ଼ ସହରକୁ ଆସିଛି ! ଆଗରୁ ସାବିତ୍ରୀ ଠିକ୍‌ କରିସାରିଛି, ଘରେ କିଏ କେଉଁଠି ରହିବେ । ସାବିତ୍ରୀ ବାପା, ମା’ଙ୍କୁ ତା’ କ୍ଵାଟର ବାବଦରେ ସବୁକିଛି କହିଲା । କେଉଁଠି ଖାଇବେ, କେଉଁଠି ଶୋଇବେ ଆଦି ସବୁ ବତେଇଦେଲା । ଦୁଇଟାଯାକ ବାଥରୁମ ଦେଖେଇଦେଲା । ଜଣେ ମଫସଲରୁ ଆସିଥିବା ଲୋକଙ୍କୁ ଯାହା କୁହାଯାଏ, କୌଣସି କଥା ବାଦ ଯାଇନାହିଁ । ଅବଶ୍ୟ, ସାବିତ୍ରୀ ବାପା, ମା’ ଦୁହିଁଙ୍କୁ ସମ୍ମାନର ସହ କହିଲା ।

 

ସେ ଚାହୁଁଥିଲା ବାପା, ମା’ ଆରାମରେ କିଛିଦିନ ରହନ୍ତୁ ।

ଚେମା, ବୈଦେହୀକୁ ସେଇ କ୍ଵାଟରରେ ରହିବାକୁ ପ୍ରଥମେ ଅଡୁଆ ଲାଗିଲା । ତା’ପରେ ଅଭ୍ୟାସ ହୋଇଗଲା । ସାବିତ୍ରୀ ସକାଳୁ ସକାଳୁ ଗରମ ଉପମା ପରଷି ଦେଉଥିଲା । ସେମାନେ ଟେବୁଲ, ଚୌକିରେ ବସି କେବେ ଖାଇ ନଥିଲେ । ସାବିତ୍ରୀ ଅନେକ ସମୟରେ କହେ, ‘‘ବାପା ଆଉ ଟିକେ ଖାଅ ।’ ସକାଳ ଜଳଖିଆ ହେଉ କିମ୍ୱା ମଧ୍ୟାହ୍ନ ଭୋଜନ ହେଉ, ଚେମା ଆନନ୍ଦିତ ହେଲା । ସେତେବେଳେ ଚେମା କେତେ ଯେ ଆନନ୍ଦିତ ହୁଏ, ଚେମାକୁ ଦେଖିଲେ ଜଣେ ଜାଣିପାରିବ ନାହିଁ ।

 

ଦୁଇଦିନ ପରେ, ରବିବାର ଦିନ ସାବିତ୍ରୀ ସମସ୍ତଙ୍କୁ ନେଇ ଇନ୍ଦିରା ଗାନ୍ଧୀ ପାର୍କ ବୁଲିଯିବାକୁ ଯୋଜନା କଲା। ଚାରିଟା ପାଖାପାଖି ସେମାନେ ବାହାରିଲେ । ଇନ୍ଦିରା ପାର୍କ ପହଞ୍ଚିଲା ମାତ୍ରେ ବିଶ୍ଵଜିତ୍‌ ଆଇସ୍‌କ୍ରିମ ଆଣିବାକୁ ଧାଇଁ ଯାଏ । ଏଥରକ ବିଶ୍ଵଜିତ୍‌ ସମସ୍ତଙ୍କ ପାଇଁ ଗୋଟିଏ ଗୋଟିଏ ଆଇସକ୍ରିମ ଆଣିଲା । ଚେମା ପଡ଼ିଆବାହାଲ ମାର୍କେଟରେ ଆଇସକ୍ରିମ ଖାଇଥିଲା ।

 

ଗେଟ ପାଖରେ ଯାହାକୁ ଦେଖିଲେ, ସେ ପୁରୁଷୋତ୍ତମ ଭଳି ଦେଖାଯାଉଥିଲା । ତାଙ୍କ ପାଖରେ ଯେ ବସିଥିଲେ, ସେ ତାଙ୍କ ସହଧର୍ମିଣୀ ଭଳି ଦେଖାଯାଉଥିଲେ । ଚେମା ପାଖକୁ ଯାଇ ଦେଖିଲା, ସତରେ ତାହାର ଶାଶୁ, ଶ୍ୱଶୁର । ଜଣେ ଛିଡ଼ା ହୋଇଛନ୍ତି, ଆଉ ଜଣେ ମହିଳା ବସିଛନ୍ତି-। ଦୂରରୁ ଚେମାକୁ ତା’ର ଝିଅ ସାବିତ୍ରୀ ଦେଖୁଥିଲା ।

 

ଚେମା ଦେଖେ, ପୁରୁଷୋତ୍ତମଙ୍କର ପଞ୍ଜରା ହାଡ଼ ଗଣି ହେଇଯାଉଛି ଓ ତା’ ଶାଶୁ ମଧ୍ୟ ଅତି ଶୁଖିଲା ଦିଶୁଛନ୍ତି । ଦୁହେଁ ଗୋଟିଏ ଗୋଟିଏ ଭିକ୍ଷା ଥାଳି ଧରି ଭିକ୍ଷା ମାଗୁଥିଲେ ।

 

ଚେମା ଯେତେବେଳେ ଚିହ୍ନିପାରିଲା, ସେ ତଳକୁ ଝୁଙ୍କି ନମସ୍କାର କଲା ।

ସାବିତ୍ରୀ ଓ ବୈଦେହୀ ଦୁହେଁ ଦୌଡ଼ିଆସିଲେ ଓ ସେମାନଙ୍କୁ ଓଳଗି ହେଲେ । ବିଶ୍ଵଜିତ କିଛି ବୁଝିପାରୁ ନଥିଲା ।

 

ପୁରୁଷୋତ୍ତମ, ତାଙ୍କ ସ୍ତ୍ରୀ ଝିଅ ବୈଦେହ ଓ ଜୁଆଇଁ ଚେମାକୁ ଚିହ୍ନିପାରିଲେ । ଦୁହିଙ୍କର ଆଖିରୁ ଲୁହ ଗଡ଼ିଚାଲିଲା । କିଛି କଥା କହିପାରୁ ନଥାନ୍ତି । ଚେମା ବି କହିପାରୁ ନଥିଲା ।

 

ପୁରୁଷୋତ୍ତମ ମଇଳା ଲୁଗା ପିନ୍ଧିଥାନ୍ତି ସେ ଅନେଇଲେ ବିଶ୍ଵଜିତ୍‌ ଆଡ଼କୁ । ବୈଦେହୀ ତା’ର ଝିଅ ସାବିତ୍ରୀ ଆଡ଼କୁ ଅନେଇ ଠାରରେ ବତେଇଦେଲା ଯେ ବିଶ୍ଵଜିତ୍‌ ହେଉଛି ସାବିତ୍ରୀର ପୁଅ ।

 

ବିଶ୍ୱଜିତ୍‌କୁ ମଧ୍ୟ ବୈଦେହୀ କହିଲା, ‘‘ଇଏ ହେଉଛନ୍ତି ମୋର ବାପା ମା’ । ଘରକୁ ଗଲେ ସବୁକଥା କହିବି।’’

 

ସମସ୍ତେ ନିଜ ଭିତରେ କୋଳାକୋଳି ହେଲେ । କ୍ଵାଟରକୁ ଫେରିଲେ ।

 

X      X      X      X      X      X      X      X      X      X

 

ପୁରୁଷୋତ୍ତମ ଘରକୁ ଆସି ସେ କାହିଁକି ଭିକ୍ଷାବୃତି କଲେ, ସେହି ସମ୍ପର୍କରେ କହିବା ଆରମ୍ଭ କଲେ । ସମସ୍ତେ ମନ ଦେଇ ଶୁଣୁଥାଆନ୍ତି । ପୁରୁଷୋତ୍ତମ କେଦାରନାଥ ଯାଇ କନ୍ୟାକୁମାରୀକୁ ଯାଇଛନ୍ତି, ତାଙ୍କର ଟଙ୍କା, ପଇସା ସରିଗଲା । ଚୂଡ଼ା, ଗୁଡ଼, ମୁଢ଼ି ଆଦି ବି ସରିଗଲା । ସେ ଆଉ ଆଗକୁ ଯାଇପାରିଲେ ନାହିଁ । କେଉଁଠିକି ଯିବେ ? ସାପଲହରା ତ ବୁଡ଼ିଯାଇଥିବ । ବୈଦେହୀ ଓ ଚେମା କେଉଁଠିକି ଯାଇଥିବେ, ଆମେ ଜାଣିପାରିଲୁ ନାହିଁ ।

 

ସେମାନେ ପେଟର ଜ୍ଵାଳା ସହିପାରିଲେ ନାହିଁ । ସେ ଓ ତାଙ୍କ ସ୍ତ୍ରୀ ଦୁହେଁ ଭିକ୍ଷା ଥାଳ ଧରିଲେ । ବୁଲି ବୁଲି ଭିକ ମାଗି ଏଇଠି ରାଉରକେଲାରେ ତିନିଦିନ ଆଗରୁ ପହଞ୍ଚିଲେ ।

 

ରାଉରକେଲାରେ ସେଦିନ ଦେଖାହେଇ ନଥିଲେ ଭିକ ମାଗିବା ଜାରି ରଖିଥାଆନ୍ତେ । ଆଶ୍ଚର୍ଯ୍ୟଜନକଭାବେ ଦେଖାହେଲା ।

 

ବୈହେହୀ କହିଲା, ‘‘ବାପା, ତୁମେ ଗଲାପରେ ତହିଁ ଆରବର୍ଷ ସାବିତ୍ରୀର ବାହା ସତ୍ୟପାଳ ସଙ୍ଗେ ହେଲା। ସାପଲହରା ଗାଁରେ ଧୁମ୍‌ଧାମରେ ହେଲା । ୧୯୫୫ରେ ଆମେ ଗାଁରୁ ମୁରା କ୍ୟାମ୍ପ ଆସିଲୁ । ସତ୍ୟପାଳ ୧୯୬୦ରେ ଇଞ୍ଜିନିୟରିଂ ପାସ କଲା । ବର୍ଷେ ପର୍ଯ୍ୟନ୍ତ ସେ ବୁର୍ଲାରେ କାମ କଲା । ୧୯୬୧ରେ ସତ୍ୟପାଳର ପୋଷ୍ଟିଂ ରାଉରକେଲାରେ ବିଦ୍ୟୁତ ବୋର୍ଡ଼ ତରଫରୁ ହେଲା । ସେ, ସାବିତ୍ରୀ, ବିଶ୍ୱଜିତ୍‌ ତିନିହେଁ ରାଉରକେଲା ଆସିଲେ । ଦୁଇବର୍ଷ ପରେ ଚେମା ଓ ମୁଁ ରାଉରକେଲା କିଛିଦିନ ପାଇଁ ଆସିଛୁ । ସତ୍ୟପାଳର ବାପା, ମା’ ତୀର୍ଥଯାତ୍ରାରେ ଯାଇଛନ୍ତି । ସେମାନେ କେବେ ଫେରିବେ, କିଛି ଠିକ୍‌ ନାହିଁ । ଆଜି ତୁମର ନାତୁଣୀର ସ୍ଵାମୀ ଇଲେଟ୍ରିକାଲ୍‌ ଇଞ୍ଜନିୟର ।’’ ଏହିପରି ଭାବେ ବୈଦେହୀ ସଂକ୍ଷେପରେ ସବୁ କହିଦେଇ ଗଲା ।

 

ଏସବୁ ଶୁଣିଲା ପରେ ପୁରୁଷୋତ୍ତମର ଆନନ୍ଦର ସୀମା ରହିଲା ନାହିଁ ।

ସତ୍ୟପାଳ ଘରକୁ ଫେରି ପୁରୁଷୋତ୍ତମଙ୍କ ବିଷୟରେ ସବୁ ଶୁଣିଲା । ପୁରୁଷୋତ୍ତମକୁ ଦଣ୍ଡବତ କଲା ।

 

ସେ ଶୁଣି ଆଶ୍ଚର୍ଯ୍ୟ ହେଲା ଯେ ସେମାନେ ଇନ୍ଦିରା ଗାନ୍ଧୀ ପାର୍କରେ କେମିତି ପୁରୁଷୋତ୍ତମଙ୍କୁ ପାଇଲେ । ଇଏ ସବୁ ସଂଯୋଗର କଥା । ମନେ ମନେ ଭାବିଲା, ଭଗବାନ ଚାହିଁଲେ ତାଙ୍କ ବାପା, ମା’ ବି ତୀର୍ଥଯାତ୍ରାରୁ ଫେରିବେ ।

 

ସେହି ରାତିରେ ତା’ କ୍ୱାଟରରେ ସେହି ଚର୍ଚ୍ଚା ରାତିଯାକ ଚାଲିଲା ।

ବିଶ୍ଵଜିତ ବେଶି ଡେରି ପର୍ଯ୍ୟନ୍ତ ଚେଇଁ ନାହିଁ । ଶୋଇ ପଡ଼ିଲା । ବାକି ସମସ୍ତେ ପାହାନ୍ତିଆ ପାଖାପାଖି ଶୋଇଲେ । ସାବିତ୍ରୀ ଉଠିଲା । ବିଶ୍ଵଜିତ ଉଠିଲା । ବିଶ୍ଵଜିତ୍‌ ଠିକ୍‌ ସମୟରେ ସ୍କୁଲ ଯିବା ନିହାତି ଦରକାର ।

 

ବିଶ୍ଵଜିତ୍‌ ଆଜି ବହୁତ ଖୁସି, କାରଣ ତାଙ୍କ ଘରେ ଲୋକ ଭର୍ତ୍ତି ।

 

X      X      X      X      X      X      X      X      X      X

 

ଚେମା କାହିଁକି କେଜାଣି ଥରକୁ ଥର ବାଥରୁମକୁ ଯାଉଥିଲା ।

ଚେମା ତୃତୀୟ ଥର ବାଥରୁମ ଯିବାବେଳେ ସାବିତ୍ରୀ ପଚାରିଲା, ‘‘ବାପା, ତୁମେ କାହିଁକି ଥରକୁ ଥର ବାଥରୁମ ଯାଉଛ ?’’

 

‘‘ଏଇ ଥରକ ଯିବି ।’’

ଚେମାର ଛାତିରେ କଫ ଜମି ଯାଇଥିଲା, ସେ ଭାବିଲା ସେଇ କଫ ବାହାରିଗଲା ପରେ ତାକୁ କାଳେ ଆରାମ ଲାଗିବ । ସେଥିପାଇଁ ବାଥରୁମକୁ ଯାଇ କାଶୁଥିଲା । ବାହାରେ କାଶିଲେ ଅନ୍ୟମାନେ ଅସୁବିଧାରେ ପଡ଼ିବେ । ଦେଖୁ ଦେଖୁ ଚେମାର କାଶ ବଢ଼ିଗଲା ।

 

ବିଶ୍ଵଜିତ୍‌କୁ ଗପ ଶୁଣେଇଲାବେଳେ ଦିନେ ରାତିରେ ଚେମା ବହୁତ କାଶିଥିଲା ।

ବିଶ୍ଵଜିତ୍‌ ଚେମାକୁ କହିଲା, ‘‘ଡାକ୍ତର କାକା ପାଖକୁ ଗଲେ, ସେ ଔଷଧ ଦେବେ, ତୁମର କାଶ ଛାଡ଼ିଯିବ । ଆସନ୍ତକାଲି ଡାକ୍ତର କାକା ପାଖକୁ ଯିବା ।’’

 

ତା’ ପରଦିନ ସାବିତ୍ରୀ ଚେମାକୁ ଡାକ୍ତର ପାଖକୁ ନେଲା । ଡାକ୍ତର ଚେମାର ଲକ୍ଷଣ ଦେଖି କେତୋଟି ପରୀକ୍ଷା କଲେ । ପରୀକ୍ଷା କଲାପରେ ସେ ନିଶ୍ଚିତ ହୋଇଗଲେ ଯେ, ଚେମାକୁ ଯକ୍ଷ୍ମା ହୋଇଛି । ଯକ୍ଷ୍ମାର ଔଷଧ ଲେଖିଦେଲେ । ସେ କହିଲେ, କେତେକ ଔଷଧ ନିୟମିତ ଖାଇବାକୁ ହେବ । ପଥିରେ ବି ରହିବାକୁ ହେବ ।

 

ସାବିତ୍ରୀ ଚିନ୍ତାରେ ପଡ଼ିଗଲା । ବିଶ୍ଵଜିତ୍‌ ତ ତା’ର ଦାଦା ସଙ୍ଗେ ଶୋଇବା ପାଇଁ ଜିଦ କରିବ । ବିଶ୍ୱଜିତ୍‌କୁ ମନା କରିବ ? ବିଶ୍ୱଜିତ୍‌ କଥା ମାନିବ ନାହିଁ ।

 

ଚେମାକୁ ସାବିତ୍ରୀ ରାଉରକେଲାରେ ରହିଯିବା ପାଇଁ କହିଲା ।

ବିଶ୍ଵଜିତ୍‌ ସ୍କୁଲ ଯିବା ପରେ, ଚେମାକୁ ପାଖକୁ ଡାକି ସାବିତ୍ରୀ କହିଲା, ‘‘ବାପା, ‘‘ତୁମେ ଆରାମ ହେବା ପର୍ଯ୍ୟନ୍ତ ଆମ ଘରେ ରୁହ । ଯେତେବେଳେ ଜାଣିବ ଯେ ତୁମେ ପୁରାପୁରି ଠିକ ହୋଇଗଲ ତା’ପରେ ମୁରା ଯିବ । ମୋର ଗୋଟିଏ ଅନୁରୋଧ, ବିଶ୍ୱଜିତ୍‌ ସଙ୍ଗେ ମିଳାମିଶା କର ନାହିଁ । ବିଶ୍ଵଜିତ୍‌କୁ ରୋଗ ଡେଇଁପାରେ ।’’

 

ଚେମା କହିଲା, ‘‘ତୁମେ କହୁଛ ଏଇଠି ଠିକ୍‌ ହେବା ପର୍ଯ୍ୟନ୍ତ ରୁହ । ତା’ପରେ କହୁଛ, ବିଶ୍ଵଜିତ୍‌ ସଙ୍ଗେ ମିଳାମିଶା କରନାହିଁ । କେମିତି ସମ୍ଭବ ହେବ ?’’

 

‘‘ତୁମେ ଏଇଠି ମୋ ପାଖରେ ରହିଲେ, ଶୀଘ୍ର ଠିକ୍‌ ହେବ । ମୁରାରେ ଆରୋଗ୍ୟ ହେବା କଷ୍ଟକର । ମୁରାରେ ଭଲ ଡାକ୍ତର ମିଳିବେ ନାହିଁ । ଆଜିଠୁ ବିଶ୍ୱଜିତ୍‌କୁ ଗାଳି ଦେବା ଆରମ୍ଭ କର । କିଛିଦିନ ଭିତରେ ଠିକ୍‌ ହୋଇଯିବ । ବିଶ୍ଵଜିତ ତୁମ ପାଖକୁ ଆସ୍ତେ ଆସ୍ତେ ଯିବା ଆସିବା କମ୍‌ ବି କରିଦେବ । ପୁରୁଷୋତ୍ତମ ଦାଦା ପାଖକୁ ବେଶି ଯିବ ।’’

 

ଚେମା, ‘‘ମୋ ନାତି ସଙ୍ଗେ ଏହି ଡ୍ରାମା କରିପାରିବି ନାହିଁ । ହଉ, ମୁଁ ଚେଷ୍ଟା କରିବି ।’’

ବିଶ୍ଵଜିତ୍‌ ସ୍କୁଲରୁ ଆସିବା ମାତ୍ରେ ଚେମା ଦାଦାକୁ ଖୋଜେ । ଚେମା ଜାଣି ଜାଣି କୁଆଡ଼େ ଚାଲିଯାଇଥିଲା । ପୁରୁଷୋତ୍ତମ ସେଇଠି ଉପସ୍ଥିତ ଥିଲା । ବିଶ୍ୱଜିତ୍‌ ଆସି ଖୋଜିଲା, ‘‘ଦାଦା, ଦାଦା କୁଆଡ଼େ ଗଲ ।’’

 

ପୁରୁଷୋରମ କହିଲା, ‘‘ମୁଁ ତୁମର ଦାଦା । ମୋ ପାଖକୁ ଆସ ।’’

ବିଶ୍ୱଜିତ୍‌, ‘‘ନା, ତୁମେ ମୋ ମା’ର ଦାଦା । ମୋର ଦାଦା ନୁହଁ ।’’

 

‘‘ସାବିତ୍ରୀ, ଦେଖ ବିଶ୍ୱଜିତ୍‌ବୁଝୁନାହିଁ । ତାକୁ ବୁଝେଇ ଦିଅ ।’’ ପୁରୁଷୋତ୍ତମ ସାବିତ୍ରୀ କହିଲା, ‘‘ବିଶ୍ୱଜିତ୍‌, ମା’ର ଦାଦା ବି ତୋର ଦାଦା । ସେ ମୋର ଦାଦା ହେବେ ।’’

 

‘‘ଦୁହିଁଙ୍କୁ ଦାଦା କହିଲେ ଅସୁବିଧା । ସେଥିପାଇଁ ଜଣକୁ ଚେମା ଦାଦା ଡାକିବି, ଆଉ ଜଣକୁ ପୁରୁଷୋତ୍ତମ ଦାଦା ଡାକିବି ।’’ ବିଶ୍ୱଜିତ୍‌କୁ ପୁରୁଷୋତ୍ତମ ପାଖକୁ ଡାକିବାରୁ ତା’ ପାଖକୁ ଗଲା ।

 

ସାବିତ୍ରୀ ବିଶ୍ଵଜିତକୁ କ୍ଷୀର ଗୋଟିଏ ମଗ ଧରେଇଦେଲା । ସେ ପିଇସାରିବା ପରେ, ମଗଟି ସାବିତ୍ରୀ ଆଣି ଆସିଲା । ବିଶ୍ଵଜିତ୍‌ ଚେମା ଦାଦାକୁ ଭୁଲିଯାଇ ପୁରୁଷୋତ୍ତମ ଦାଦା ସଙ୍ଗେ ଖେଳିବା ଆରମ୍ଭ କରିଦେଲା । ସତ୍ୟପାଳ ତା’ ପାଇଁ ଯେଉଁ ‘ବୁଧୁ’କୁ ଆଣିଥିଲେ, ସେଇଟା ବାହାର କଲା ।

 

‘‘ଦାଦା, ଇଏ ଆମ ଘରକୁ ବୁଧବାର ଦିନ ଆସିଥିଲା । ତା’ର ନାଁ ଦେଇଛି ବୁଧୁ । କେତେ ହେଣ୍ଡସମ ଦେଖାଯାଉଛି ।’’

 

‘‘ହେଣ୍ଡସମ ମାନେ କ’ଣ ?’’ ପୁରୁଷୋତ୍ତମ ।

‘‘ହେଣ୍ଡସମ ମାନେ ଜାଣି ନ । ତୁମ ସ୍କୁଲରେ ପଢ଼ା ହେଇନଥିଲା ।’’ ହେଣ୍ଡସମ ମାନେ ହେଲା ସୁନ୍ଦର ।’’

 

‘‘ମୁଁ’’ କେଉଁଠି ସ୍କୁଲ ଯାଇଛି ? ମୁଁ ଗୋଟେ ଇଂରେଜୀ ଜାଣିନାହିଁ ।’’ ପୁରୁଷୋତ୍ତମ ।

‘‘ତୁମର ନାତୁଣୀ ଯେ କି ମୋର ମା’, ତୃତୀୟ ଶ୍ରେଣୀ ପାଠ ପଢ଼ିଛି । ମୋ ବାପା ଇଞ୍ଜିନିୟରିଂ ପଢ଼ିଛନ୍ତି । ମୁଁ ବଡ଼ ହେଲେ ଡାକ୍ତରୀ ପାଠ ପଢ଼ିବି ।’’ ବିଶ୍ୱଜିତ୍‌ ।

 

ପୁରୁଷୋତ୍ତମ, ‘‘ତୁମେ ଜାଣିଛ, ତୁମ ମା’ କାହିଁକି ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଲା ? ଆଉ ପଢ଼ିପାରିଲା ନାହିଁ।’’

 

‘‘ମୋ ମା’ କ’ଣ ପାଇଁ ପଢ଼ିପାରିଲା ନାହିଁ ?’’ ବିଶ୍ୱଜିତ୍‌ ।

ପୁରୁଷୋତ୍ତମ, ବିସ୍ଥାପନ, ବିସ୍ଥାପନ ଯୋଗୁ ପଢ଼ିପାରିଲା ନାହିଁ । ତା’ ବାପା ଚେମା, ଘର ଛାଡ଼ିବାକୁ ଦୁଇଦିନିଆ ନୋଟିସ ପାଇଥିଲା । ଦୁଇଦିନ ପାଇଁ ଅପେକ୍ଷା କଲା ନାହିଁ । ଏତେ ବାଧିଲା ଯେ, ଗୋଟିଏ ଦିନରେ ଘର ଛାଡ଼ିଲା । ତୁମର ମା’, ଆଈ ଓ ଚେମା ମୋ ଘରକୁ ସାପଲହରା ଆସିଲେ । ତୋ ମା’ର ପାଠପଢ଼ାରେ ସେଇଠୁ ପୂର୍ଣ୍ଣଚ୍ଛେଦ ପଡ଼ିଲା।’’

 

X      X      X      X      X      X      X      X      X      X

 

ଚେମା ଆସ୍ତେ ଆସ୍ତେ ଦୁର୍ବନ ହୋଇଯାଉଛି । ତା’ର ଚାଲିବାର ଶକ୍ତି କମିଗଲା । କୌଣସି ଛୋଟିଆ କାମ କଲେ ମଧ୍ୟ ତାକୁ ହାଲିଆ ଲାଗିଲା । ଡାକ୍ତରଙ୍କ କହିବା ଅନୁସାରେ ଔଷଧ ଖାଉଛି ଓ ସାବିତ୍ରୀ ତାକୁ ପଥ ଦେଇ ରଖିଛି ।

 

ସେ ବିଶ୍ଵଜିତକୁ ପ୍ରାୟ ଭେଟୁନାହିଁ । ଭେଟିବାକୁ ଇଛା ଅଛି ।

ସାବିତ୍ରୀ ଏଥିରେ ପ୍ରତିବନ୍ଧକ ସାଜିଛି । ବିଶ୍ଵଜିତ୍‌ର ଭଲ ପାଇଁ ଏ ବ୍ୟବସ୍ଥା । ସେଥିଯୋଗୁ ଚେମା ପାଟି ଖୋଲୁନାହିଁ । ଅବଶ୍ୟ ବିଶ୍ଵଜିତ୍‌ ସମ୍ପର୍କରେ ଖବର ଟିକିନିଖି ରଖୁଛି ।

 

ସନ୍ଧ୍ୟା ୬ଟା । ଚେମାର ଛାତିରେ ଯନ୍ତ୍ରଣା ଅନୁଭବ କଲା । ତା’ର କୋଠରିରେ ଶୋଇଛି-। ତଳକୁ ଗଳିପଡ଼ିଲା । ବୈଦେହୀ ପାଖକୁ ଆସିଲା । ସେ ବାକି ସମସ୍ତଙ୍କୁ ଗୋଟିଏ ଗୋଟିଏ କରି ଡାକିଲା । ସାବିତ୍ରୀ ସତ୍ୟପାଳକୁ ଫୋନ କଲା । ସତ୍ୟପାଳ ଜଣେ ଡାକ୍ତର ସାଙ୍ଗରେ ଆଣିଥିଲା । ଡାକ୍ତର କହିଲେ, ‘‘ରୋଗୀକୁ ହୃଦଘାତ୍‌ ହୋଇଛି । ଜୋର୍‌ରେ ହୋଇନାହିଁ । ମୁଁ ଇଞ୍ଜେକସନ ଦେଇ ଦେଇଛି । ଏବେ ସବୁ ଠିକ୍‌ ହୋଇଯିବ । ବିଶ୍ଵଜିତ୍‌, ବିଶ୍ଵଜିତ୍‌ ବୋଲି ଗୁଣୁ ଗୁଣଉଛନ୍ତି । ତାକୁ ଡାକନ୍ତୁ ।’’

 

ସାବିତ୍ରୀ ବିଶ୍ୱଜିତ୍‌କୁ ଡାକିଲା । ବିଶ୍ଵଜିତ୍‌ ଅଗଣାରେ ଖେଳୁଥିଲା । ଚେମା ଦାଦା ଡାକୁଛନ୍ତି କହିବାରୁ ଦୌଡ଼ି ଦୌଡ଼ି ଆସିଲା ।

 

‘‘ମା’, ଏବେ ଚେମା ଦାଦା ଡାକୁଛନ୍ତି । ଗତ କେତେଦିନ ହେଲା ଚେମା ଦାଦା ମୋତେ ଗାଳି କରୁଥିଲେ । ପୁରୁଷୋତ୍ତମ ଦାଦାଙ୍କ ସାଙ୍ଗରେ ଗତ କେତେଦିନ ହେଲା ଶୋଉଥିଲି । ଗପ କହୁଥିଲେ । ଯାହାହେଉ, ଆଜି ଚେମା ଦାଦା ଡାକିଲେ । ଆଜି ରାତିରେ ତାଙ୍କ ସଙ୍ଗେ ଶୋଇବି ।’’ ଡାକ୍ତର ବାହାର ଅଗଣାରେ, ଚୌକିରେ ବସିଲେ । ତାଙ୍କ ପାଇଁ ସାବିତ୍ରୀ ଚା’ ତିଆରି କଲା ।

 

ଭିତରେ ଦାଦାଙ୍କ ପାଖରେ ବିଶ୍ୱଜିତ୍‌ ଓ ବୈଦେହୀ ରହିଲେ । ତା’ପରେ ସାବିତ୍ରୀ ଆସିଲା-

 

ଚେମା ବିଶ୍ଵଜିତ୍‌କୁ କହିଲେ, ‘‘ତୋ ମା’ ସେହି ଗପଟି କହିଛି । ତୋ ମା’ କାହାରି ନାଁ ଧରିନାହିଁ । ପ୍ରଥମ ରାତିରେ ତୋତେ ଗପ କହୁଥିଲି । ମୁଁ ସେହି ଗପକୁ ତୋତେ ଆଉଥରେ କହିଲି-। ସେହି ଗପଟି ସତ ଥିଲା । ସେହି ଜାମଡ଼ା ଗାଁର କର୍ତ୍ତା ହେଉଛି ମୁଁ, ଚେମା ।’’

 

ଚେମା ଏତିକି କହିଲେ । ତା’ପରେ ଆଉ ଥରେ ବଡ଼ ଜୋର୍‌ରେ ତାଙ୍କର ହୃଦଘାତ୍‌ ହେଲା ।

 

ଚେମାର ପ୍ରାଣବାୟୁ ଉଡ଼ିଗଲା ।